ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୧୦ଟି ଉତ୍ସବ
ଭୁବନେଶ୍ୱର 9.12.୨୦୨୪-ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଉଛନ୍ତି।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଥିଲେ। ସମୀକ୍ଷାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି। ବିଶ୍ୱ ଦରବାରରେ ଓଡିଶାକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ଉପରେ ଅତ୍ୟନ୍ତ ଗୁରୁତ୍ବ ଆରୋପ କରୁଛନ୍ତି। ତେଣୁ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରି ସମଗ୍ର ବିଶ୍ୱ ଦରବାରରେ ଓଡିଶାର ଭାବମୂର୍ତ୍ତୀକୁ ଉଜ୍ଜଳ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ବିଶେଷକରି ସହରର ସ୍ବଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଭୁବନେଶ୍ବରର ସ୍ବଚ୍ଛତା ଅନ୍ତର୍ଜାତୀୟ ସ୍ତରର ହେବା ଆବଶ୍ୟକ ବୋଲି ସେ କହିଥିଲେ ।
ସମୀକ୍ଷାରୁ ଜଣାଯାଇଛି ଯେ ପ୍ରଥମ ଦିନ ଜାନୁଆରୀ ୮ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଦ୍ବିତୀୟ ଦିନ ଜାନୁଆରୀ ୯ ତାରିଖରେ ପ୍ରଧାନମନ୍ତ୍ରୀ ଓ ଶେଷ ଦିନ ଜାନୁଆରୀ ୧୦ ତାରିଖରେ ରାଷ୍ଟ୍ରପତି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

କାର୍ଯ୍ୟକ୍ରମରେ ‘Unraveling India’s Best Kept Secret’ ଏବଂ ‘Odisha – the Land of Opportunities’ ଆଦି ବିଷୟ ଉପରେ Plenary Session ଅନୁଷ୍ଠିତ ହେବ। ଏହା ସହିତ ଓଡିଶାର ଐତିହାସିକ ଗୌରବ, କଳା, ଭାସ୍କର୍ଯ୍ୟ, ସଂଗୀତ, ନୃତ୍ୟ, ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ, ପର୍ଯ୍ୟଟନ ସ୍ଥାନ ଆଦି ବିଭିନ୍ନ ବିଷୟ ଉପରେ ଡିଜିଟାଲ ଓ ଅନ୍ୟାନ୍ୟ ମାଧ୍ୟମରେ ଉପସ୍ଥାପନ କରାଯିବ। ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଓଡିଶାର ଭିଜନକୁ ମଧ୍ୟ ପ୍ରଦର୍ଶନ କରାଯିବ।
ଏହି ସମୟରେ ଭୁବନେଶ୍ବରରେ ପ୍ରାୟ ୧୦ଟି ମହୋତ୍ସବ ଆୟୋଜିତ ହେବ। ଏହିସବୁ ଉତ୍ସବ ଗୁଡିକ ହେଉଛି – ରାଜାରାଣୀ ମ୍ୟୁଜିକ ଫେଷ୍ଟିଭାଲ ( ଜାନୁଆରୀ ୭-୧୧), ମୁକ୍ତେଶ୍ଵର ଡ୍ୟାନ୍ସ ଫେଷ୍ଟିଭାଲ (ଜାନୁଆରୀ ୭-୧୧), ଇଣ୍ଟରନ୍ୟାସନାଲ ଓଡିଶୀ ଡ୍ୟାନ୍ସ ଫେଷ୍ଟିଭାଲ (ଜାନୁଆରୀ ୭-୧୧), ଆଦିବାସୀ ନୃତ୍ୟ ଓ ଲୋକକଳା ଫେଷ୍ଟିଭାଲ (ଜାନୁଆରୀ ୭-୧୧), ଆଦିବାସୀ ମେଳା (ଜାନୁଆରୀ ୫-୧୫), ଚିଲିକା ବାର୍ଡ ଫେଷ୍ଟିଭାଲ (ଜାନୁଆରୀ ୬-୧୨), ଫ୍ଲାୱାର ସୋ (ଜାନୁଆରୀ ୭-୧୧), ଫୁଡ୍ ଫେଷ୍ଟ (ଜାନୁଆରୀ ୮-୧୦) ଓ ନାଇଟ୍ ଫ୍ଲି ମାର୍କେଟ (ଜାନୁଆରୀ ୮-୧୦)।
ଏହି କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ବରର ସମସ୍ତ ରାସ୍ତାଘାଟର ନବୀକରଣ, ଆଲୋକୀକରଣ, ଆକର୍ଷଣୀୟ ସାଜସଜ୍ଜା ସହିତ ଅତିଥି ମାନଙ୍କ ପାଇଁ ହୋଟେଲ ବୁକିଂ ଆଦି ଜାରି ରହିଛି । ପର୍ଯ୍ୟଟନ ସ୍ଥାନ ଗୁଡିକର ସୌନ୍ଦର୍ଯ୍ୟକରଣ କରାଯାଉଛି। ଭୁବନେଶ୍ବର, ପୁରୀ, କୋଣାର୍କ, ଯାଜପୁର ଆଦି ବିଭିନ୍ନ ସହରରେ ୨୮ଟି ପର୍ଯ୍ୟଟନ ସ୍ଥଳୀକୁ ଅତିଥି ମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରାୟ ୭୫୦୦ ଡେଲିଗେଟ୍ ଯୋଗ ଦେବାର ସମ୍ଭାବନା ରହିଛି । ଅତିଥିମାନଙ୍କ ପାଇଁ ୩୭୦୦ରୁ ଅଧିକ ରୁମ୍ ବୁକିଂ କରାଯାଇଥିବା ବେଳେ, କେତେକ ସ୍ଥାନରେ ହୋମ୍ ଷ୍ଟେର ବ୍ୟବସ୍ଥା ମଧ୍ୟ କରାଯାଇଛି।