ଭୁବନେଶ୍ୱର : ୨୧ ଅକ୍ଟୋବର ୨୦୨୪
ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ପୌରସଂସ୍ଥାରେ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ବୈଠକରେ ପୌର ପ୍ରଶାସନ ନିର୍ଦେର୍ଶକ, ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, ୫ଟି ମହାନଗର ନିଗମର କମିଶନର, ସମସ୍ତ ପୌରପାଳିକା ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସମୀକ୍ଷା ସମୟରେ ଶ୍ରୀମତୀ ପାଢ଼ୀ ଜିଲା ପ୍ରଶାସନ ସହ ନିରନ୍ତର ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିବା ସହ ତୁରନ୍ତ ୨୪ ଘଣ୍ଟିଆ ନିୟନ୍ତ୍ରର କକ୍ଷ କାର୍ଯ୍ୟକ୍ଷମ କରିବାକୁ ନିର୍ଦେର୍ଶ ଦେଇଥିଲେ । ସମ୍ଭାବ୍ୟ ଆହ୍ୱାନର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସେ ସମସ୍ତ ପୌରସଂସ୍ଥାକୁ ଅନୁରୋଧ କରିଥିଲେ । ବିଶେଷକରି ଜଳ ଯୋଗାଣ, ବାତ୍ୟା ଓ ବିଶୁଦ୍ଧ ଜଳ ନିରବଚ୍ଛିନ୍ନ ଭାବେ ଉପଲବ୍ଧ କରାଇବାକୁ କହିଥିଲେ ।
ଜଳବନ୍ଦୀ ପରିଚାଳନା ପାଇଁ ତଳିଆ ଅଞ୍ଚଳରେ ବନ୍ୟା ରୋକିବା ଏବଂ ଏହାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ଶୀଘ୍ର ମୁକାବିଲା କରିବା ପାଇଁ ଉତ୍ସର୍ଗୀକୃତ ଟିମ୍ ଗଠନ କରିବା ସହ ନୋଡାଲ ଅଫିସରମାନଙ୍କୁ ହାଇ ଆଲର୍ଟରେ ରହିବା ଏବଂ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ନିର୍ଦେଶ ଦେଇଥିଲେ । ଶ୍ରୀମତୀ ପାଢ଼ୀ ଏହି କଠିନ ସମୟରେ ଅତ୍ୟାବଶ୍ୟକ ସେବା ବଜାୟ ରଖିବାକୁ କହିଥିଲେ ।
