ଭୁବନେଶ୍ୱର: 23.11.2024 ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ କରିଛି ଯାଜପୁର ଟାଉନ ଥାନା ପୁଲିସ । ଏସଡିଜେଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଯାଜପୁର ଜେଲକୁ ପଠାଇ ଦିଆଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ବିରଜା ହାଟରେ ହୋଇଥିବା ହାତାହାତି ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ବିଏନସି ଧାରା ୧୧୫(୨), ୨୯୬, ୩(୫), ୩୦୩(୨), ୩୨୪(୪)ରେ ମାମଲା ରୁଜୁ ହୋଇଛି।


22 ତାରିଖ ବିଳମ୍ବିତ ରାତିରେ ପୁଲିସ ଭବଙ୍କୁ ଘରୁ ଉଠାଇ ଆଣିଥିଲା । ଡାକ୍ତରଖାନାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଏସଡିଜେଏମଙ୍କ ବାସଭବନକୁ ନିଆଯାଇଥିଲା । କୋର୍ଟ ଛୁଟି ଥିବାରୁ ଏସଡିଜେଏମ ବାସଭବନରେ ଜାମିନ ଆବେଦନର ଶୁଣାଣି କରି ତାକୁ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ତାଙ୍କୁ ଯାଜପୁର ସବ ଜେଲକୁ ପଠାଇ ଦିଆଯାଇଛି ।
ବୁଧବାର ସଂଧ୍ୟାରେ ଯାଜପୁର-କୁଆଖାଇ ରାସ୍ତାର ବୁଢ଼ାଘାଟଠାରେ ବିରଜା ହାଟ ଖୋଲିବା ପ୍ରତିବାଦରେ ଶତାଧିକ ବିଜେଡି କର୍ମୀ ଟାୟାର ଜାଳି ରାସ୍ତାରୋକ କରିଥିଲେ। ସେତିକିବେଳେ ବିଧାୟକ ଶ୍ରୀ ସାହୁ ଯାଜପୁର ଯାଉଥିଲେ । ତାଙ୍କ ଗାଡ଼ି ସେଇ ଭିଡ଼ ଅତିକ୍ରମ କରୁଥିବା ବେଳେ କିଛି ଆନ୍ଦୋଳନକାରୀ ଯୁବକ ଗାଡ଼ି ଆଡ଼କୁ ମାଡ଼ି ଆସି ଟେକାପଥର ମାଡ଼ କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଗାଡ଼ିର କାଚ ଭାଙ୍ଗି ବିଧାୟକଙ୍କୁ ଟଣାଓଟଣା କରିଥିଲେ। ମାଡ଼ ମାରିଥିବା ବି ଅଭିଯୋଗ ହୋଇଥିଲା। ସେଠାରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ଭବଙ୍କ ନେତୃତ୍ୱରେ ବିଜେଡି ସମର୍ଥକମାନେ ଥାନା ଘେରାଉ କରିଥିଲେ ।
ଗୁରୁବାର ସକାଳେ ମା’ ବିରଜା ହାଟକୁଆସିଥିବା ଚାଷୀ ଏବଂ ବ୍ୟବସାୟୀଙ୍କୁ ଭବ ଏବଂ ତାଙ୍କ ସମର୍ଥକମାନେ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।
ଏହିସବୁ ଘଟଣାକୁ ନେଇ ହୋଇଥିବା ମାମଲାରେ ଏ ପର୍ଯ୍ୟନ୍ତ ୧୪ ଜଣ ଗିରଫ କରାଯାଇଥିଲା। କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଯାଜପୁରରେ ପହଞ୍ଚି ଏକ ସାମ୍ବାଦିକ ସମ୍ମିଳନୀ କରି ରାସ୍ତାରୋକ, ବିଧାୟକଙ୍କୁ ଆକ୍ରମଣ, ଥାନା ଘେରାଉ ଏବଂ ହାଟ ବ୍ୟବସାୟୀଙ୍କୁ ଦୁର୍ବବ୍ୟହାର ଆଦି ଘଟଣାରେ ସଂପୃକ୍ତ କାହାରିକୁ ଛଡ଼ାଯିବ ନାହିଁ ବୋଲି କହିଥିଲେ ।