ଭୁବନେଶ୍ୱର : ୧୫/୭-ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଥିବା କଳିଙ୍ଗ ଟିଭିର ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅତିଥିମାନେ କଳିଙ୍ଗ ଟିଭି ଏବଂ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆଭିମୁଖ୍ୟର ଭୂୟସୀ ପ୍ରଶଂସା କରିଥିଲେ। କଳିଙ୍ଗ ଟିଭି କେବଳ ଖବର ପ୍ରସାରଣ କରେ ନାହିଁ ବରଂ ଲୋକଙ୍କ ସ୍ୱରକୁ ସରକାର ଓ ପ୍ରଶାସନ ପାଖରେ ପହଞ୍ଚାଇ ସାମାଜିକ ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରି ଆସିଛି ବୋଲି ସେମାନେ କହିଛନ୍ତି। ଏହା ସହିତ କଳିଙ୍ଗ ଟିଭିର ଆଗାମୀ ଯାତ୍ରା ପାଇଁ ସେମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଶିଷ୍ଟ ଅତିଥି ଭାବେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ବିଧାୟକ ଡ. ଅରୁଣ କୁମାର ସାହୁ, ବଡବ୍ଲୁ ବିଜନେସ ୱାର୍ଲଡ ମିଡିଆ ଗୃପର ଚେୟାରମ୍ୟାନ ତଥା ଏଡିଟର ଇନ୍ ଚିଫ୍ ଡ. ଅନୁରାଗ ବତ୍ରା, ଟାଇମ୍ସ ଗୃପର ମ୍ୟାନେଜିଂ ଏଡିଟର ସମଶେର ସିଂହ ଯୋଗ ଦେଇଥିଲେ। ନିଜ ନିଜ ବକ୍ତବ୍ୟରେ ଅତିଥିମାନେ ଡ. ଅଚ୍ୟୁତ ସାମନ୍ତ ଏବଂ କଳିଙ୍ଗ ଟିଭି ସମ୍ପର୍କରେ ସକାରାତ୍ମକ ମତବ୍ୟକ୍ତ କରିବା ସହ ବହୁମୂଲ୍ୟ ପରାମର୍ଶ ଦେଇଥିଲେ । କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପଦେଷ୍ଟା ଉମାପଦ ବୋଷ ଏବଂ ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ । କଳିଙ୍ଗ ଟିଭି ପରିବାରର ସମସ୍ତ ସଦସ୍ୟ ଏବଂ ଶୁଭେଛୁ ଉପସ୍ଥିତ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ କଟକ ମେୟର ସୁବାସ ସିଂ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗ ଦେଇଥିଲେ। ଏହି ଅବସରରେ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ କର୍ମଚାରୀଙ୍କ କଲ୍ୟାଣ ପାଇଁ ଏକାଧିକ ବଡ଼ ଘୋଷଣା କରିଥିଲେ। ସଂସ୍ଥାର ୩୫୨ ଜଣ କର୍ମଚାରୀଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଗୃପ ଇନ୍ସୁରାନ୍ସ, ଷ୍ଟ୍ରିଞ୍ଜରମାନଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ପ୍ରତିବର୍ଷ ଷ୍ଟିଞ୍ଜର ମାନଙ୍କ ଭିତରୁ ୧୦ ପ୍ରତିଶତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ନେଇ ଘୋଷଣା କରିଥିଲେ।

ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣରେ କଳିଙ୍ଗ ଟିଭିର ଭିତ୍ତି, ଦର୍ଶନ ଓ ସମାଜ ପ୍ରତି ଦାୟିତ୍ୱକୁ ପ୍ରଶଂସା କରିଥିଲେ। ଡ. ଅଚ୍ୟୁତ ସାମନ୍ତ ଜଣେ ମୁକ୍ତଚେତା ବ୍ୟକ୍ତିତ୍ୱ ତାଙ୍କର ଆଧ୍ୟାତ୍ମିକତା, ମାନବିକତା ଓ ଜଗନ୍ନାଥ ସଂସ୍କୃତି ପ୍ରତି ଗଭୀର ନିଷ୍ଠାର ଉଚ୍ଚ ପ୍ରଶଂସା କରିଥିଲେ। ବରିଷ୍ଠ ସାମ୍ବାଦିକ ଅନୁରାଗ ବାତ୍ରା କହିଥିଲେ ସଫଳ ହେଲେ ଅହଙ୍କାର ନୁହେଁ, ବିନମ୍ରତା ରହିବା ଦରକାର। ବରିଷ୍ଠ ସାମ୍ବାଦିକ ସମଶେର ସିଂ କହିଥିଲେ, ଯେକୌଣସି ନ୍ୟୁଜ୍ ଚ୍ୟାନେଲର ପ୍ରକୃତ ଶକ୍ତି ହେଉଛନ୍ତି ତାର ରିପୋର୍ଟର ଓ ଫିଲ୍ଡ ଟିମ୍। ଡିଜିଟାଲ ଯୁଗରେ ମଧ୍ୟ ବିଶ୍ୱସନୀୟ ସାମ୍ବାଦିକତା ହିଁ ମିଡିଆର ସବୁଠାରୁ ବଡ଼ ଶକ୍ତି ବୋଲି ସେ କହିଥିଲେ। ଏହି ଅବସରରେ ସଂସ୍ଥାର ୧୨ ଜଣ ଶ୍ରେଷ୍ଠ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି କଳିଙ୍ଗ ଟିଭି ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ କଳିଙ୍ଗ ଟିଭି ବୁମର ନୂତନ ଲୋଗାକୁ ଉନ୍ମୋଚନ କରାଯାଇଥିଲା।