ଭୁବନେଶ୍ୱର:୨୬/୩- ସରକାର ୩ ବର୍ଷିଆ ନୂଆ ଅବକାରୀ ନୀତି ଆଣିଛନ୍ତି। ଏପ୍ରିଲ ୧ ତାରିଖରୁ ଏହା ଲାଗୁ ହେବ । ନୂଆ ନୀତି ଅନୁଯାୟୀ ରାଜ୍ୟରେ ନୂଆ ଅଫ କିମ୍ବା ଅନ ମଦ ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।
ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବା ପାଇଁ ଅନୁମୋଦନ ଦିଆଯିବ ନାହିଁ। କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତା ଠାରୁ ଉପର ହୋଟେଲ ଓ କ୍ଲବ ପାଇଁ ମିଳିବ। ପୁରୀର ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ମଦ ଦୋକାନ ରହିବ ନାହିଁ। ଏହା ସହିତ ଘରକୁ ମଦ ପହଞ୍ଚାଇବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ। ନୂଆ ଅବକାରୀ ନୀତି ଅନୁଯାୟୀ ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ୍ (ନିଶା ନିବାରଣ କର)ଲାଗିବ।
ସେସରୁ ଯେଉଁ ଆୟ ଆସିବ ତାହା ନିଶା ନିବାରଣ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ଖର୍ଚ୍ଚ କରାଯିବ। ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ। ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧିପାଇବ। ପୂର୍ବରୁ ଲାଇସେନ୍ସଧାରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ପରିମାଣର ମଦ ବିକ୍ରୟ ପାଇଁ ନିୟମ ରହୁଥିଲା ଏବେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଜସ୍ୱ ଦେବାକୁ ନିୟମ କରାଯାଇଛି।