ଉତ୍ତରାଞ୍ଚଳ ଆଇଜିଙ୍କ ତଦନ୍ତ ଆରମ୍ଭ
ସୁବର୍ଣ୍ଣପୁର: 6 ନଭେମ୍ବର 2024 (ଉଗ୍ରସେନ କର୍ମୀ) ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ଆଜି ସୁରକ୍ଷିତ ନୁହେଁ l ସରକାର ସାମ୍ବାଦିକମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ମନେ ହୁଏ l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲାରେ l ସାମ୍ବାଦିକ ମାଡ଼ ଖାଇବ ଓ ଗିରଫ ହେବ, ପୁଣି ସରକାରୀ ବାବୁଙ୍କ ଦ୍ୱାରା l କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଓ ଗିରଫ ପ୍ରତିବାଦରେ ଏସ୍.ୟୁ.ଜେ ପକ୍ଷରୁ ସୁବର୍ଣ୍ଣପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯାଇଛି l
ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣାକୁ ସାରା ରାଜ୍ୟର ସାମ୍ବାଦିକ ସଂଘଗୁଡିକ ନିନ୍ଦା କରିଛନ୍ତି l ସୁବର୍ଣ୍ଣପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ଦାବିପତ୍ର ଦିଆଯାଇଛି।ନ୍ୟୁଜ ୭ ର ଜିଲା ପ୍ରତିନିଧି ତଥା ଏସ୍.ୟୁ.ଜେର ସୁବର୍ଣ୍ଣପୁର ଜିଲା ସଭାପତି ଧୀରେନ୍ଦ୍ର ଦାନୀ ଗତ ୧ ତାରିଖରେ ଖବର ସଂଗ୍ରହ ପାଇଁ ସୋନପୁର ବ୍ଲକକୁ ଯାଇ ବିଡ଼ିଓ ସୌମ୍ୟରଞ୍ଜନ ସ୍ଵାଇଁଙ୍କ ଦ୍ଵାରା ଆକ୍ରମଣର ଶିକାର ହୋଇଥିଲେ l ସେ ରକ୍ତାକ୍ତ ଅବସ୍ଥାରେ ଥାନାକୁ ଯାଇ ବିଡିଓଙ୍କ ନାମରେ ଏତଲା ଦେଇଥିଲେ। ଚାରି ଦିନ ବିତିଯାଇଥିଲେ ମଧ୍ୟ ବିଡ଼ିଓଙ୍କୁ ପୁଲିସ ଗିରଫ କରିନାହିଁ l ନ୍ୟୁଜ ୭ର ପ୍ରତିନିଧିଙ୍କୁ ମାଡ଼ ମାରିଥିବା ବିଡ଼ିଓ ସୌମ୍ୟରଞ୍ଜନ ସ୍ଵାଇଁ ଏବେ କେଉଁଠି ଅଛନ୍ତି,କେଉଁ ଆଇନ ବଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସୋନପୁର ପୁଲିସ ଏକତରଫା ରାତି ଅଧିଆ ଉଠାଇ କୋର୍ଟ ଚାଲାଣ କରିଥିଲା, କୁଆଡେ଼ ଗଲେ ବିଡ଼ିଓ, ବିଡ଼ିଓ କେବେ ଗିରଫ ହେବେ ଏସବୁକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଅତିଶୀଘ୍ର ବିଡିଓ ସୌମ୍ୟରଞ୍ଜନ ସ୍ଵାଇଁଙ୍କୁ ଗିରଫ ଓ ତାଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଏସ୍.ୟୁ.ଜେ ଦାବି କରିଛି। ଅତିଶୀଘ୍ର ବିଡିଓଙ୍କୁ ଗିରଫ କରାନଗଲେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଏସ୍.ୟୁ.ଜେ ପକ୍ଷରୁ କୁହାଯାଇଛି
ଅନ୍ୟପକ୍ଷରେ ଏହି ମାମଲାରେ ଗତକାଲି ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ ସୁବର୍ଣ୍ଣପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ସେ ବ୍ଲକ କର୍ମଚାରୀ ଜିଲା ସଦର ମହକୁମାର କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆଇଜି ଏଠାରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିବା ପରେ ବ୍ଲକ ଅଞ୍ଚଳର ସମସ୍ତ ବର୍ଗର କର୍ମଚାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ବ୍ଲକ ଇଞ୍ଜିନିୟରର୍ସ ସଂଘ ଆଦି ଜିଲା ପୁଲିସ ମୁଖ୍ୟାଳୟରେ ପହଞ୍ଚି ବିଡିଓଙ୍କ ସମର୍ଥନରେ ମତ ଦେଇଥିବା ସୂଚନା ମିଳିଛି। ବିଡିଓଙ୍କୁ ସମର୍ଥନ କରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ବର୍ଗର ସରକାରୀ କର୍ମଚାରୀ ଆଇଜିଙ୍କ ତଦନ୍ତର ସମୁଖୀନ ହେବା ଆଲୋଚନା ହେଉଛି । ସାମ୍ୱାଦିକଙ୍କ ସମର୍ଥନରେ ସୁବର୍ଣ୍ଣପୁର ଜିଲାପାଳଙ୍କ ଅଫିସ ଆଗ ରେ ସାମୂହିକ ଆନ୍ଦୋଳନ ହୋଇଥିବା ବେଳେ ଆଜି ସୁନ୍ଦରଗଡ଼ ଜିଲାରେ ମଧ୍ୟ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିବା ଜଣାପଡ଼ିଛି l