-ପାଞ୍ଚ ହଜାର ଗୃହରକ୍ଷୀ ପଦବୀ ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
-ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବୃଦ୍ଧି ନିଷ୍ପତ୍ତି
ଭୁବନେଶ୍ୱର:12.12.2024-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ପାଇଁ ‘Emergency Response Support System(ERSS)’ ଯୋଜନାରେ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି। ERSS ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଯୋଜନା। ଦିଲ୍ଲୀର ନିର୍ଭୟା କାଣ୍ଡ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ।
ପୁଲିସ କମିଶନରେଟ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ୩୦ଟି ନୂଆ ଯାନ ପୁଲିସଙ୍କ କାର୍ଯ୍ୟ ଦକ୍ଷତାକୁ ସୁଦୃଢ କରିବ। ଏଗୁଡିକ ସାଧାରଣ ଗାଡି ନୁହେଁ। ଏଗୁଡିକ ହେଉଛି ଗୋଟିଏ ଗୋଟିଏ ସୁରକ୍ଷା ରଥ। ଏହା ହେଉଛି ନ୍ୟାୟର, ଶୃଙ୍ଖଳାର, ଭୟମୁକ୍ତ ବାତାବରଣର ଓ ଅପରାଧମୁକ୍ତ ସମାଜର ପ୍ରତୀକ। ଏହି ଗାଡିଗୁଡିକ ଯେତିକି ଗଡିବ ଲୋକମାନେ ସେତିକ ନ୍ୟାୟ ପାଇବେ ଓ ସେମାନଙ୍କ ଆତ୍ମବିଶ୍ୱାସ ବଢିବ।

ପୁଲିସ ବାହିନୀକୁ ଆହୁରି ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ୍ ଶୀଘ୍ର ପୂରଣ କରାଯିବ। ଗୃହରକ୍ଷୀମାନେ ହେଉଛନ୍ତି ପୁଲିସର ଏକ ଅଭିନ୍ନ ଅଙ୍ଗ। ଆମ ରାଜ୍ୟରେ ଗୃହରକ୍ଷୀମାନେ ବହୁତ ଭଲ କାମ କରୁଛନ୍ତି। ୨୦୨୦ ଠାରୁ ଗୃହରକ୍ଷୀ ନିଯୁକ୍ତି ଉପରେ ଯେଉଁ କଟକଣା ଲଗା ଯାଇଥିଲା ତାହାକୁ ଉଠାଇ ଦିଆଯାଇଛି। ଖୁବଶୀଘ୍ର ଖାଲିଥିବା ୨୪୧୬ଟି ପଦବୀ ସହିତ ୨୫୮୪ଟି ନୂତନ ପଦବୀ ସୃଷ୍ଟି କରାଯିବ। ସମୁଦାୟ ୫ ହଜାର ଗୃହରକ୍ଷୀ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥି ସହିତ ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ।
ERSS ଯୋଜନାରେ ଆଜି ପୁଲିସ କମିଶନରେଟରେ ଲୋକାର୍ପିତ ହୋଇଥିବା ୩୦ଟି ଯାନ ମଧ୍ୟରୁ ଭୁବନେଶ୍ୱର ସହର ପାଇଁ ୨୨ଟି ଏବଂ କଟକରେ ୮ଟି ଗାଡି କାର୍ଯ୍ୟ କରିବ। ପୂର୍ବରୁ ଅଚଳ ହୋଇଥିବା PCR ଗାଡିଗୁଡିକ ବଦଳରେ ଏହି ନୂତନ ଯାନ ମଧ୍ୟ କାର୍ଯ୍ୟ କରିବ। ଏହି ERSS ଯୋଜନା ଦ୍ୱାରା ପୁଲିସ ବ୍ୟବସ୍ଥାର ସୁଦୃଢିକରଣ ହେବା ସହ ସୁରକ୍ଷା ବାତାବରଣ ସୃଷ୍ଟି ହେବ। ଏଥି ସହିତ ଆଗାମୀ ଦିନରେ ପେଟ୍ରୋଲିଂ, ଅପରାଧୀ ଏବଂ ପୀଡିତଙ୍କ ପାଖରେ ତୁରନ୍ତ ପହଞ୍ଚିବା ପାଇଁ ପୁଲିସକୁ ହାଇ ସ୍ପିଡ ଗାଡି ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।
ରାଜ୍ୟ ସରକାର ପୁଲିସର ସାମର୍ଥ୍ୟ ଓ ଶକ୍ତି ବୃଦ୍ଧି ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ସମାଜରେ ଲୋକମାନଙ୍କ ପାଇଁ ଆପଣମାନେ ଜଣେ ଜଣେ ସାହାଯ୍ୟକାରୀ ବନ୍ଧୁ ଭାବେ କାମ କରି ପୁଲିସର ଭାବମୂର୍ତ୍ତୀ ଆହୁରି ଉଚ୍ଚ ସ୍ତରକୁ ନିଅନ୍ତୁ।
କାର୍ଯ୍ୟକ୍ରମରେ ପୁଲିସ ମହା ନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ବାତ୍ୟା ଦାନା ସମୟରେ ଆମର ଏହି ERSS ଯାନ ଗୁଡିକ ଲୋକମାନଙ୍କୁ ପ୍ରଶଂସନୀୟ ସେବା ଯୋଗାଇ ଦେଇଛି। ଏହି ନୂତନ ଯାନ ଗୁଡିକ ଭୁବନେଶ୍ୱର-କଟକ ଜନସାଧାରଣଙ୍କୁ ଉପଯୁକ୍ତ ଓ ତ୍ୱରିତ ସେବା ଯୋଗାଇଦେବ। କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଦୟାଲ ଗଙ୍ଗୱାର ଉପସ୍ଥିତ ଥିଲେ। ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ ଧନ୍ୟବାଦ ଦେଇଥିଲେ।