ଭୁବନେଶ୍ୱର:୨୨/୩-ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ସ୍ଥାନୀୟ ଲୋକ ସେବା ଭବନ କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ସେ ସମୁଦାୟ ୨୬୧୨ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥି ମଧ୍ୟରୁ ୨୨୯୨ କୋଟି ଟଙ୍କାର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବେଳେ ୩୨୦ କୋଟି ଟଙ୍କାର ବ୍ୟୟ ବରାଦରେ ସମୁଦାୟ ୧୨୪ ଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି।

ଜଳର ଗୋଟିଏ ବୁନ୍ଦା ମଧ୍ୟ ବିଶ୍ୱର ଅନେକ ଲୋକଙ୍କ ପାଇଁ ଦୁର୍ମୂଲ୍ୟ। ତେଣୁ ଜଳର ଗୋଟିଏ ବୁନ୍ଦା ଯେପରି ନଷ୍ଟ ନ ହୁଏ, ସେଥିପାଇଁ ସମସ୍ତଙ୍କୁ ଶପଥ ନେବାକୁ କହି ବିଶ୍ୱ ଜଳ ଦିବସରେ ଜଳ ଅପଚୟ ନ କରିବାର ବାର୍ତ୍ତା ପ୍ରତିଟି ଘରେ ପହଞ୍ଚିବା ଦରକାର ବୋଲି ପ୍ରକାଶ କରିଥିଲେ। ପିଲାମାନଙ୍କୁ ସ୍କୁଲରୁ ହିଁ ପାଣି ବଞ୍ଚେଇବାର ଶିକ୍ଷା ଦେବାକୁ ପଡ଼ିବ କାରଣ ସେମାନେ ହିଁ ଆଗାମୀ ଦିନର ଜଳ ସୈନିକ। ଆମେ ପାଣି ନଷ୍ଟ କରିବା ନାହିଁ ଏବଂ ବର୍ଷାପାଣିକୁ ସଞ୍ଚୟ କରି ମାଟିକୁ ସଜଳ ରଖିବା ବାର୍ତ୍ତା ସହ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଜଳ ଶକ୍ତି ଅଭିଯାନ ମାଧ୍ୟମରେ ଜଳ ସଂରକ୍ଷଣକୁ ଏକ ଜାତୀୟ ପ୍ରାଥମିକତା ଭାବେ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ମହିଳାମାନଙ୍କୁ ଜଳ ଗୁଣବତ୍ତା ପରୀକ୍ଷା ଏବଂ ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଉଥିବା କହିଥିଲେ।

ଆଗାମୀ ଦିନମାନଙ୍କରେ ଓଡ଼ିଶାର ଜଳସେଚନ ସୁବିଧା ପାଇଁ ଶସ୍ୟର ସାନ୍ଦ୍ରତାକୁ ୨୦୩୬ ସୁଦ୍ଧା ୨୨୦ ପ୍ରତିଶତ ଏବଂ ୨୦୪୭ ସୁଦ୍ଧା ୨୫୦ ପ୍ରତିଶକୁ ବୃଦ୍ଧି କରିବା ହେଉଛି ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କେନାଲ ଲାଇନିଂ ସିଷ୍ଟମ, ରିହାବିଲିଟେସନ ପ୍ରୋଗ୍ରାମ, ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ଏବଂ କୁସୁମୀ ସ୍ମାର୍ଟ ଜଳସେଚନ ପ୍ରକଳ୍ପର ସଫଳତା ଆମର ୨୧ ମାସର କାର୍ଯ୍ୟକାରିତାରେ ଏକ ଉତ୍ସାହଜନକ ନିଦର୍ଶନ ଏବଂ ବିଭିନ୍ନ ଜଳସେଚନ ଯୋଜନା ମାଧ୍ୟମରେ ପ୍ରାୟ ୨ ଲକ୍ଷ ୨୦ ହଜାର ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜୀବ ଭବନ ଠାରେ ଶିଶୁ ଯତ୍ନ କେନ୍ଦ୍ର ‘କଳିକା’ର ଉଦଘାଟନ ହେବା ସହିତ ଏଆଇ (ଇଓ) ଚାଳିତ ନାଗରିକ ମତାମତ ବ୍ୟବସ୍ଥା ‘ବିନ୍ଦୁ’ ଚାଟବୋଟ’ର ପ୍ରୟୋଗିକ ଶୁଭାରମ୍ଭ କରିଥିଲେ। ଜଳ ସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହ ଏକ କଫି ଟେବୁଲ ବୁକ୍ ‘ସୁଜଳା’ ଏବଂ ନଦୀ ମାନଚିତ୍ର ବହିର ଉନ୍ମୋଚନ କରାଯାଇଥିଲା।