ସାମୂହିକ ଶପଥପାଠ କରାଇଲେ ମୁଖ୍ୟ ଶାସନ ସଚିବ
‘ଆମେ ଭାରତର ନାଗରିକବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବୁ ତଥା ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁଣ୍ଣ ରଖି, ନିର୍ଭୀକ ହୋଇ, ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାରର ପ୍ରୟୋଗ କରିବୁ ।’

ଭୁବନେଶ୍ୱର,୨୫/୦୧- ୧୫ ତମ ଜାତୀୟ ମତଦାତା ଦିବସର ରାଜ୍ୟସ୍ତରୀୟ ସମାରୋହ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତଦାତା ସଂକଳ୍ପ ପାଠ କରାଇଥିଲେ। ମତଦାତା ସଚେତନତା ଓ ଭାରତକୁ ଏକ ସୁଦୃଢ ଗଣତନ୍ତ୍ର ରୂପେ ବଜାୟ ରଖିବା ଦିଗରେ ପ୍ରେରିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଆନୁକୂଲ୍ୟରେ ଆଜି ରାଜ୍ୟସ୍ତରୀୟ ମତଦାତା ଦିବସ ପାଳିତ ହୋଇଥିଲା। ମୁଖ୍ୟ ଶାସନ ନିଜର ମତ ରଖି ମତଦାନକୁ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ଦାୟିତ୍ୱ ରୂପେ ଅଭିହିତ କରିଥିଲେ।
ଭାରତ ସର୍ବବୃହତ ଗଣତନ୍ତ୍ର ରୂପେ ସମଗ୍ର ବିଶ୍ୱରେ ଏକ ଉଦାହରଣ ଅଟେ। ଏହି ପ୍ରତିଷ୍ଠାକୁ ଅକ୍ଷୁଣ୍ଣ ରଖିବା ଦିଗରେ ନାଗରିକ ରୂପେ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି। ତେଣୁ ସମସ୍ତ ମତଦାତା ସେହି ଦାୟିତ୍ୱ ପ୍ରତି ଯତ୍ନବାନ ହେବା ପାଇଁ ସେ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ମତଦାତା ସଚେତନତା ସମ୍ବନ୍ଧୀୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଫଟୋ ପ୍ରଦର୍ଶନୀ ଲୋକାର୍ପିତ ହୋଇଥିଲା।

ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଲନ୍, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବି ପରମେଶ୍ୱରନ୍, ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ କୁମାର ରାଣା ଭାରତୀୟ ଗଣତନ୍ତ୍ର ଓ ସେଥିରେ ମତଦାତାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ। କାର୍ଯକ୍ରମର ପ୍ରାରମ୍ଭରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ଆଇକନ୍ ରୂପେ କାର୍ଯ୍ୟ କରି ମତଦାନ ପାଇଁ ସଚେତନତା ସୃଷ୍ଟି ପାଇଁ ପ୍ରମୋଦ ଭଗତ, କମଳାକାନ୍ତ ନାୟକ, ଜୟନ୍ତୀ ବେହେରା, ସାଧନା ମିଶ୍ର ଓ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ସାଧାରଣ ନିର୍ବାଚନ-୨୦୨୪ ପାଇଁ ବିଭିନ୍ନ ଦିଗରେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଥିବାରୁ ଖୋର୍ଦ୍ଧା, କେନ୍ଦୁଝର, ପୁରୀ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବାଲେଶ୍ୱର, ସମ୍ବଲପୁର ଆଦି ଜିଲ୍ଲାମାନଙ୍କୁ ସମ୍ମାନିତ କରାଯାଇଥିଲା।