ଭୁବନେଶ୍ୱର୨୪/୩-ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ବିବାଦ ଏବଂ ଏହାର ପ୍ରଭାବ ରାଜ୍ୟ ଅର୍ଥନୀତି ଉପରେ କିପରି ପଡ଼ୁଛି ସେ ସଂପର୍କରେ ସ୍ଥିତି ସମୀକ୍ଷା ଓ ନିରୀକ୍ଷଣ ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତ, ବିଶେଷକରି ଓଡ଼ିଶା ଉପରେ ଏହି ବିବାଦର ସାମଗ୍ରିକ ଅର୍ଥନୈତିକ ଏବଂ କ୍ଷେତ୍ରଭିତ୍ତିକ ପ୍ରଭାବ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ମଧ୍ୟ ପ୍ରାଚ୍ୟ ଅଞ୍ଚଳ ଭାରତର ବାଣିଜ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଜାରି ରହିଥିବା ସଂଘର୍ଷ ଦୀର୍ଘସ୍ଥାୟୀ ହେଲେ ଅଶୋଧିତ ତୈଳ ଦର ବୃଦ୍ଧି, ଯୋଗାଣ ଶୃଙ୍ଖଳାର ବିଶୃଙ୍ଖଳା, ପରିବହନ ଓ ବୀମା ଖର୍ଚ୍ଚ ବୃଦ୍ଧି ଏବଂ ମୁଦ୍ରା ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି ଯାହା ମୂଲ୍ୟସ୍ଫୀତି, କରେଣ୍ଟ ଏକାଉନ୍ଟ ଡେଫିସିଟ ଓ ସାମଗ୍ରିକ ଆର୍ôଥକ ଅଭିବୃଦ୍ଧି ଉପରେ ପର୍ଯ୍ୟାୟକ୍ରମେ ପ୍ରଭାବ ପକାଇପାରେ।

ରାଜ୍ୟର ରପ୍ତାନୀର ଏକ ବଡ଼ ଅଂଶ ପଶ୍ଚିମ ଏସିଆ ମାର୍କେଟ ସହିତ ସଂପୃକ୍ତ ଯାହା ରାଜ୍ୟର ମୁଖ୍ୟ କ୍ଷେତ୍ର ସମୁଦ୍ର ଉତ୍ପାଦ ରପ୍ତାନି, କୃଷି ଉତ୍ପାଦ, ପ୍ରକ୍ରିୟାକୃତ ଖଣିଜ, ରାସାୟନିକ ଓ ସମ୍ପର୍କିତ ଶିଳ୍ପ ଉପରେ କିପରି ପ୍ରଭାବ ପକାଇବ ସେ ସଂପର୍କରେ ଆଲୋକପାତ କରାଯାଇଥିଲା। ଏହା ସହିତ, ଶିଳ୍ପକ୍ଷେତ୍ରରେ କଂଚା ମାଲର ଅଭାବ ଏବଂ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି। ପଶ୍ଚିମ ଏସୀୟ ଦେଶଗୁଡ଼ିକରୁ ଚାହିଦା ହ୍ରାସ ପାଇବା ହେତୁ ମତ୍ସ୍ୟ ସମ୍ପଦ କ୍ଷେତ୍ର ଏବେଠାରୁ ଚାପର ସମ୍ମୁଖୀନ ହେବାର ସଙ୍କେତ ଦେଖାଦେଇଛି। ଶକ୍ତି ଏବଂ ସାର ଖର୍ଚ୍ଚ ବୃଦ୍ଧି ପାଇବା ଫଳରେ ଏହାର ପ୍ରଭାବ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଉପରେ ପଡ଼ିବାର ସମ୍ଭାବନା ରହିଛି।
ଉପରୋକ୍ତ ବିଷୟଗୁଡ଼ିକୁ ବିଚାରକୁ ନେଇ, ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା, ଯୋଗାଣ ଶୃଙ୍ଖଳକୁ ସ୍ଥିର ରଖିବା, ରପ୍ତାନି ସୁବିଧା ଏବଂ ରପ୍ତାନିକାରୀଙ୍କ ପାଇଁ ସଂକଟ ହ୍ରାସ କରିବା ଦିଗରେ ଭାରତ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଶୃଙ୍ଖଳରେ ସ୍ଥିରତା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ସଂପୃକ୍ତ ବିଭାଗ ଏବଂ ପ୍ରବର୍ତ୍ତନକାରୀ ସଂସ୍ଥା ଗୁଡ଼ିକ ଦ୍ୱାରା ଏହି ପଦକ୍ଷେପଗୁଡ଼ିକୁ ରାଜ୍ୟରେ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ଗ୍ରାହକଙ୍କ ମଧ୍ୟରେ ଥିବା ଭୟ ବା ଆଶଙ୍କାକୁ ଦୂର କରିବା ପାଇଁ ବିଶ୍ୱାସ ଜନ୍ମାଇବା ଭଳି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ବଦଳୁଥିବା ପରିସ୍ଥିତି ଏବଂ ରାଜ୍ୟ ଅର୍ଥନୀତି ଉପରେ ଏହାର ପ୍ରଭାବର ନିରନ୍ତର ସମୀକ୍ଷା ଓ ନିରୀକ୍ଷଣ କରାଯିବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛିି। ବିଭିନ୍ନ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ତୀକ୍ଷ୍ଣ ନଜର ରଖିବା, ସଠିକ୍ ସମୟରେ ନୀତିଗତ ପଦକ୍ଷେପ ଗ୍ରହଣ କରିବା ଏବଂ ସଂକଟ ହ୍ରାସ କରିବା ପାଇଁ ବିକଳ୍ପ ବଜାର ଓ ଯୋଗାଣ ବ୍ୟବସ୍ଥା ସନ୍ଧାନ କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛିି। ଏଥିସହ, ପିଏନଜି ବିତରଣ ବ୍ୟବସ୍ଥାର ଶୀଘ୍ର କାର୍ଯ୍ୟକାରିତା, ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ବନ୍ଦରଗୁଡ଼ିକରେ ଅଧିକ ଏଲଏନଜି ଟର୍ମିନାଲ ପ୍ରତିଷ୍ଠା ଏବଂ ଏଲପିଜି ଓ ଅନ୍ୟାନ୍ୟ ପେଟ୍ରୋଲିୟମ ପଦାର୍ଥ ଉପରେ ନିର୍ଭରଶୀଳତା କମାଇବା ପାଇଁ କୋଇଲା ଉତ୍ପାଦନ ବୃଦ୍ଧି କରିବା ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଛନ୍ତି।
କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗକୁ ଜିଲ୍ଲାଗୁଡ଼ିକରେ ୟୁରିଆ ଏବଂ ଏନପିକେ ସାରର ଉପଲବ୍ଧତା ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଭାରତ ସରକାରଙ୍କଠାରୁ ଅଧିକ ସାର ବରାଦ ପାଇଁ ଅନୁରୋଧ କରିବା ସହ ଜୈବିକ ଏବଂ ବାୟୋ-ଫର୍ଟିଲାଇଜର ଭଳି ବିକଳ୍ପ ସନ୍ଧାନ କରିବାକୁ ପରାମର୍ଶ ଦିଆଯାଇଛି। ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଖୁରାନିଆ ରାଜ୍ୟର ସମସ୍ତ ଏଲପିଜି ଡିଲର ଷ୍ଟେସନ ଏବଂ ପେଟ୍ରୋଲ ପମ୍ପଗୁଡ଼ିକରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ନାଗରିକମାନଙ୍କୁ ବିକଳ୍ପ ପରିବହନ ମାଧ୍ୟମ ଭାବରେ ବୈଦ୍ୟୁତିକ ଯାନ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିବା ଏବଂ କ୍ରେତାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ପର୍ଯ୍ୟାପ୍ତ ଚାର୍ଜିଂ ଭିତ୍ତିଭୂମି ସୁବିଧା ଉପଲବ୍ଧ କରାଇବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା।