ଭୁବନେଶ୍ୱର:୧୦/୪-ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେଉଛି ଓଡ଼ିଆ ପକ୍ଷ। ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ଶୁକ୍ରବାର ଦଶମ ଦିବସରେ ପୁରୀ ଜିଲ୍ଲାର ପିପିଲି ଠାରେ ରାଜ୍ୟ ସ୍ତରୀୟ “ଲୋକକଳା ପାଇଁ ଦିନଟିଏ’ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ। ୮୦୦ରୁ ଉର୍ଦ୍ଧ୍ୱ କଳାକାରମାନେ ପିପିଲିର ରାଜପଥରେ ଓଡ଼ିଶାର ସମୃଦ୍ଧ ଲୋକକଳାକୁ ପ୍ରଦର୍ଶିତ କରିଥିଲେ। ସେମାନେ ଜବାହର ବିଦ୍ୟାପୀଠ ଠାରୁ ପଦାପଡ଼ିଆ ପର୍ଯ୍ୟନ୍ତ ଏକ ରାଲିରେ ନିଜର କଳା ଓ ନୃତ୍ୟ ପ୍ରଦର୍ଶିତ କରିଥିଲେ।






ଭଦ୍ରକର ମୋଗଲ ତାମସା ଓ ଲଉଡ଼ି ନୃତ୍ୟ, ବାଲେଶ୍ୱରର ନୀଳଗିରି ଛଉ, ବରଗଡ଼ର ଦୁଲଦୁଲି, ରସରକେଲି, ବଜଶାଲ, ବୌଦ୍ଧର ଦଣ୍ଡନୃତ୍ୟ, ଶବର ଶବରୁଣୀ, ବଲାଙ୍ଗୀରର ବଜନିଆ, ନଚନିଆ, କଟକର ଗୋପାଳ ଲଉଡ଼ି, ପାଲା, ଗଞ୍ଜାମର ଯୋଡ଼ିଶଙ୍ଖ, ପଶୁମୁଖା, ବାଘନାଚ, ସଖୀ କଣ୍ଡେଇ, ରଣପା, ଗଜପତିର ଭାରତ ଲୀଳା, ପ୍ରହଲ୍ଲାଦ ନାଟକ, ଝାରସୁଗୁଡ଼ାର ଡ଼ାଲଖାଇ, ସମ୍ବଲପୁରୀ, କନ୍ଧମାଳର କୁଇନୃତ୍ୟ, ଖୋର୍ଦ୍ଧାର ଗୋଟିପୁଅ, ପାଲି ନୃତ୍ୟ, ପାଇକ ଆଖଡ଼ା, କଳାହାଣ୍ଡିର ଘୁମୁରା, କେଉଁଝରର ଚାଙ୍ଗୁନୃତ୍ୟ, ଝୁମର, କରମ୍, ନୟାଗଡ଼ର ଖଞ୍ଜଣି ନୃତ୍ୟ, ଘଣ୍ଟ ମୃଦଙ୍ଗ, କେନ୍ଦ୍ରାପଡ଼ା ରାମଲୀଳା, ପୁରୀର ଘୋଡ଼ାନାଚ, ବଡ଼ ଘୋଡ଼ାନାଚ, ବଗ ବଗୁଲି, ସଂକୀର୍ତ୍ତନ, ନବଦୁର୍ଗା ନୃତ୍ୟ ଆଦିକୁ ଖୁବ ସୁନ୍ଦର ଭାବେ କଳାକାରମାନେ ରାଜପଥରେ ପରିବେଷଣ କରିଥିଲେ। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମଧ୍ୟ “ଲୋକକଳା ପାଇଁ ଦିନଟିଏ’ ଉତ୍ସବ ଅନୁଷ୍ଠିତ ହେବା ସହ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।