ଭୁବନେଶ୍ୱର୧୯/୫-ଓଡିଶାର ସହରାଞ୍ଚଳରେ ଯାତାୟାତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡକ ସୁରକ୍ଷା ପଦକ୍ଷେପ ଓ ପ୍ରତିଷ୍ଠାନଗତ ସୁଦୃଢୀକରଣର ପ୍ରଗତି ସମୀକ୍ଷା ପାଇଁ ଏକ ବୈଠକ ଗୃହ ଓ ସହର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ମହାପାତ୍ର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ କେନ୍ଦୁଝର, ବାରିପଦା, ଅନୁଗୁଳ, ଝାରସୁଗୁଡା ଓ ବାଲେଶ୍ୱରରେ ସେବା ପ୍ରଚାଳନ ପ୍ରଗତି ସମୀକ୍ଷା କରିଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର, ରାୟଗଡା, କୋରାପୁଟ, ଭଦ୍ରକ ଓ ବଲାଙ୍ଗିରରେ ସେବା ବିସ୍ତାର ପାଇଁ ରୋଡମ୍ୟାପ ଉପରେ ମଧ୍ୟ ଆଲୋଚନା କରିଥିଲେ। କେନ୍ଦୁଝରରେ ଆରମ୍ଭ ହୋଇଥିବା ଇଲେକ୍ଟ୍ରିକ ବସ ସେବାରେ ଯାତ୍ରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସହ ବର୍ତ୍ତମାନ ପ୍ରତିଦିନ ପ୍ରାୟ ୧୩୦୦ ଯାତ୍ରୀ ଏହାର ସୁବିଧା ନେଉଥିବା ସୂଚନା ଦିଆଯାଇଥିଲା। ଡିପୋ ଓ ଇଲେକ୍ଟ୍ରିକ ମୋବିଲିଟି ଭିତ୍ତିଭୂମିର ସମୟୋପଯୋଗୀ କାର୍ଯ୍ୟକ୍ଷମତା ପାଇଁ ଅବଶିଷ୍ଟ ଭିତ୍ତିଭୂମି ଓ ବିଦ୍ୟୁତ ସଂଯୋଗ କାମକୁ ଶୀଘ୍ର ସମାପ୍ତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସାର୍ବଜନିକ ପରିବହନ ବ୍ୟବସ୍ଥାର ଦୀର୍ଘକାଳୀନ ଆର୍ôଥକ ସ୍ଥିରତାକୁ ଗୁରୁତ୍ୱ ଦେଇ ଗଠିତ ରାଜସ୍ୱ ମଡେଲ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ବସ, ବସ କ୍ୟୁ ସେଲ୍ଟର, ବସ ପୋଲ ଓ ଡିପୋ ସଂଲଗ୍ନ ବ୍ୟବସାୟିକ ଭିତ୍ତିଭୂମିରେ ବିଜ୍ଞାପନ ଅଧିକାର ପ୍ରଦାନ ଭଳି ପଦକ୍ଷେପ ଉପରେ ସମୀକ୍ଷା କରାଯାଇଥିଲା। ଆଗାମୀ ଡିପୋ ଓ ପରିବହନ ଭିତ୍ତିଭୂମିକୁ ବ୍ୟବସାୟିକ ବ୍ୟବହାର ସହ ସମନ୍ୱୟ କରି ବିକଶିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟାନ୍ୱିତ ସୁରକ୍ଷା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ। ସମସ୍ତ ନୂତନ ଇଲେକ୍ଟ୍ରିକ ବସଗୁଡିକୁ ସକ୍ଷମ ସୁରକ୍ଷା ବ୍ୟବସ୍ଥା ସହିତ ସଜାଯାଉଥିବା ସୂଚନା ଅଧିକାରୀମାନେ କହିଥିଲେ।
ସାର୍ବଜନିକ ପରିବହନ କ୍ଷେତ୍ରରେ ଲିଙ୍ଗ ସମାବେଶ ପ୍ରତି ଅବ୍ୟାହତ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ବିଶେଷକରି କେନ୍ଦୁଝରରେ ଇଲେକ୍ଟ୍ରିକ ବସ ପରିଚାଳନାରେ ମହିଳା ଚାଳକଙ୍କ ନିଯୁକ୍ତିକୁ ସେ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି ଅଭିହିତ କରିଥିଲେ। ସହରୀୟ ପରିବହନ କ୍ଷେତ୍ରରେ ମହିଳା ଚାଳକଙ୍କ ନିୟମିତ ନିଯୁକ୍ତି ମହିଳାଙ୍କ ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବ ବୋଲି ସେ ପ୍ରକାଶ କରିଥିଲେ। ସାଇକୋମେଟ୍ରିକ ମୂଲ୍ୟାୟନ ଓ ବ୍ୟବସ୍ଥିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନେଇ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହ ପ୍ରସ୍ତାବିତ ସହଯୋଗ ଓ ବୁଝାମଣାପତ୍ରକୁ ମଧ୍ୟ ବୈଠକରେ ପ୍ରଶଂସା କରାଯାଇଥିଲା। ଏହା ସାର୍ବଜନିକ ପରିବହନ ବ୍ୟବସ୍ଥାରେ ବୃତ୍ତିଗତ ଦକ୍ଷତା ବିକାଶ, ଆଚରଣମୂଳକ ପ୍ରଶିକ୍ଷଣ ଓ ସୁରକ୍ଷାମୂଳକ ପରିଚାଳନାକୁ ଆହୁରି ସୁଦୃଢ କରିବ ବୋଲି ମତ ପ୍ରକାଶ ପାଇଥିଲା।
ପରିଚାଳନା ନିର୍ଦ୍ଦେଶକ ସିଦ୍ଧିକ ଆଲାମ ବିସ୍ତୃତ ପ୍ରଗତି ରିପୋର୍ଟ ଉପସ୍ଥାପନ କରିଥିଲେ ଏବଂ ଗ୍ରହଣ କରାଯାଉଥିବା ବିଭିନ୍ନ ପରିଚାଳନା, ଭିତ୍ତିଭୂମି ଓ ପ୍ରତିଷ୍ଠାନଗତ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସମସ୍ତ ସମ୍ବନ୍ଧିତ ଅଧିକାରୀଙ୍କୁ ଭିତ୍ତିଭୂମି ପ୍ରକଳ୍ପର ସମୟୋପଯୋଗୀ ସମାପ୍ତି, ଇଲେକ୍ଟ୍ରିକ ମୋବିଲିଟି ବ୍ୟବସ୍ଥାର ଶୀଘ୍ର ବିସ୍ତାର, ସଡକ ସୁରକ୍ଷା ବ୍ୟବସ୍ଥାର ସୁଦୃଢୀକରଣ ଓ ନାଗରିକମୁଖୀ ଏବଂ ଆର୍ôଥକ ଭାବେ ସକ୍ଷମ ସହରୀୟ ପରିବହନ ସେବା ପ୍ରଦାନ ଉପରେ ନିରନ୍ତର ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।