୫ ସ୍ୱର୍ଣ୍ଣ ସହିତ ୧୭ଟି ପଦକ ପାଇଲା ଓଡିଶା
ଭୁବନେଶ୍ୱର:୨୨/୩୨୪ ତମ ଜାତୀୟ ପାରା ଆଥଲେଟିକ ଚାମ୍ପିୟାନସିପ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସମସ୍ତ ବିଜେତା ଆଥଲେଟମାନଙ୍କୁ ପୁରସ୍କୃତ କରିବା ସହିତ ଆଗାମୀ ସମୟରେ ସମସ୍ତ ଖେଳରେ ନିଜର ପରିଶ୍ରମ ଅବ୍ୟାହତ ରଖିବାପାଇଁ ପରାମର୍ଶ ଦେଇଥିଲେ। ହାର ଜିତ ତ ସବୁ ଖେଳାଳୀ ଜୀବନରେ ଆସିଥାଏ, କିନ୍ତୁ ପ୍ରକୃତ ଜୀବନର ସଂଘର୍ଷକୁ ଜିତିଯାଇଥିବା ବିଜେତା ହେଉଛନ୍ତି ଆପଣମାନେ। କାରଣ ଆପଣ ମାନେ ନିଜର ଦୁର୍ବଳତାକୁ ନିଜର ଶକ୍ତି କରିଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସମସ୍ତ ଖେଳାଳିଙ୍କୁ ସମ୍ବୋଧନ କରି କହିଥିଲେ।

ଏହି ଅବସରରେ ସେ ସମସ୍ତ ଆଥଲେଟ ମାନଙ୍କୁ ଆଗାମୀ ଏସିଆନ ପାରା ଗେମ୍ସରେ ଦେଶ ପାଇଁ ଗୌରବ ଆଣିବାକୁ କହିଥିଲେ ଏବଂ ଓଡିଶା କଣ୍ଟିଜେଣ୍ଟର ୪୦ଜଣ ଆଥଲେଟଙ୍କୁ ସ୍ୱତନ୍ତ୍ର ଅଭିନନ୍ଦନ ଜଣାଇଥିଲେ।ସେ କହିଥିଲେ, ଆଜି ଯେଉଁ ଓଡିଆ ଆଥଲେଟମାନେ ସଫଳତା ହାସଲ କରିଛନ୍ତି, ମେଡାଲ ପାଇଛନ୍ତି, ସେମାନେ ତାଙ୍କର ଉଦ୍ୟମ ଜାରି ରଖନ୍ତୁ, ବିଶ୍ୱସ୍ତରରେ ନିଜର ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରନ୍ତୁ। ବିଶ୍ୱରେ ଓଡିଶାର ପ୍ରତିଭାକୁ ନୂଆ ପରିଚୟ ଦିଅନ୍ତୁ। ବିଶ୍ୱର କ୍ରୀଡା ମାନଚିତ୍ରରେ ଓଡିଶା ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିପାରିଛି। ଆମକୁ ୨୦୨୮ ପାଇଁ ଆଉ ଏକ ସୁନ୍ଦର ସୁଯୋଗ ମିଳିଛି।
ସୂଚନା ଯୋଗ୍ୟଯେ ଉକ୍ତ ଚମ୍ପିୟନସିପରେ ୨୮ଟି ରାଜ୍ୟର ୧୪୬୦ ଜଣ ପାରା-ଆଥଲେଟ୍ ଭାଗ ନେଇଥିଲେ। ଆଜି ଉଦଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ଚମ୍ପିୟାନ ଦଳ ଭାବେ ହରିୟାଣା (ପ୍ରଥମ-୯୫ଟି ମେଡାଲ), ତାମିଲନାଡ଼ୁ (ଦ୍ୱିତୀୟ-୫୧ଟି ମେଡାଲ ) ଏବଂ ଗୁଜୁରାଟ (ତୃତୀୟ-୩୦ଟି ମେଡାଲ)ଙ୍କୁ ପୁରସ୍କୃତ କରିବା ସହିତ ବିଭିନ୍ନସ୍ତରରେ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଚମ୍ପିୟନସିପ୍ ରେ ଓଡ଼ିଶା ୫ଟି ସ୍ୱର୍ଣ୍ଣ ପଦକ ସହିତ ସମୁଦାୟ ୧୭ଟି ମେଡାଲ ପାଇଛି।