ଭୁବନେଶ୍ୱର:୨୧/୩- ପ୍ରକୃତିର ଅନନ୍ୟ ବରଦାନ ହେଉଛି ଆମର ସବୁଜ ବନାନୀ। ଏହା ଆମ ଜୀବନ ଓ ଜୀବିକାର ଆଧାର ଅଟେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଶ୍ୱ ବନ ଦିବସ-୨୦୨୬ ପାଳନ ଅବସରରେ କହିଛନ୍ତି। ଭବନ କନଭେନସନ ସେଣ୍ଟରରେ ଏହି ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମଯୋଗଦେଇ ସେ ଖ୍ୟମନ୍ତ୍ରୀ କହିଥିଲେ ଯେ, ସୁସ୍ଥ ପରିବେଶ ତଥା ମନୁଷ୍ୟ ଜୀବନରେ ବଣ ଜଙ୍ଗଲର ମହତ୍ତ୍ୱ ବିଷୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆମେ ଏହି ବିଶ୍ୱ ବନ ଦିବସ ପାଳନ କରୁଛୁ।

ଉତ୍ତମ ବନ ପରିଚାଳନା ପଦ୍ଧତି, ବ୍ୟାପକ ବୃକ୍ଷରୋପଣ ଓ ଜନସଚେତନତା ଜରିଆରେ ଓଡିଶା ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟିରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠୀ ଲାଭ କରିଛି। ବିଜ୍ଞାନ ଓ ଟେକନୋଲୋଜିରେ ଅନେକ ଉନ୍ନତି ହୋଇଛି। କମ ଜାଗା ବ୍ୟବହାର କରି, ପରିବେଶକୁ ଦୂଷିତ ନକରି ଶିଳ୍ପାୟନ କରିବା ଆଜି ସମ୍ଭବ ହୋଇପାରିଛି। ତେଣୁ ଯଦି ଆମେ ପରିବେଶ ଓ ଶିଳ୍ପାୟନ ମଧ୍ୟରେ ଉପଯୁକ୍ତ ସନ୍ତୁଳନ ରଖିପାରିବା ତେବେ ପରିବେଶ ଓ ଶିଳ୍ପାୟନ ପରସ୍ପର ଅନୁପୂରକ ବଦଳରେ ପରିପୂରକ ହୋଇପାରିବ।
ଚଳିତ ବର୍ଷ ବିଶ୍ୱ ବନ ଦିବସ ପାଳନର ବିଷୟବସ୍ତୁ ‘ଜଙ୍ଗଲ ଓ ଅର୍ଥନୀତି’ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ଜଙ୍ଗଲ କେବଳ ପରିବେଶ ପାଇଁ ନୁହେଁ, ବରଂ ଆମ ରାଜ୍ୟ ତଥା ଦେଶର ବିକାଶ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଜଙ୍ଗଲ ସୁରକ୍ଷା ସହିତ ଆମେ ଜଙ୍ଗଲକୁ ଜୀବିକା ଅର୍ଜନର ପ୍ରମୁଖ ମାଧ୍ୟମ ଭାବେ ପରିଣତ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରି ସଫଳ ହୋଇଛୁ। ସମସ୍ତଙ୍କ ସହଯୋଗ ରହିଲେ ଆମେ ଏ କ୍ଷେତ୍ରରେ ଆହୁରି ଆଗକୁ ବଢିବୁ। ବନ ସୁରକ୍ଷା ଓ ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ କାମ କରୁଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇ ଜଙ୍ଗଲ ନିଆଁ ରୋକିବା ଏବଂ ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷ ରୋକିବା ଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ମନୁଷ୍ୟକୃତ ଜଙ୍ଗଲ ନିଆଁ ପାଇଁ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭାଗ ପକ୍ଷରୁ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖିବା ସହିତ ଜଙ୍ଗଲ ସୁରକ୍ଷା ସମ୍ବନ୍ଧିତ ପୁସ୍ତକ ଉନ୍ମୋଚନ ଏବଂ ଉତ୍ତମ ପ୍ରଦର୍ଶନକାରୀ ବନାଞ୍ଚଳ ଅଧିକାରୀ, ବନପାଳ ଓ ବନରକ୍ଷୀମାନଙ୍କୁ ସମ୍ମାନିତ କରିଥିଲେ।