• About
  • Contact
Monday, April 20, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

Share on FacebookShare on TwitterShare on Whatsapp

• “ପ୍ରବାସୀ ଭାରତୀୟ ଏକ୍ସପ୍ରେସ”ସ୍ୱତନ୍ତ୍ର ରେଳଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
• ପ୍ରବାସୀ ଭାରତୀୟ ଦିବସ,ଭାରତଏବଂ ପ୍ରବାସୀଙ୍କ ମଧ୍ୟରେ ବନ୍ଧନକୁ ସୁଦୃଢ଼ କରୁଛି
• ଭାରତ ଶାନ୍ତିପୂର୍ଣ୍ଣ ସହାବସ୍ଥାନରେ ବିଶ୍ୱାସ କରେ
• “ଭାରତ କେବଳ ଗଣତନ୍ତ୍ରର ଜନନୀ ନୁହେଁ ବରଂ ଗଣତନ୍ତ୍ର ଭାରତୀୟ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ”
• ଏକବିଂଶ ଶତାବ୍ଦୀର ଭାରତ ଅବିଶ୍ୱସନୀୟ ଗତିରେ ଅଗ୍ରଗତି କରୁଛି
• ଆଜିର ଭାରତ ଦକ୍ଷିଣ ବିଶ୍ୱର ସ୍ୱରକୁ ଦୃଢ଼ଭାବରେ ଉପସ୍ଥାପିତ କରିପାରୁଛି

ଭୁବନେଶ୍ୱର:୦୯/୦୧-ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି। ଏହି ତ୍ରି-ଦିବସୀୟ ସମ୍ମିଳନୀର ପ୍ରଥମ ଦିନ ଜାନୁଆରୀ ୮ ତାରିଖରେ“ଯୁବ ପ୍ରବାସୀ ଭାରତୀୟ ଦିବସ” ଅନୁଷ୍ଠିତହୋଇଥିଲା।ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ(ଆଇସିସିଆର)ର ସଂଗୀତଜ୍ଞ ଓ କଳାକାରମାନଙ୍କ ଦ୍ୱାରା ଥିମ ସଂଗୀତ ପରିବେଷଣ ମଧ୍ୟରେ ଆଜି ଦ୍ୱିତୀୟ ଦିବସରେ ଏହି ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା। ଆଜିର ଉଦଘାଟିତ ସମ୍ମିଳନୀରେ ତ୍ରିନିଦାଦ୍ ଓ ଟବାଗୋଗଣ ରାଜ୍ୟରରାଷ୍ଟ୍ରପତି କ୍ରିଷ୍ଟିନ୍ କାର୍ଲା କାଙ୍ଗାଲୁ ଆଭାସୀ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା ଜଣାଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ.ଏସ୍. ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ,ଜୁଏଲ ଓରାମ, ଶୋଭାକରାଣ୍ଡଲାଜେ, କୀର୍ତ୍ତିବର୍ଦ୍ଧନ ସିଂହ, ପବିତ୍ର ମାର୍ଗେରିଟା, ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ବିଶ୍ୱର ବିଭିନ୍ନ ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଦଘାଟନୀ ସଂଗୀତ ପରିପ୍ରେକ୍ଷୀରେ କହିଥିଲେ ଯେ, ଏହି ସଂଗୀତ ଭବିଷ୍ୟତରେ ବିଶ୍ୱର ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ବାଜିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଭାରତୀୟ ପ୍ରବାସୀ ଲୋକଙ୍କ ଭାବନାକୁ ଆକର୍ଷଣୀୟ କରିଥିବା ଚମତ୍କାର ପରିବେଷଣ ପାଇଁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଭିଡିଓ ବାର୍ତ୍ତା ଦେଇଥିବା ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟର ରାଷ୍ଟ୍ରପତିଙ୍କୁ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ତାଙ୍କର ସ୍ନେହପୂର୍ଣ୍ଣ ଅଭିଭାଷଣ ଏବଂଭାରତର ପ୍ରଗତି ବିଷୟରେ ଦେଇଥିବା ବକ୍ତବ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ। ଏହା ଉପସ୍ଥିତ ସମସ୍ତଙ୍କୁ ପ୍ରଭାବ ପକାଇବ ବୋଲି ସେ ପ୍ରକାଶ କରିଥିଲେ।

