ନଭେମ୍ବର ଶେଷ ସୁଦ୍ଧା ୫୦ ହଜାର କର୍ମଚାରୀ ସାମିଲ
ଭୁବନେଶ୍ୱର:-୩୦ .୧୧ .୨୦୨୪ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର୍ମଚାରୀରୁ କର୍ମଯୋଗୀ ପର୍ଯ୍ୟନ୍ତ ଦୃଷ୍ଟିକୋଣ ଆଧାରରେ ‘ମିଶନ କର୍ମଯୋଗୀ’ କାର୍ଯ୍ୟକ୍ରମରେ ୨୦୨୪ ନଭେମ୍ବର ଶେଷ ସୁଦ୍ଧା ଓଡ଼ିଶା ସରକାରଙ୍କ ପ୍ରାୟ ୫୦ ହଜାର କର୍ମଚାରୀ ଓ ପ୍ରାୟ ସମସ୍ତ ବିଭାଗ ଇଣ୍ଟିଗ୍ରେଟେଡ୍ ଗଭର୍ଣ୍ଣମେଣ୍ଟ ଅନଲାଇନ୍ ଟ୍ରେନିଂ(ଆଇଜିଓଟି) ପ୍ଲାଟଫର୍ମରେ ସାମିଲ ହୋଇଛନ୍ତି ।
ଆଇଜିଓଟି ପ୍ଲାଟଫର୍ମ ବ୍ୟକ୍ତିଗତ ଶିକ୍ଷାରେ ଉନ୍ନତି ପାଇଁ ଏକ ଦୃଢ଼ ଡିଜିଟାଲ ଢାଞ୍ଚା ଏବଂ ଏହା ବ୍ୟବହାରକାରୀଙ୍କ ଦକ୍ଷତା ସୁଦୃଢ କରିଥାଏ । ଏହି ପ୍ଲାଟଫର୍ମର ଉପଯୋଗ କରି ଓଡ଼ିଶା ଏକ ବ୍ୟାପକ ଶିକ୍ଷଣ ଇକୋସିଷ୍ଟମ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଯାହା ଜନସେବା ପ୍ରଦାନରେ ବୃଦ୍ଧି ଘଟାଇବ ଏବଂଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ସଙ୍ଗେ ସଙ୍ଗେ ନାଗରିକମାନେ ଯେପରି ସନ୍ତୋଷଜନକ ସେବା ପାଇବେ ତାହା ସୁନିଶ୍ଚିତ କରିବ।

ଓଡ଼ିଶାରେ ଆଇ-ଜିଓଟି ପ୍ଲାଟଫର୍ମ ଜରିଆରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଲୋକସେବା ଭବନରେ ସମୀକ୍ଷା କରିଥିଲେ। ଏହି ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ, ସେଣ୍ଟର ଫର ମଡର୍ଣାଇଜିଂ ଗଭର୍ଣ୍ଣାନ୍ସ ଇନିସିଏଟିଭ୍ (ସିଏମଜିଆଇ)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ସତ୍ୟ ରଥଙ୍କ ସମେତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଓଡ଼ିଶା ସରକାର, ଦକ୍ଷତା ବିକାଶ ଆୟୋଗ ଓ କର୍ମଯୋଗୀ ଭାରତ ମଧ୍ୟରେ ୨୩ ଅକ୍ଟୋବର ୨୦୨୪ରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ‘ମିଶନ କର୍ମଯୋଗୀ’ କାର୍ଯ୍ୟକାରୀ କରିବା ପାଇଁ ନୋଡାଲ ଏଜେନ୍ସି ଭାବେ ମନୋନୀତ ହୋଇ ସମସ୍ତ ବିଭାଗର ନୋଡାଲ ଅଧିକାରୀଙ୍କ ପାଇଁ କର୍ମଶାଳା ଆୟୋଜନ କରିଥିଲା । ଆଇଜିଓଟି ପ୍ଲାଟଫର୍ମରେ ଅନବୋର୍ଡିଂ( ପଞ୍ଜିକରଣ ସହିତ ପ୍ରଶିକ୍ଷଣ ପାଇଁ ତଥ୍ୟ ସଂଗ୍ରହ) ବ୍ୟବସ୍ଥା ସଂପର୍କରେ ‘କର୍ମଯୋଗୀ ଭାରତ’ର ଅଧିକାରୀମାନଙ୍କ ସହିତ ଅନୁଷ୍ଠିତ ଅଧିବେଶନରେ ପର୍ଯ୍ୟାୟକ୍ରମେ ପରାମର୍ଶ ଦିଆଯାଇଥିଲା।
ଏହି ଅନ୍ ବୋର୍ଡିଂ ପ୍ରକ୍ରିୟା ଜାରି ରହିଛି ଏବଂ ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ୪ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ଆଶା କରାଯାଉଛି।ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଏକ ଶାଖା ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସ, ଓଡ଼ିଶା (ସିଜିଜିଓ) ପକ୍ଷରୁ ଲୋକସେବା ଭବନ ଓ ଖାରବେଳ ଭବନଠାରେ ତଥ୍ୟ ଯାଞ୍ଚ ଓ ପଞ୍ଜିକରଣ କ୍ଷେତ୍ରରେ ବିଭାଗଗୁଡ଼ିକୁ ସହାୟତା କରିବା ପାଇଁ ସହାୟତା ଡେସ୍କ ଖୋଲାଯାଇଛି।
ପ୍ରତ୍ୟେକ ସରକାରୀ ଅଧିକାରୀଙ୍କୁ ଏହି ବ୍ୟବସ୍ଥା ମାଧ୍ୟମରେ ବାଧ୍ୟତାମୂଳକ ପ୍ରଶିକ୍ଷଣ ଦେବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି ।ଏହି ପ୍ରକ୍ରିୟା ପ୍ରତ୍ୟେକ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବ, ଯାହା ସରକାରଙ୍କ ସେବା ପ୍ରଦାନ ଏବଂ କାର୍ଯ୍ୟରେ ଉନ୍ନତି ଆଣିବାରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।