ଅନିୟମତା ପାଇଁ ପ୍ରଧାନଶିକ୍ଷକ ନିଲମ୍ବିତ
ଭୁବନେଶ୍ୱର ;୨ ନଭେମ୍ବର ୨୦୨୪
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ସ୍ୱାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ-ପୋଷଣ ଅଭିଯାନ କାର୍ଯ୍ୟ କରୁଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଏଥିରେ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି l ଏହିକ୍ରମରେ ଆଜି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅଧିନସ୍ଥ ଟୋଲକାନି ଅଞ୍ଚଳର ଝାଡ଼େଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅନିୟମିତତାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ଦେହୁରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।
ଗତ କିଛି ଦିନ ହେଲା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସହ କେବଳ ଲୁଣ ଲଙ୍କା ଦିଆଯାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ହସ୍ତଗତ ହେବା ପରେ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତର ଫଳାଫଳ ଅନୁଯାୟୀ କାର୍ଯ୍ୟରେ ଅବହେଳା ଯୋଗୁଁ କାର୍ଯ୍ୟରତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।