ଭାରତରେ ଏବେ ବିଭିନ୍ନ ଉତ୍ସବର ଆନନ୍ଦମୟ ପରିବେଶ ଏବଂ ସମାବେଶର ସମୟ ଆସିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, କିଛି ଦିନ ମଧ୍ୟରେ ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହେବ ଏବଂ ମକର ସଂକ୍ରାନ୍ତି, ଲୋହରୀ, ପୋଙ୍ଗଲ ଏବଂ ମାଘ ବିହୁ ପର୍ବ ମଧ୍ୟ ଆସୁଛି। ଜାତିର ଜନକ ମହାତ୍ମା ଗାନ୍ଧୀ ଦୀର୍ଘ ଦିନ ବିଦେଶରେ ରହିବା ପରେ ୧୯୧୫ ମସିହାରେ ଆଜିର ଦିନରେ ଭାରତ ଫେରିଥିଲେ ବୋଲି ମନେ ପକାଇ ଶ୍ରୀ ମୋଦି କହିଥିଲେ, ସବୁଠି ଉତ୍ସବମୟ ସମୟରେ ଗାନ୍ଧିଜୀଙ୍କ ଆଗମନ ଉତ୍ସବର ଉତ୍ସାହକୁ ଆହୁରି ବୃଦ୍ଧି କରିଥିଲା। ପ୍ରବାସୀ ଭାରତୀୟ ଦିବସର ଏହି ସଂସ୍କରଣ ଅନ୍ୟ ଏକ କାରଣ ପାଇଁ ସ୍ୱତନ୍ତ୍ର ଥିଲା ବୋଲି ଉଲ୍ଲେଖ କରି ସେ କହିଥିଲେ, ଏହି କାର୍ଯ୍ୟକ୍ରମ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀର କିଛି ଦିନ ପରେ ଅନୁଷ୍ଠିତ ହୋଇଛି , ଯାହାଙ୍କ ଦୃଷ୍ଟିକୋଣ ପ୍ରବାସୀ ଭାରତୀୟ ଦିବସ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। “ପ୍ରବାସୀ ଭାରତୀୟ ଦିବସ, ଭାରତ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବନ୍ଧନକୁ ସୁଦୃଢ଼ କରିବା ପାଇଁ ଏକ ଅନୁଷ୍ଠାନ ପାଲଟିଛି”। ଶ୍ରୀ ମୋଦି କହିଥିଲେ ଯେ, ଆମେ ଏକାଠି ଭାରତ, ଭାରତୀୟତା, ଆମର ସଂସ୍କୃତି ଏବଂ ପ୍ରଗତିକୁ ଏହାର ମୂଳରେ ରହିଥିବା ପ୍ରତ୍ୟେକଙ୍କୁ ଯୋଡ଼ିବା ସହିତ ପାଳନ କରୁଛୁ।

ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଥିଲେ, ଯେଉଁଠାରେ ଆମେ ଏକତ୍ରିତ ହୋଇଛୁ ଏହି ଓଡ଼ିଶା ହେଉଛି ଜଗନ୍ନାଥଙ୍କ ମହାନ ଭୂମି। ଏହା ଭାରତର ସମୃଦ୍ଧ ଐତିହ୍ୟର ପ୍ରତିଫଳନ। ପ୍ରତ୍ୟେକ ପଦକ୍ଷେପରେ ଆମେ ଓଡ଼ିଶାରେ ଆମର ଐତିହ୍ୟ ଦେଖିପାରିବା। ଉଦୟଗିରି ଏବଂ ଖଣ୍ଡଗିରିର ଐତିହାସିକ ଗୁମ୍ଫା, କୋଣାର୍କର ଭବ୍ୟ ସୂର୍ଯ୍ୟ ମନ୍ଦିର କିମ୍ବା ତାମ୍ରଲିପ୍ତି, ମାଣିକପାଟଣା ଏବଂ ପାଲୁରର ଭଳି ପ୍ରାଚୀନ ବନ୍ଦର ପରିଦର୍ଶନ କଲେ ସମସ୍ତେ ଗର୍ବରେ ଉତଫୁଲ୍ଲିତ ହେବେ। ଶହ ଶହ ବର୍ଷ ପୂର୍ବେ ଓଡ଼ିଶାର ବ୍ୟବସାୟୀ ଏବଂ ବଣିକମାନେ ବାଲି, ସୁମାତ୍ରା ଏବଂ ଜାଭା ଭଳି ସ୍ଥାନକୁ ଦୀର୍ଘ ସାମୁଦ୍ରିକ ଯାତ୍ରା କରିଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଲିଯାତ୍ରା ଆଜି ମଧ୍ୟ ଓଡ଼ିଶାରେ ଏହାର ସ୍ମୃତି ବହନ କରି ପାଳିତ ହୋଇଆସୁଛି। ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥଳ ଧଉଳି ସ୍ତୁପ ଶାନ୍ତିର ପ୍ରତୀକ। ବିଶ୍ୱ ତରବାରୀର ଶକ୍ତି ମାଧ୍ୟମରେ ସାମ୍ରାଜ୍ୟ ବିସ୍ତାର କରୁଥିବା ସମୟରେ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ପଥ ବାଛିଥିଲେ। ଏହି ଐତିହ୍ୟ ଭାରତକୁ ବିଶ୍ୱକୁ କହିବାକୁ ପ୍ରେରଣା ଦିଏ ଯେ ଭବିଷ୍ୟତ ଯୁଦ୍ଧରେ ନୁହେଁ, ଶାନ୍ତିରେ ଅଛି। ଭାରତ ଶାନ୍ତିରେ ବିଶ୍ୱାସ କରେ। ତେଣୁ ସମସ୍ତଙ୍କୁ ଓଡ଼ିଶା ଭୂମିରେ ସ୍ୱାଗତ କରିବା ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ ଯେ, ସେ ସର୍ବଦା ପ୍ରବାସୀ ଭାରତୀୟଙ୍କୁ ଭାରତର ରାଷ୍ଟ୍ରଦୂତ ଭାବରେ ବିବେଚନା କରନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଭାରତୀୟମାନଙ୍କ ସହ ସାକ୍ଷାତ ଏବଂ କଥାବାର୍ତ୍ତା କରିବାରେ ଆନନ୍ଦ ପ୍ରକାଶ କରନ୍ତି ଏବଂ ସେମାନଙ୍କଠାରୁ ତାଙ୍କୁ ମିଳୁଥିବା ଭଲ ପାଇବା ଏବଂ ଆଶୀର୍ବାଦ ସର୍ବଦା ଅବିସ୍ମରଣୀୟ ହୋଇରହିଛି। ଭାରତୀୟ ପ୍ରବାସୀମାନଙ୍କ ପ୍ରତି ତାଙ୍କର ହୃଦୟର କୃତଜ୍ଞତା ପ୍ରକାଶ କରି ସେ କହିଥିଲେ ଯେ, ସେମାନଙ୍କ ପାଇଁ ସେ ବିଶ୍ୱ ମଞ୍ଚରେ ଗର୍ବର ସହିତ ମୁଣ୍ଡ ଉଚ୍ଚ କରିବାର ସୁଯୋଗ ପାଇଛନ୍ତି। ପ୍ରବାସୀ ଭାରତୀୟମାନଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଗତ ଦଶନ୍ଧି ଧରି ସେ ଅନେକ ବିଶ୍ୱ ନେତାଙ୍କୁ ଭେଟିଛନ୍ତି, ଯେଉଁମାନେ ସମସ୍ତେ ଭାରତୀୟ ପ୍ରବାସୀମାନଙ୍କୁ ସେମାନଙ୍କର ସାମାଜିକ ମୂଲ୍ୟବୋଧ ଏବଂ ସେମାନଙ୍କ ସମାଜ ପ୍ରତି ଅବଦାନ ପାଇଁ ପ୍ରଶଂସା କରିଛନ୍ତି। “ଭାରତ କେବଳ ଗଣତନ୍ତ୍ରର ଜନନୀ ନୁହେଁ, ବରଂ ଗଣତନ୍ତ୍ର ଭାରତୀୟ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ”। ଭାରତୀୟମାନେ ସ୍ୱାଭାବିକ ଭାବରେ ବିବିଧତାକୁ ଗ୍ରହଣ କରନ୍ତି ଏବଂ ସ୍ଥାନୀୟ ନିୟମ ଏବଂ ପରମ୍ପରାକୁ ସମ୍ମାନ ଦେଇ ସେମାନେ ଯୋଗଦାନ କରୁଥିବା ସମାଜରେ ନିର୍ବିଘ୍ନରେ ଏକାଠି ହୁଅନ୍ତି। ପ୍ରବାସୀ ଭାରତୀୟମାନେ ସଚ୍ଚୋଟତାର ସହିତ ସେମାନେ ରହୁଥିବା ଦେଶଗୁଡ଼ିକର ସେବା କରନ୍ତି, ସେମାନଙ୍କର ଅଭିବୃଦ୍ଧି ଏବଂ ସମୃଦ୍ଧିରେ ଯୋଗଦାନ ଦିଅନ୍ତି , କିନ୍ତୁ ଭାରତ ସର୍ବଦା ସେମାନଙ୍କର ହୃଦୟରେ ରହିଥାଏ । ସେମାନେ ଭାରତର ପ୍ରତ୍ୟେକ ଆନନ୍ଦ ଏବଂ ସଫଳତାକୁ ବହୁତ ଉତ୍ସାହର ସହିତ ପାଳନ କରନ୍ତି।

ଏକବିଂଶ ଶତାବ୍ଦୀର ଭାରତରେ ବିକାଶର ଅବିଶ୍ୱସନୀୟ ଅଗ୍ରଗତିର ଦିଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମାତ୍ର ଦଶ ବର୍ଷ ମଧ୍ୟରେ ଭାରତ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି ଏବଂ ବିଶ୍ୱର ଦଶମରୁ ପଞ୍ଚମ ବୃହତ ଅର୍ଥନୀତିରେ ପରିଣତ ହୋଇଛି। ଭାରତ ଖୁବ୍ ଶୀଘ୍ର ତୃତୀୟ ବୃହତ ଅର୍ଥନୀତି ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ଚନ୍ଦ୍ରାୟନ ମିଶନ ଶିବ-ଶକ୍ତି ବିନ୍ଦୁରେ ପହଞ୍ଚିବା ଏବଂ ଡିଜିଟାଲ ଇଣ୍ଡିଆ ଶକ୍ତିର ବିଶ୍ୱସ୍ତରୀୟ ସ୍ୱୀକୃତି ଭଳି ଭାରତର ସଫଳତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ, ଭାରତର ପ୍ରତ୍ୟେକ କ୍ଷେତ୍ର ନୂତନ ଉଚ୍ଚତାକୁ ଅଗ୍ରସର ହେଉଛି, ନବୀକରଣଯୋଗ୍ୟ ଶକ୍ତି, ବିମାନ ଚଳାଚଳ, ବୈଦ୍ୟୁତିକ ଗତିଶୀଳତା, ମେଟ୍ରୋ ନେଟୱାର୍କ ଏବଂ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ରେକର୍ଡ ଭାଙ୍ଗିଛି। ଭାରତ ଏବେ “ମେଡ୍ ଇନ୍ ଇଣ୍ଡିଆ” ଲଢ଼ୁଆ ବିମାନ ଏବଂ ପରିବହନ ବିମାନ ନିର୍ମାଣ କରୁଛି। ସେ ଭବିଷ୍ୟତରେ “ମେଡ୍ ଇନ୍ ଇଣ୍ଡିଆ” ବିମାନରେ ପ୍ରବାସୀ ଭାରତୀୟ ଦିବସ ପାଇଁ ଭାରତ ଯାତ୍ରା କରିବେ ବୋଲି କଳ୍ପନା କରିଥିଲେ। ଭାରତର ସଫଳତା ଏବଂ ସମ୍ଭାବନା ଯୋଗୁଁ ବିଶ୍ୱରେ ବଢୁଥିବା ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଆଜିର ଭାରତ କେବଳ ନିଜସ୍ୱ ମତକୁ ଦୃଢ଼ ଭାବରେ ଜାହିର କରେ ନାହିଁ ବରଂ ଦକ୍ଷିଣ ବିଶ୍ୱର ସ୍ୱରକୁ ସମସ୍ତଙ୍କ ପାଖରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ”। ସେ “ମାନବତା ପ୍ରଥମ” ପ୍ରତି ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟ କରିବା ପାଇଁ ଭାରତର ପ୍ରସ୍ତାବକୁ ସର୍ବସମ୍ମତ ସମର୍ଥନ ଉପରେ ଆଲୋକପାତ କରିଥିଲେ।

ଶ୍ରୀ ମୋଦି ପ୍ରମୁଖ କମ୍ପାନୀଗୁଡ଼ିକ ମାଧ୍ୟମରେ ବିଶ୍ୱ ଅଭିବୃଦ୍ଧିରେ ବୃତ୍ତିଗତ ଯୋଗଦାନ ସହିତ ଭାରତୀୟ ପ୍ରତିଭାର ବିଶ୍ୱସ୍ତରୀୟ ସ୍ୱୀକୃତି ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରବାସୀ ଭାରତୀୟ ଦିବସରେ ଆସନ୍ତା କାଲି ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ଗ୍ରହଣ କରିବାକୁ ଯାଉଥିବା ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା ଜଣାଇ ସେ ଉଲ୍ଲେଖ କରିଥିଲେ ଯେ, ଭାରତ ଦଶନ୍ଧି ଧରି ବିଶ୍ୱ ଦକ୍ଷତା ଚାହିଦା ପୂରଣ କରିବାରେ ବିଶ୍ୱର ସବୁଠାରୁ ଯୁବ ଏବଂ ସବୁଠାରୁ କୁଶଳୀ ଜନସଂଖ୍ୟା ହୋଇ ରହିବ। ଅନେକ ଦେଶ ଏବେ କୁଶଳୀ ଭାରତୀୟ ଯୁବକମାନଙ୍କୁ ସ୍ୱାଗତ କରୁଛନ୍ତି, ଏବଂ ଭାରତ ସରକାର ନିରନ୍ତର ଦକ୍ଷତା, ପୁନଃକୁଶଳୀ ଏବଂ ଉନ୍ନତ ଦକ୍ଷତା ପ୍ରୟାସ ମାଧ୍ୟମରେ ବିଦେଶ ଯାଉଥିବା ଭାରତୀୟମାନଙ୍କୁ ଉଚ୍ଚ କୁଶଳୀ କରିବା ପାଇଁ ପ୍ରତିବଦ୍ଧ।ଭାରତୀୟ ପ୍ରବାସୀମାନଙ୍କ ପାଇଁ ସୁବିଧା ଏବଂ ଆରାମ ଉପରେ ଗୁରୁତ୍ୱାରୋପ କରି ଏବଂ ସେମାନଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ବୋଲି କହି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ “ସଙ୍କଟକାଳୀନ ପରିସ୍ଥିତିରେ ପ୍ରବାସୀମାନଙ୍କୁ ସାହାଯ୍ୟ କରିବା ଭାରତର ଦାୟିତ୍ୱ, ଯାହା ଭାରତର ବୈଦେଶିକ ନୀତିର ଏକ ପ୍ରମୁଖ ନୀତିକୁ ପ୍ରତିଫଳିତ କରେ”। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଦଶନ୍ଧି ଧରି ବିଶ୍ୱରେ ଥିବା ଭାରତୀୟ ଦୂତାବାସ ଏବଂ କାର୍ଯ୍ୟାଳୟଗୁଡ଼ିକ ସମ୍ବେଦନଶୀଳ ଏବଂ ସକ୍ରିୟ ରହିଛି।

ବିଭିନ୍ନ ଦେଶରେ ପରାମର୍ଶ (କନସୁଲାର) ସୁବିଧା ପାଇବା ପାଇଁ ଦୀର୍ଘ ଦୂରତା ଯାତ୍ରା କରିବାକୁ ଏବଂ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଥିବା ଲୋକଙ୍କ ପୂର୍ବ ଅଭିଜ୍ଞତାକୁ ମନେ ପକାଇ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ସମସ୍ୟାଗୁଡ଼ିକର ସମାଧାନ କରାଯାଉଛି। ଗତ ଦୁଇ ବର୍ଷ ମଧ୍ୟରେ ଚଉଦଟି ନୂତନ ଦୂତାବାସ ଏବଂ କନସୁଲେଟ୍ ଖୋଲାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମରିସସର ସପ୍ତମ ପିଢ଼ି ଏବଂ ସୁରିନାମ, ମାର୍ଟିନିକ୍ ଏବଂ ଗୁଆଡେଲୁପ୍‌ର ଷଷ୍ଠ ପିଢ଼ିର ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି (ପିଆଇଓ)ଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଓସିଆଇ କାର୍ଡର ପରିସର ବିସ୍ତାର କରାଯାଉଛି।

ପ୍ରଧାନମନ୍ତ୍ରୀ ବିଶ୍ୱବ୍ୟାପୀ ଭାରତୀୟ ପ୍ରବାସୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଇତିହାସ ଉପରେ ଆଲୋକପାତ କରିଥିଲେ, ବିଭିନ୍ନ ଦେଶରେ ସେମାନଙ୍କର ସଫଳତାକୁ ଭାରତର ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ଗୁରୁତ୍ୱ ଦେଇଥିଲେ। ସେ ଆହ୍ୱାନ କରିଥିଲେ ଯେ, ଏହି ଆଗ୍ରହଜନକ ଏବଂ ପ୍ରେରଣାଦାୟକ କାହାଣୀଗୁଡ଼ିକୁ ଆମ ଐତିହ୍ୟର ଅଂଶ ଭାବରେ ବାଣ୍ଟିବା, ପ୍ରଦର୍ଶନ କରିବା ଏବଂ ସଂରକ୍ଷଣ କରାଯିବା ଉଚିତ। ନିକଟରେ ମନ କି ବାତ୍ ରେ ଆଲୋଚନାରେ ସେ ଶହ ଶହ ବର୍ଷ ପୂର୍ବରୁ ଗୁଜରାଟର ଅନେକ ପରିବାର ଓମାନରେ ବସତି ସ୍ଥାପନ କରିଥିବା ଏକ ସାମ୍ପ୍ରତିକ ପ୍ରୟାସର ଉଲ୍ଲେଖ କରି ଶ୍ରୀ ମୋଦୀ ସେମାନଙ୍କର ୨୫୦ ବର୍ଷର ଯାତ୍ରାକୁ ପ୍ରେରଣାଦାୟକ ବୋଲି କହିଥିଲେ ଏବଂ ଆହୁରି ମଧ୍ୟ କହିଥିଲେ ଯେ ଏହି ସମ୍ପ୍ରଦାୟ ସହିତ ଜଡିତ ହଜାର ହଜାର ଡକ୍ୟୁମେଣ୍ଟକୁ ଡିଜିଟାଇଜ୍ କରିବା ପାଇଁ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏକ “ମୌଖିକ ଇତିହାସ ପ୍ରକଳ୍ପ” ଆୟୋଜନ କରାଯାଇଥିଲା, ଯେଉଁଠାରେ ସମ୍ପ୍ରଦାୟର ବରିଷ୍ଠ ସଦସ୍ୟମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଆଜି ଏହି ପରିବାରଗୁଡ଼ିକ ମଧ୍ୟରୁ ଅନେକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦେଖି ସେ ଖୁସି ହୋଇଥିଲେ।
ବିଭିନ୍ନ ଦେଶର ପ୍ରବାସୀମାନଙ୍କ ସହିତ ସମାନ ପ୍ରୟାସ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ “ଗିର୍ମିଟିଆ” ଭାଇଭଉଣୀମାନଙ୍କର ଉଦାହରଣ ଦେଇଥିଲେ। ଭାରତର ଯେଉଁଠାରୁ ସେମାନଙ୍କର ଉତ୍ପତ୍ତି ଏବଂ ଯେଉଁ ସ୍ଥାନଗୁଡ଼ିକରେ ସେମାନେ ବସତି ସ୍ଥାପନ କରିଥିଲେ , ସେହି ଗ୍ରାମ ଏବଂ ସହରଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏକ ଡାଟାବେସ୍ ସୃଷ୍ଟି କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ ସେମାନଙ୍କ ଜୀବନର ଡକ୍ୟୁମେଣ୍ଟେସନ୍, ସେମାନେ କିପରି ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିଥିଲେ, ତାହା ଚଳଚ୍ଚିତ୍ର ଏବଂ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇପାରିବ। ପ୍ରଧାନମନ୍ତ୍ରୀ ଗିର୍ମିଟିଆ ଐତିହ୍ୟ ଅଧ୍ୟୟନ ଏବଂ ଗବେଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, ଏହି ଉଦ୍ଦେଶ୍ୟରେ ଏକ ବିଶ୍ୱବିଦ୍ୟାଳୟ ଚେୟାର ପ୍ରତିଷ୍ଠା ପ୍ରସ୍ତାବ ଦେଇଥିଲେ। ସେ ନିୟମିତ ବିଶ୍ୱ ଗିର୍ମିଟିଆ ସମ୍ମିଳନୀ ଆୟୋଜନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ ଏବଂ ଏହି ସମ୍ଭାବନାଗୁଡ଼ିକୁ ଅନୁସନ୍ଧାନ କରିବା ଏବଂ ଏହି ପଦକ୍ଷେପଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆଧୁନିକ ଭାରତ ବିକାଶ ଏବଂ ଐତିହ୍ୟର ମନ୍ତ୍ର ସହିତ ପ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଜି-୨୦ବୈଠକ ସମୟରେ, ସାରା ଦେଶରେ ଭାରତର ବିବିଧତାର ପ୍ରତ୍ୟକ୍ଷ ଅଭିଜ୍ଞତା ପ୍ରଦାନ କରିବା ସଂପର୍କିତ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସେ ଗର୍ବର ସହିତ କାଶୀ-ତାମିଲ ସଙ୍ଗମମ, କାଶୀ ତେଲୁଗୁ ସଙ୍ଗମମ ଏବଂ ସୌରାଷ୍ଟ୍ର ତାମିଲ ସଙ୍ଗମମ ଭଳି କାର୍ଯ୍ୟକ୍ରମଗୁଡ଼ିକର ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଆଗାମୀ ସନ୍ଥ ତିରୁଭଲ୍ଲୁବର ଦିବସ ଉପରେ ଆଲୋକପାତ କରିଥିଲେ ଏବଂ ତାଙ୍କ ବାଣୀକୁ ପ୍ରସାର କରିବା ପାଇଁ ତିରୁଭଲ୍ଲୁବର ସଂସ୍କୃତି କେନ୍ଦ୍ର ପ୍ରତିଷ୍ଠା ଘୋଷଣା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଏଥିପାଇଁ ପ୍ରଥମ କେନ୍ଦ୍ର ସିଙ୍ଗାପୁରରେ ଆରମ୍ଭ ହୋଇଛି, ଏବଂ ଆମେରିକାର ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରେ ଏକ ତିରୁଭଲ୍ଲୁବର ଚେୟାର ପ୍ରତିଷ୍ଠା କରାଯାଉଛି। ଏହି ପ୍ରୟାସଗୁଡ଼ିକ ତାମିଲ ଭାଷା, ଐତିହ୍ୟ ଏବଂ ଭାରତର ଐତିହ୍ୟକୁ ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚାଇବା ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକ ସ୍ୱତନ୍ତ୍ର ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ ଟ୍ରେନ୍ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଭାରତରେ ଐତିହ୍ୟସ୍ଥଳଗୁଡ଼ିକୁ ସଂଯୋଗ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ରାମାୟଣ ଏକ୍ସପ୍ରେସ୍ ଭଳି ସ୍ୱତନ୍ତ୍ର ଟ୍ରେନ୍ ଭଗବାନ ରାମ ଏବଂ ସୀତା ମାତାଙ୍କ ସହ ଜଡିତ ସ୍ଥାନଗୁଡ଼ିକୁ ସଂଯୋଗ କରିଥାଏ। ଭାରତ ଗୌରବ ଟ୍ରେନ୍ ମଧ୍ୟ ଦେଶର ଗୁରୁତ୍ୱପୂର୍ଣ୍ଣ ଐତିହ୍ୟସ୍ଥଳଗୁଡ଼ିକୁ ସଂଯୋଗ କରୁଛି। ସେହିପରି ମଧ୍ୟମ ଦୃତ ବେଗ ବନ୍ଦେ ଭାରତ ଟ୍ରେନ୍ ଭାରତର ପ୍ରମୁଖ ଐତିହ୍ୟ କେନ୍ଦ୍ରଗୁଡ଼ିକୁ ସଂଯୋଗ କରୁଛି। ସ୍ୱତନ୍ତ୍ର ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ ଟ୍ରେନ୍ ପର୍ଯ୍ୟଟନ ଏବଂ ବିଶ୍ୱାସ ସହିତ ଜଡିତ ସତରଟି ସ୍ଥାନ ପରିଦର୍ଶନରେ ପ୍ରାୟ ୧୫୦ ଲୋକଙ୍କୁ ନେଇଯିବ। ସେ ସମସ୍ତଙ୍କୁ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରିବାକୁ ଉତ୍ସାହିତ କରିଥିଲେ ଏବଂ ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭମେଳା ଉପରେ ଆଲୋକପାତ କରି ଏହି ଦୁର୍ଲଭ ସୁଯୋଗକୁ ହାତଛଡ଼ା ନକରିବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ୧୯୪୭ ମସିହାରେ ଭାରତର