ଭୁବନେଶ୍ୱର: 26/12/2024 ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 2025 ଇଂରାଜୀ ନୂଆବର୍ଷ ପାଇଁ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ ଏବଂ ଡେସ୍କ) ପ୍ରକାଶ ପାଇଛି।
କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି। ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଡେସ୍କ କ୍ୟାଲେଣ୍ଡରରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ ହୋଇଛି। ସେହିପରି ସାତ ପୃଷ୍ଠା ବିଶିଷ୍ଟ ୱାଲ କ୍ୟାଲେଣ୍ଡରରେ ରଥାରୂଢ଼ ମହାପ୍ରଭୁଙ୍କ ଭବ୍ୟ ଚିତ୍ରମାନ ସ୍ଥାନିତ ହୋଇଅଛି। ଇଂରାଜୀ ନୂଆବର୍ଷରେ ପୁରୀ ଓ ଭୁବନେଶ୍ୱର ସ୍ଥିତ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଗୁଡିକରେ ଏହି କ୍ୟାଲେଣ୍ଡର ଶ୍ରଦ୍ଧାଳୁମାନଙ୍କ ପାଇଁ ବିକ୍ରୟ ସକାଶେ ଉପଲବ୍ଧ ହେବ।
ଲୋକସେବା ଭବନରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଆଇନ ବିଭାଗ ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।
