ଭୁବନେଶ୍ୱର:୨୧/୩-ଭୁବନେଶ୍ୱରରେ ସଡକପଥର ବିକାଶ ପାଇଁ ସରକାର ଯୋଜନା ହାତକୁ ନେଇଛନ୍ତି। ସହରରେ ୩୭ଟି ନୂଆ ରାସ୍ତା ତିଆରି ହେବ। ସହରର ଭିଡ଼ ଏବଂ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୭ଟି ନୂଆ ରାସ୍ତା ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିମଧ୍ୟରେ ନୂଆ ରିଙ୍ଗ ରୋଡ ଏବଂ ଫ୍ଲାଏ ଓଭର ରହିଛି । ଯେତେ ପରିମାଣର ଜନସଂଖ୍ୟା ପାଇଁ ଭୁବନେଶ୍ୱର ସହର ତିଆରି ହୋଇଥିଲା ଏବେ ତା ଠାରୁ ଅନେକ ଗୁଣ ଅଧିକ ଲୋକ ଏଠାରେ ରହୁଛନ୍ତି। ନୂଆ ନୂଆ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ଯୋଗୁଁ ରାସ୍ତାରେ ଭିଡ଼ ବୃଦ୍ଧି ପାଇଛି। ତେଣୁ ସହରକୁ ଭିଡ଼ ମୁକ୍ତ କରିବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୨୦ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା କାମକୁ ପ୍ରାଥମିକତା ଦିଆଯିବ। ସାଲିଆସାହିରୁ ଚୁନକୋଲି ବସ୍ତିକୁ ସଂଯୋଗ କରୁଥିବା ରାସ୍ତା ଆସନ୍ତା ୧୫ ଦିନ ମଧ୍ୟରେ ଶେଷ ହେବ। ବାରଙ୍ଗରୁ ଜଟଣୀ ପର୍ଯ୍ୟନ୍ତ ୩୮ କିଲୋମିଟର ଲମ୍ବା ରାସ୍ତା ତିଆରି ହେବ। ଏହା ଭୁବନେଶ୍ୱର, କଟକ ଓ ଜଟଣୀ ମଧ୍ୟରେ ଏକ ମିନି ରିଙ୍ଗ ରୋଡ ଭଳି କାମ କରିବ। କଳିଙ୍ଗ ଷ୍ଟୁଡିଓ ଛକରୁ ହସ୍ପିଟାଲ ଏବଂ ଖଣ୍ଡଗିରିରୁ ଗଣ୍ଡମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ସହ ସହର ବାହାରେ ୧୪୦ କିଲୋମିଟର ବିଶିଷ୍ଟ ଏକ ବିରାଟ ରିଙ୍ଗ ରୋଡ ନିର୍ମାଣ କରାଯିବ।ଏଜି ଛକରେ ଅଣ୍ଡର ପାସ୍ ରାସ୍ତା, ପଟିଆ, ଇନଫୋସିଟି ଅଞ୍ଚଳରେ ଉତ୍ତମ ସଡକ ସଂଯୋଗୀକରଣ ନେଇ ପଦକ୍ଷେପ ନିଆଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।