ସ୍ୱାଧୀନତାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଉପରେ କହିଥିଲେ ଯେ ସେମାନେ ଭାରତର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ସେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ ପ୍ରବାସୀ ଭାରତୀୟଙ୍କ ଆର୍ଥିକ ସେବା ଏବଂ ନିବେଶ ଆବଶ୍ୟକତା ପୂରଣ କରିବାରେ ଗିଫ୍ଚଟ ସିଟି ଇକୋସିଷ୍ଟମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ବିକାଶ ଦିଗରେ ଭାରତର ଯାତ୍ରାକୁ ସୁଦୃଢ଼ କରିବା ପାଇଁ ଏହାର ଲାଭ ଉଠାଇବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ। “ପ୍ରବାସୀ ଭାରତୀୟଙ୍କ ପ୍ରତ୍ୟେକ ପ୍ରୟାସ ଭାରତର ପ୍ରଗତିରେ ଯୋଗଦାନ କରେ ବୋଲି ଶ୍ରୀ ମୋଦୀ କହିଥିଲେ। ଐତିହ୍ୟ ପର୍ଯ୍ୟଟନର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରି, ଭାରତ କେବଳ ଏହାର ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ ସୀମିତ ନୁହେଁ ବରଂ ଭାରତର ଐତିହ୍ୟକୁ ପ୍ରଦର୍ଶିତ କରୁଥିବା ଏହା ଟାୟର-୨ ଏବଂ ଟାୟର-୩ ସହର ଏବଂ ଗ୍ରାମଗୁ଼ଡିକୁ ମଧ୍ୟ ଅନ୍ତର୍ଭୁକ୍ତ କରୁଛି।ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ଛୋଟ ଛୋଟ ସହର ଏବଂ ଗ୍ରାମଗୁଡ଼ିକୁ ପରିଦର୍ଶନ କରି ଏବଂ ସେମାନଙ୍କର ଅଭିଜ୍ଞତା ବାଣ୍ଟି ବିଶ୍ୱକୁ ଏହି ଐତିହ୍ୟ ସହିତ ଯୋଡ଼ିବାକୁ ଆହ୍ୱାନ କରିଥିଲେ। ସେ ସେମାନଙ୍କୁ ପରବର୍ତ୍ତୀ ଭାରତ ଗସ୍ତରେ ଆସିବା ବେଳେ ଅତି କମରେ ପାଞ୍ଚ ଜଣ ଅଣ-ଭାରତୀୟ ବଂଶୋଦ୍ଭବ ବନ୍ଧୁଙ୍କୁ ଆଣିବାକୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କୁ ଭାରତକୁ ଭଲ ଭାବେ ଦେଖିବା ଏବଂ ପ୍ରଶଂସା କରିବାର ସୁଯୋଗ ଦେବାକୁ କହିଥିଲେ।

ଶ୍ରୀ ମୋଦୀ ପ୍ରବାସୀ ଯୁବ ସଦସ୍ୟମାନଙ୍କୁ ଭାରତକୁ ଭଲ ଭାବରେ ବୁଝିବା ପାଇଁ “ଭାରତ କୋ ଜାନିୟେ” କୁଇଜରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ସେ ସେମାନଙ୍କୁ “ଭାରତରେ ଅଧ୍ୟୟନ” କାର୍ଯ୍ୟକ୍ରମ ଏବଂ ଆଇସିଆରଆର ଛାତ୍ରବୃତ୍ତି ଯୋଜନାର ଲାଭ ଉଠାଇବାକୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟମାନେ ରହୁଥିବା ଦେଶଗୁଡ଼ିକରେ ଭାରତର ପ୍ରକୃତ ଇତିହାସ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଏହି ଦେଶଗୁଡ଼ିକର ବର୍ତ୍ତମାନର ପିଢ଼ି ଭାରତର ସମୃଦ୍ଧି, ପରାଧୀନତାର ଦୀର୍ଘ ସମୟ ଏବଂ ସଂଘର୍ଷ ବିଷୟରେ ସଚେତନ ନ ଥାଇପାରନ୍ତି। ସେ ପ୍ରବାସୀ ଭାରତୀୟମାନଙ୍କୁ ବିଶ୍ୱ ସହିତ ଭାରତର ପ୍ରକୃତ ଇତିହାସ ବାଣ୍ଟିବାକୁ ଅନୁରୋଧ କରିଥିଲେ।

“ଭାରତ ଏବେ ଏକ ବିଶ୍ୱ ବନ୍ଧୁ ଭାବରେ ସ୍ୱୀକୃତି ପାଇଛି” ବୋଲି ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଏବଂ ପ୍ରବାସୀ ଭାରତୀୟମାନଙ୍କୁ ସେମାନଙ୍କର ପ୍ରୟାସ ବୃଦ୍ଧି କରି ଏହି ବିଶ୍ୱ ସମ୍ପର୍କକୁ ମଜବୁତ କରିବାକୁ ଅନୁରୋଧ କରିଥିଲେ। ସେ ସେମାନଙ୍କ ନିଜ ନିଜ ଦେଶରେ, ବିଶେଷକରି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପୁରସ୍କାର ସମାରୋହ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଏହି ପୁରସ୍କାରଗୁଡ଼ିକ ସାହିତ୍ୟ, କଳା ଏବଂ ହସ୍ତଶିଳ୍ପ, ଚଳଚ୍ଚିତ୍ର ଏବଂ ଥିଏଟର ଭଳି ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଦିଆଯାଇପାରିବ। ସେ ପ୍ରବାସୀ ଭାରତୀୟ ଦୂତାବାସ ଏବଂ କନସୁଲେଟଙ୍କ ସହାୟତାରେ କୃତିତ୍ୱ ହାସଲକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିବାକୁ ଉତ୍ସାହିତ କରିଥିଲେ। ଏହା ସ୍ଥାନୀୟ ଲୋକଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ଏବଂ ଭାବପ୍ରବଣ ସମ୍ପର୍କ ବୃଦ୍ଧି କରିବ ବୋଲି ସେ ଉଲ୍ଲେଖ କରିଥିଲେ। ସ୍ଥାନୀୟ ଭାରତୀୟ ଉତ୍ପାଦଗୁଡ଼ିକୁ ବିଶ୍ୱସ୍ତରୀୟ କରିବାରେ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ସେମାନଙ୍କୁ ସ୍ଥାନୀୟ କିମ୍ବା ଅନଲାଇନରେ “ମେଡ୍ ଇନ୍ ଇଣ୍ଡିଆ” ଖାଦ୍ୟ ପ୍ୟାକେଟ, ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିବାକୁ ଏବଂ ଏହି ଉତ୍ପାଦଗୁଡ଼ିକୁ ସେମାନଙ୍କ ରୋଷେଇ ଘର, ଡ୍ରଇଂ ରୁମ୍ ଏବଂ ଉପହାରରେ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ ଏହା ବିକଶିତ ଭାରତ ଗଠନ ଦିଗରେ ଏକ ଯଥେଷ୍ଟ ଅବଦାନ ହେବ।

ମାତା ଏବଂ ମାତା ଧରଣୀ ସହିତ ଜଡିତ ଆଉ ଏକ ଆହ୍ୱାନ ଦେଇ, ପ୍ରଧାନମନ୍ତ୍ରୀ ତାଙ୍କର ସାମ୍ପ୍ରତିକ ଗାଏନା ଗସ୍ତ ସଂପର୍କରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ସେ ଦେଶର ରାଷ୍ଟ୍ରପତିଙ୍କ ସହିତ ସେ “ଏକ ପେଡ୍ ମା କେ ନାମ” ପ୍ରୟାସରେ ଅଂଶଗ୍ରହଣ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଭାରତରେ ଲକ୍ଷ ଲକ୍ଷ ଲୋକ ଏହା କରୁଛନ୍ତି। ସେ ପ୍ରବାସୀ ଭାରତୀୟମାନଙ୍କୁ ଯେଉଁଠାରେ ଥାଆନ୍ତୁ ନା କାହିଁକି, ସେମାନଙ୍କ ମାତାଙ୍କ ନାମରେ ଏକ ଗଛ କିମ୍ବା ଚାରା ଲଗାଇବାକୁ ଉତ୍ସାହିତ କରିଥିଲେ। ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଯେତେବେଳେ ସେମାନେ ଭାରତରୁ ଫେରିବେ, ସେମାନେ ଏକ ବିକଶିତ ଭାରତର ସଂକଳ୍ପକୁ ନିଜ ସହିତ ବହନ କରିବେ। ଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଧନ ସହିତ ୨୦୨୫ ପାଇଁ ସେମାନଙ୍କ ସମୃଦ୍ଧି କାମନା କରିଥିଲେ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଓଡିଶାର ଐତିହ୍ୟ, ସଂସ୍କୃତି ଏବଂ ରହିଥିବା ଅସୀମ ସମ୍ଭାବନା ସଂପର୍କରେ ଆଲୋକପାତ କରିଥିଲେ। ସେ କହିଲେ ଯେ, ଓଡିଶା ହେଉଛି ଜଗନ୍ନାଥ ସଂସ୍କୃତିର ଘର, ଏକ ରାଜ୍ୟ, ଯେଉଁଠାରେ ଭକ୍ତି ଏବଂ ବିବିଧତାର ସମ୍ମିଶ୍ରଣ ରହିଛି। କୋଣାର୍କର ସୂର୍ଯ୍ୟ ମନ୍ଦିରର ସ୍ଥାପତ୍ୟଠାରୁ ଆରମ୍ଭ କରି ପୁରୀର ଜଗନ୍ନାଥ ମନ୍ଦିରର ଆଧ୍ୟାତ୍ମିକ ମହିମା ପର୍ଯ୍ୟନ୍ତସବୁଠିଆମର କାଳଜୟୀ ପରମ୍ପରାର ପ୍ରମାଣ ରହିଛି। ଭାରତର ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଏବଂ ପଟ୍ଟ-ଚିତ୍ରର ଜଟିଳ କଳା, ଆମର ସାଂସ୍କୃତିକ ପରିଚୟକୁ ବିଶ୍ୱରେ ଜୀବନ୍ତ ରଖି ପାରିଛି। ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ହସ୍ତତନ୍ତ ଶାଢୀ ସମେତ ଅନ୍ୟାନ୍ୟ ହସ୍ତତନ୍ତ ପରମ୍ପରା, ଆମ ଲୋକଙ୍କ ସୃଜନଶୀଳତା ଏବଂ କଳାକୃତିର ନିଦର୍ଶନ ହୋଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଓଡ଼ିଶାରେ ଏସିଆର ସର୍ବବୃହତ ଖାରିପାଣି ହ୍ରଦ ଚିଲିକା,ପୁରୀ, ଚାନ୍ଦିପୁର ଏବଂ ଗୋପାଳପୁରର ଶାନ୍ତ ବେଳାଭୂମି, ସିମିଳିପାଳର ସବୁଜ ଜଙ୍ଗଲ, କୋରାପୁଟର ପାହାଡ଼ ଏବଂ କେଉଁଝରର ଜଳପ୍ରପାତ, ପ୍ରକୃତିର ମହିମାର ଏକ ଝଲକ ପ୍ରଦାନ କରେ। ଓଡ଼ିଶାରେ ପ୍ରକୃତିର ରହସ୍ୟ ଅନୁସନ୍ଧାନ କରିବା ଏବଂ ଏହାର ଅପରୂପ ସୌନ୍ଦର୍ଯ୍ୟକୁ ଆବିଷ୍କାର କରିବା ପାଇଁ ସେ ପ୍ରବାସୀ ଭାରତୀୟମାନଙ୍କୁ ଅନୁରୋଧ କରିଥିଲେ।

