ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଉଭୟ ଟପର ଛାତ୍ରୀଙ୍କୁ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇ ସମ୍ବର୍ଦ୍ଧିତ କରିବା ସହ ରୂପା ତାରକସିର ଉପହାର ଓ ଉତ୍ତରୀୟ ପ୍ରଦାନ କରିଥିଲେ। ଭବିଷ୍ୟତରେ ସେମାନେ ଦୁଇ ଜଣ ଆହୁରି ସଫଳତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ।

ଉଭୟ ଛାତ୍ରୀ ଭବିଷ୍ୟତରେ ଜଣେ ଜଣେ ଡାକ୍ତର ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଟିନା ଭବିଷ୍ୟତରେ କାର୍ଡିଓଲୋଜିଷ୍ଟ ହେବାର ଲକ୍ଷ୍ୟ ରଖିଥିବା ବେଳେ, ଆଲିଶା ନ୍ୟୁରୋଲୋଜିଷ୍ଟ ହେବାର ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ରୀଙ୍କୁ ନିଷ୍ଠା ଓ ପରିଶ୍ରମ ଜାରି ରଖି ନିଜର ଲକ୍ଷ୍ୟରେ ନିଶ୍ଚୟ ସଫଳ ହେବ ବୋଲି କହିଥିଲେ। ଏହି ସଫଳତା ରାଜ୍ୟର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି ସେ ମତ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ ପୁରୀର ଟିନା ରଥଙ୍କ ପିତା ସମୀର କୁମାର ରଥ ଓ ମାତା ରେଣୁ ପ୍ରଭା ଦାସ। ସେହିପରି, ଭୁବନେଶ୍ୱର ୟୁନିଟ-୯ ରେ ବାସ କରୁଥିବା ଆଲିଶା ବିଶ୍ୱାଳଙ୍କ ପିତା ହେଉଛନ୍ତି ସୁଦର୍ଶନ ବିଶ୍ୱାଳ ଓ ମାତା ସୌଦାମିନୀ ମଲ୍ଲିକ।