ଭୁବନେଶ୍ୱର:୧/୬-ଆସନ୍ତା ୩ ତାରିଖରୁ ୫ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପୁରୀଠାରେ ଅନୁଷ୍ଠିତ ହେବ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ। ଏପରି ଏକ ଅନ୍ତର୍ଜାତୀୟ ବୈଠକ ଆମ ରାଜ୍ୟରେ ଏବଂ ବିଶେଷ ଭାବେ ପୁରୀଠାରେ ଅନୁଷ୍ଠିତ ହେବା ନିଶ୍ଚିତ ରୂପେ ଆମ ସଭିଙ୍କ ପାଇଁ ଗର୍ବର ବିଷୟ। ଜୁନ୍ ୪ ତାରିଖରେ ଏହାର ଉଦଘାଟନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ବ୍ରିକ୍ସ ରାଷ୍ଟ୍ରସମୂହଙ୍କ ସହ ଭାରତର ବିଭିନ୍ନ ରାଜ୍ୟର ପ୍ରତିନିଧି ଏବଂ ବିଶେଷଜ୍ଞବୃନ୍ଦ ଏହି ତିନିଦିନିଆ ବୈଠକରେ ଯୋଗ ଦେବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ ପାଇଁ ପୁରୀକୁ ଆୟୋଜନସ୍ଥଳୀ ଭାବେ ଚୟନ କରାଯାଇଛି। ପୁରୀ ଏକ ଉପକୂଳବର୍ତ୍ତୀ ଅଞ୍ଚଳ ଭାବେ ବାତ୍ୟା ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ବିପଦ ପ୍ରତି ସମ୍ବେଦନଶୀଳ ହୋଇଥିବା ବେଳେ ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଆଦର୍ଶ ଭାବେ ମଧ୍ୟ ପରିଚିତ। ୧୯୯୯ ମସିହାର ଭୟଙ୍କର ମହାବାତ୍ୟାରେ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିବା ସ୍ଥିତିରୁ ଓଡ଼ିଶା ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ପ୍ରସ୍ତୁତି, ପୂର୍ବାନୁମାନ ଓ ସତର୍କବାଣୀ ବ୍ୟବସ୍ଥା, ସ୍ଥାନାନ୍ତରଣ ଯୋଜନା, ଦୃଢ଼ ଭିତ୍ତିଭୂମି ଓ ସମୁଦାୟଭିତ୍ତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାରେ ନିରନ୍ତର ବିନିଯୋଗ ଫଳରେ ନିକଟ ଅତୀତର ବିଭିନ୍ନ ଭୟଙ୍କର ବାତ୍ୟା ସମୟରେ ପ୍ରାୟ ଶୂନ୍ୟ ପ୍ରାଣହାନୀ ସୁନିଶ୍ଚିତ କରାଯାଇପାରିଛି।
ରାଜ୍ୟ ସରକାର ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବାତ୍ୟା ପ୍ରସ୍ତୁତି ଏବଂ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସତର୍କବାଣୀ ପହଞ୍ଚାଇବା ବ୍ୟବସ୍ଥାକୁ ସୁଦୃଢ଼ କରିଆସିଛନ୍ତି, ଯାହା ଓଡ଼ିଶାକୁ ଉପକୂଳବର୍ତ୍ତୀ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଆଦର୍ଶ ଭାବେ ପରିଚିତ କରାଇଛି।
ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନସ୍ଥଳୀ ମଧ୍ୟ ଅଟେ। ପ୍ରତିବର୍ଷ ଏହି ମହାପର୍ବରେ ଏକ କୋଟିରୁ ଅଧିକ ଶ୍ରଦ୍ଧାଳୁ ସମାଗମ ହୋଇଥାନ୍ତି, ଯାହା ଅନେକ ସମୟରେ ତୀବ୍ର ଗ୍ରୀଷ୍ମପ୍ରବାହ ପରିସ୍ଥିତି ମଧ୍ୟରେ ଆୟୋଜିତ ହୁଏ। ସୁଦୃଢ଼ ପ୍ରସ୍ତୁତି, ସମନ୍ୱିତ ପ୍ରତିରୋଧକ ବ୍ୟବସ୍ଥା ଏବଂ ଦକ୍ଷ ଭିଡ଼ ପରିଚାଳନା ପ୍ରଣାଳୀ ମାଧ୍ୟମରେ ଏହି ବିଶାଳ ଧାର୍ମିକ ସମାବେଶକୁ ସୁରକ୍ଷିତ ଭାବେ ପରିଚାଳନା କରାଯାଉଛି।
ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପାଇଁ ପୁରୀରେ ଏହି ବୈଠକ ଆୟୋଜନ କରିବା ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଉପକୂଳୀୟ ପ୍ରତିରୋଧ କ୍ଷମତା, ଗୋଷ୍ଠୀଭିତ୍ତିକ ସକ୍ରିୟ ଅଂଶଗ୍ରହଣ ଏବଂ ବହୁମୁଖୀ ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥିବା ଶ୍ରେଷ୍ଠ ଅଭ୍ୟାସଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ଅବଲୋକନ କରିବାର ସୁଯୋଗ ପ୍ରଦାନ କରିବ। ଏହି ଚୟନ ଭାରତର ବ୍ରିକ୍ସ ସହଯୋଗ ଅଧୀନରେ ଜ୍ଞାନ ବିନିମୟ ଓ ଗୋଷ୍ଠୀଭିତ୍ତିକ ବିପର୍ଯ୍ୟୟ ପରିଚାଳନାର ବିସ୍ତାରଯୋଗ୍ୟ ମଡେଲ ଗୁଡ଼ିକର ପ୍ରସାର ପ୍ରତି ଥିବା ଲକ୍ଷ୍ୟ ସହ ସମ୍ପୂର୍ଣ୍ଣ ଭାବେ ସମନ୍ୱିତ ହୋଇପାରିବ।