ଭୁବନେଶ୍ୱର:୮/୪-ଶିଳ୍ପ ଅଭିବୃଦ୍ଧି ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପ୍ରତି ରାଜ୍ୟର ଦୃଢ଼ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୨୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥବା ବେଳେ ୧୧ ଟି ପ୍ରକଳ୍ପର ଉଦଘାଟନ କରାଯାଇଛି।

ଏହି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଓ ଶୁଭାରମ୍ଭ ଦ୍ୱାରା ୫୯,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରୀନ ଏନର୍ଜି ଉପକରଣ, ଧାତୁ ଏବଂ ଡାଉନଷ୍ଟ୍ରିମ ଶିଳ୍ପ, ବୟନ ଏବଂ ପୋଷାକ ଶିଳ୍ପ, ପ୍ଲାଷ୍ଟିକ, ପର୍ଯ୍ୟଟନ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରତିରକ୍ଷା ଉତ୍ପାଦନ, ଆଇଟି, ଅଟୋମୋବାଇଲ, ସିମେଣ୍ଟ ଶିଳ୍ପ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି, ଯାହା ରାଜ୍ୟର ଅର୍ଥନୀତିରେ ଦ୍ରୁତ ବିକାଶ ଘଟାଇବ।
ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସମୃଦ୍ଧ ଓଡିଶା’ର ସ୍ୱର୍ଣ୍ଣିମ ଯାତ୍ରାରେ ଏକ ନୂତନ ଓ ଗୁରୁତ୍ୱପୁର୍ଣ୍ଣ ଫର୍ଦ୍ଦ ଯୋଡି ହୋଇଗଲା। ବର୍ତ୍ତମାନ ଓଡିଶାରେ ଚାଲୁଥିବା ଦ୍ୱିତୀୟ ଶିଳ୍ପ ବିପ୍ଲବର ଏହା ହେଉଛି ବାସ୍ତବ ପ୍ରତିଫଳନ। ପ୍ରତିଶ୍ରୁତିରୁ କାର୍ଯ୍ୟାନ୍ୱୟନ ଏବଂ ସମ୍ଭାବନାରୁ ସମୃଦ୍ଧି ଆଡ଼କୁ ଉଦ୍ଦେଶ୍ୟ ନେଇ ଓଡ଼ିଶା ଆଗକୁ ବଢ଼ୁଛି। ଆମ ପ୍ରତିଶ୍ରୁତି, ଆମେ ନିଶ୍ଚୟ ପୂରଣ କରୁ। ପୂର୍ବରୁ ଆମ ସରକାର ଏହି ୧୮-୨୦ ମାସ ମଧ୍ୟରେ ପ୍ରାୟ ଅଢେଇ ଲକ୍ଷ କୋଟି ଟଙ୍କାର ୧୦୯ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଯାହାଦ୍ୱାରା ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିଛି। ଆଜିର ଏହି କାର୍ଯ୍ୟକ୍ରମରେ ଆଉ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି ଏବଂ ୫୯ ହଜାର ନିଯୁକ୍ତି ସୃଷ୍ଟି ହୋଇଛି। ଆମକୁ ଯେଉଁ ସାମଗ୍ରୀ ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା, ସେଗୁଡ଼ିକ ଏବେ ଆମ ଖୋର୍ଦ୍ଧା ମାଟିରେ ତିଆରି ହେବ।

ଓଡିଶାରେ ଗତ ୨୦ ମାସ ଧରି ଶିଳ୍ପ କ୍ଷେତ୍ରରେ ଏକ ନୂତନ ଦିଗ ଦେଖାଯାଇଛି ଏବଂ ବିଶେଷ କରି ୨୦୨୫ ଜାନୁଆରୀରୁ ରାଜ୍ୟରେ ଦ୍ୱିତୀୟ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି। ୨୦୩୬ ପାଇଁ ଆଉ ୧୦ ବର୍ଷ ରହିଛି ଏବଂ ଏହି ୧୦ ବର୍ଷ ହେଉଛି ସମସ୍ତଙ୍କ ପାଇଁ ‘ସଂକଳ୍ପର ଦଶକ’। ଓଡିଆ ଅସ୍ମିତା ସହିତ ଅର୍ଥନୈତିକ ଉନ୍ନତିକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶିଳ୍ପପତି ମାନଙ୍କ ସହ ଏକ ସ୍ୱତନ୍ତ୍ର ରାଉଣ୍ଡଟେବୁଲ ବୈଠକରେ ଯୋଗଦେଇ ରାଜ୍ୟରେ ଆରମ୍ଭ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ସାଧାରଣ ସଭା ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଦ୍ୱାରା ଆୟୋଜିତ ପ୍ରକଳ୍ପ ଗୁଡିକର ପ୍ରଦର୍ଶନୀ ବୁଲି ଦେଖିବା ସହିତ କମ୍ପାନୀର କର୍ମଚାରୀମାନଙ୍କ ସହ କଥା ହୋଇଥିଲେ।