ଆସନ ସଂରକ୍ଷଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି
ଭୁବନେଶ୍ୱର:୧୨/୪-ପଞ୍ଚାୟତ ନିର୍ବାଚନ୨୦୨୭ରେ ହେବ। ଏଥିନିମନ୍ତେ ଆସନ ସଂରକ୍ଷଣ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ପତ୍ର ଲେଖିଛି। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପଦ ପାଇଁ ସଂରକ୍ଷଣ ସ୍ଥିର କରିବାକୁ ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୨୦୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି।

ସୂଚନା ଅନୁଯାୟୀ ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତିସଭ୍ୟ ଆସନ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ ତାରିଖ ଭିତରେ ଅଭିଯୋଗ କରାଯାଇପାରିବ। ୨୪ ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରି ୨୯ ତାରିଖ ସୁଦ୍ଧା ଚୂଡାନ୍ତ ସଂରକ୍ଷଣ ତାଲିକା ନିର୍ବାଚନ କମିଶନକୁ ଜଣାଇବେ। ସେହିପରି ଜିଲ୍ଲା ପରିଷଦ ସଦସ୍ୟ ଆସନ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ ତାରିଖ ଭିତରେ ଅଭିଯୋଗ ଗ୍ରହଣ ଏବଂ ୨୭ ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରିବେ। ୨୯ ତାରିଖ ସୁଦ୍ଧା ସରକାରଙ୍କ ଅନୁମୋଦନ କ୍ରମେ ୩୦ତାରିଖ ସୁଦ୍ଧା ଜିଲାପାଳମାନେ ଚୂଡାନ୍ତ ସଂରକ୍ଷଣ ତାଲିକା ନିର୍ବାଚନ କମିଶନକୁ ଜଣାଇବେ।
ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ୧୩ରେ ଚିଠା ବିଜ୍ଞପ୍ତି ଏବଂ ୨୯ରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବ ନିର୍ବାଚନ ସଂରକ୍ଷଣ ନୀତି ଅନୁସାରେ ୫୦ ପ୍ରତିଶତ ମଧ୍ୟରେ ସଂରକ୍ଷଣ ବ୍ୟବସ୍ଥା ରହିବ। ପଛୁଆ ବର୍ଗଙ୍କ ପାଇଁ ୨୭ପ୍ରତିଶତ ଯାଏଁ ସଂରକ୍ଷଣ ରହିବ। ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷିତ ରହିବ।