-ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ୍ ସହ ତୃତୀୟ ଇଞ୍ଜିନ୍ ଭାବେ ପ୍ରବାସୀ ଇଞ୍ଜିନ୍ କାମ କରିବ
-ପ୍ରବାସୀ ଓଡ଼ିଆ ନୀତି ପ୍ରଣୟନ ହେବ
-ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ

ଭୁବନେଶ୍ୱର: ୧୦/୦୧/-ଜନତା ମଇଦାନଠାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଓଡ଼ିଆମାନଙ୍କ ସହିତ ସ୍ୱତନ୍ତ୍ର ଭାବେ ଏକ ଆଲୋଚନା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଆଲୋଚନାରେ ପ୍ରବାସୀ ଓଡ଼ିଆମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଦେଶ ମାଟିରେ ଆପଣମାନେ ଦୁଇ ଦେଶ ମଧ୍ୟରେ ସଂପର୍କର ସେତୁ ହୋଇପାରିଛନ୍ତି। ଆମ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଛନ୍ତି। ଆପଣମାନେ ପ୍ରବାସରେ ରହି ମଧ୍ୟ ଓଡ଼ିଶାର ବିକାଶ ଓ ଅସ୍ମିତାର ସୁରକ୍ଷା ବିଷୟରେ ଚିନ୍ତା କରୁଛନ୍ତି ଓ ସେ ଦିଗରେ କାମ ମଧ୍ୟ କରୁଛନ୍ତି।
ଆଜି ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଆମକୁ ଏକ ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପର ଅବସର ଆଣିଦେଇଛି। ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ୍ ସହ ତୃତୀୟ ଇଞ୍ଜିନ୍ ଭାବେ ପ୍ରବାସୀ ଇଞ୍ଜିନ୍ ଯୋଡ଼ି ହୋଇଛି। ଓଡ଼ିଶା ଏବେ ସମୃଦ୍ଧି ପଥରେ ଅଗ୍ରସର ହେବା ପାଇଁ ଯାତ୍ରା ଆରମ୍ଭ କରିସାରିଛି। ଆପଣମାନେ ବିଭିନ୍ନ ଦେଶରେ ରହୁଛନ୍ତି। ଆପଣମାନଙ୍କ ମଧ୍ୟରେ ସଫଳ ଶିଳ୍ପପତି, ପ୍ରଫେସନାଲ ଓ ଟେକ୍ନୋକ୍ରାଟମାନେ ଅଛନ୍ତି। ଏ ଯାତ୍ରାରେ ଆପଣମାନେ ସାମିଲ ହେବା ଅତ୍ୟନ୍ତ ଜରୁରୀ।
ଏହି ଅବସରରେ ସେ କହିଥିଲେ ପ୍ରବାସୀ ଓଡ଼ିଆମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ଓ ସେମାନେ ଓଡ଼ିଶାର ବିକାଶ ପାଇଁ ଚାହୁଁଥିବା ବିଷୟଗୁଡ଼ିକ ମଧ୍ୟରେ ସମନ୍ୱୟ ରଖିବା ପାଇଁ ଓଡ଼ିଶାର ଜଣେ ମନ୍ତ୍ରୀ ସ୍ୱତନ୍ତ୍ର ଭାବେ ଦାୟିତ୍ୱରେ ରହିବେ। ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ମଧ୍ୟ ପ୍ରଣୟନ କରାଯିବ । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏହାର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। କେନ୍ଦ୍ର ସରକାରଙ୍କ ସହଯୋଗରେ ବର୍ତ୍ତମାନେ ଓଡ଼ିଶାରେ ବିମାନ ଚଳାଚଳ ସେବାରେ ବୃଦ୍ଧି ଘଟିଛି । ଆଗାମୀ ଦିନରେ କୁଏତ ଏବଂ କାତାର ଭଳି ଦେଶକୁ ମଧ୍ୟ ବିମାନ ଚଳାଚଳ ପାଇଁ ମଧ୍ୟ ଆମେ ବିଚାର କରୁଛୁ।

କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ ଯେ, ଆମ ଦେଶର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଆମ ବୌଦ୍ଧିକ ମାନବ ସମ୍ବଳ। ଆପଣମାନେ ହେଉଛନ୍ତି ତାହାର ଉଦାହରଣ। ଓଡ଼ିଆ ସମ୍ଭ୍ରମତା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଜାତିର ଆପଣମାନେ ହେଉଛନ୍ତି ଜଣେ ଜଣେ ପ୍ରତୀକ। ଘରେ ପିଲାମାନଙ୍କୁ ଓଡ଼ିଆ ଭାଷା ଶିଖାଇବା ପାଇଁ ସେ ପ୍ରବାସୀ ଓଡ଼ିଆମାନଙ୍କୁ ଅନୁରୋଧ କରିଥିଲେ। ଓଡ଼ିଶାରେ ଜଙ୍ଗଲ, ବେଳାଭୂମି, ମନ୍ଦିର ପରି ପର୍ଯ୍ୟଟନର ସମସ୍ତ ସମ୍ଭାର ରହିଛି। ଓଡ଼ିଶାର ଏହି ପର୍ଯ୍ୟଟନ ସମ୍ଭାର ବିଷୟରେ ଆପଣମାନେ ବିଦେଶରେ ଜଣାନ୍ତୁ। ଚାକିରି କରିବା ବଦଳରେ ଚାକିରି ଦେବା ପଦ୍ଧତିକୁ ଆପଣେଇବା ପାଇଁ ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ପ୍ରବାସରୁ ଆସିଥିବା ପ୍ରତିନିଧିମାନଙ୍କ ପକ୍ଷରୁ ଆମେରିକାର ଲୀନା ମିଶ୍ର, ଅଜୟ କେ.ମହାନ୍ତି, ଜାପାନରୁ କାଳୀପଦ ତ୍ରିପାଠୀ, ଯୁକ୍ତରାଜ୍ୟରୁ ସୁସ୍ମିତା ରାଜହଂସ, ବିଶ୍ୱଜିତ୍ ପ୍ରଧାନ, ସୁକାନ୍ତ ସାହୁ, ଦୁବାଇରୁ ଅନୀଲ ଦାସ ଓ ଶୀତଲ ଯୋଶୀ, ଅଷ୍ଟ୍ରେଲିଆରୁ ପ୍ରଭାତୀ ପାଣିଗ୍ରାହୀ ଓ ଅମିତାଭ ମହାପାତ୍ର, ଥାଇଲାଣ୍ଡରୁ ଡ. ବ୍ରହ୍ମଦତ୍ତ , ମାଲେସିଆରୁ ସ୍ନିଗ୍ଧା ମିଶ୍ର ପ୍ରମୁଖ ଓଡ଼ିଶାର ଏହି ସୁନ୍ଦର ଆୟୋଜନ ପାଇଁ ଧନ୍ୟବାଦ ଦେବା ସହିତ ସେମାନଙ୍କର ଅନୁଭୂତି ଓ ଅଭିଜ୍ଞତା ପ୍ରକାଶ କରିଥିଲେ।