ବସୁଧୈବ କୁଟୁମ୍ବକମ୍ ନୀତିକୁ ଆପଣେଇ ଓଡ଼ିଶା ସମଗ୍ର ବିଶ୍ୱକୁ ପରିବାର ମନେ କରିଆସିଛି । ଆଜି, ଓଡ଼ିଶା ଭାରତର ସବୁଠାରୁ ନିବେଶକ-ଅନୁକୂଳ ରାଜ୍ୟ ମଧ୍ୟରୁ ଅନ୍ୟତମ ଭାବରେ ଉଭା ହୋଇଛି। ଆମର ସମୃଦ୍ଧ ଖଣିଜ ସମ୍ପଦ, ପ୍ରମୁଖ ଶିଳ୍ପଗୁଡ଼ିକୁ ପ୍ରେରଣା ଦିଏ। ଆମର ଆଇଟି, କୃଷି-ପ୍ରକ୍ରିୟାକରଣ ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରଗୁଡ଼ିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଓଡ଼ିଶା ଜଳବାୟୁ ସହନଶୀଳ କୃଷି ଏବଂ ଯୁବପିଢ଼ିଙ୍କ ଦକ୍ଷତା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆମେ ସୃଷ୍ଟି କରିଥିବା ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି, ଉତ୍କର୍ଷତା ପ୍ରତି ଆମର ପ୍ରତିବଦ୍ଧତାର ପ୍ରମାଣ। ଦକ୍ଷିଣ-ପୂର୍ବ ଏସିଆ ସହିତ ସଂଯୋଗ ସ୍ଥାପନ ପାଇଁ ବନ୍ଦର ଏବଂ ଜାହାଜ ଚଳାଚଳ କରିଡର ବିକାଶ କରି ଓଡ଼ିଶା ଏହାର ସାମୁଦ୍ରିକ ଐତିହ୍ୟ ସଂପର୍କକୁ ଉଜ୍ଜୀବିତ କରୁଛି। ଏହା ଦ୍ୱାରା ବାଣିଜ୍ୟର ଦ୍ରୁତ ବିକାଶ ଘଟିବ ଏବଂ ବିଶ୍ୱ ବ୍ୟବସାୟ ଦିଗରେ ଖର୍ଚ୍ଚକୁ ହ୍ରାସ କରାଯାଇପାରିବ। ବିଶ୍ୱସ୍ତରୀୟ ଭିତ୍ତିଭୂମି, ନିବେଶକ-ଅନୁକୂଳ ନୀତି ଏବଂ ଏକ ଯୁବ, ଦକ୍ଷ ମାନବସମ୍ବଳ ସହିତ, ବ୍ୟବସାୟ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଓଡ଼ିଶା ହେଉଛି ଏକ ଉତ୍ତମ ଗନ୍ତବ୍ୟସ୍ଥଳ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ପୂର୍ବୋଦୟ ଦୃଷ୍ଟିକୋଣର କେନ୍ଦ୍ରରେ ଓଡ଼ିଶା ରହିଛି। ତାଙ୍କ ମାର୍ଗଦର୍ଶନରେ, ଓଡ଼ିଶାର ବିକାଶ ଯାତ୍ରାର ସୁବର୍ଣ୍ଣ ସମୟ ଆରମ୍ଭ ହୋଇସାରିଛି। ସେ ସମସ୍ତ ପ୍ରବାସୀ ଭାରତୀୟମାନଙ୍କୁ ଏହାର ସୁଯୋଗ ନେବାକୁ ଏବଂ ଭାରତର ଅଭିବୃଦ୍ଧି ଏବଂ ସମୃଦ୍ଧିରେ ଯୋଗଦାନ ଦେବାକୁ ଅନୁରୋଧ କରିଥିଲେ। ଓଡ଼ିଶା ଏବଂ ଭାରତ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ପ୍ରବାସୀ ଭାରତୀୟମାନେ ସହଯୋଗର ହାତ ବଢାଇବା ଏବଂ ୨୦୪୭ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯେଉଁ ଦୃଷ୍ଟିକୋଣ ରହିଛି,ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ ବୈଦେଶିକବ୍ୟାପାରମନ୍ତ୍ରୀଡଃ. ଜୟଶଙ୍କରପ୍ରବାସୀଭାରତୀୟଦିବସପାଳନରଆଭିମୂଖ୍ୟସଂପର୍କରେବିଶଦ୍ଭାବେଆଲୋକପାତକରଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏଠାରେଆୟୋଜିତ ବିଶ୍ୱରୂପରାମ, ବୈଷୟିକ କ୍ଷେତ୍ରରେ ପ୍ରବାସୀ ଭାରତୀୟଙ୍କ ଅବଦାନ, ଭାରତ-ଭାରତୀୟ : ସ୍ୱଦେଶ-ପରଦେଶ, ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ଉପରେ ପର୍ଯ୍ୟବସିତ ପ୍ରଦର୍ଶନୀମଣ୍ଡପଗୁଡ଼ିକର ଶୁଭ ଉଦଘାଟନ କରିଥିଲେ।

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ହେଉଛି ଭାରତ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ , ଯାହା ଭାରତୀୟ ପ୍ରବାସୀମାନଙ୍କ ସହିତ ସଂଯୋଗ ସ୍ଥାପନ ଏବଂ ସେମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବାରେ ସକ୍ଷମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରେ। ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଜାନୁଆରୀ ୮ରୁ ୧୦ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ କେନ୍ଦ୍ର ବିଦେଶ ମନ୍ତ୍ରାଳୟ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ସହଭାଗିତାରେ ଆୟୋଜିତ ହେଉଛି। ଏହି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ବିଷୟବସ୍ତୁ ହେଉଛି “ବିକଶିତ ଭାରତ ପାଇଁ ପ୍ରବାସୀଙ୍କ ଅବଦାନ”। ୫୦ ରୁ ଅଧିକ ଦେଶରୁ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com