ଭୁବନେଶ୍ୱର ସାହିତ୍ୟ ପର୍ବ ଉଦ୍ଯାପିତ
ଭୁବନେଶ୍ୱର, ୨୩/୦୨-ସାହିତ୍ୟ ଉନ୍ମୋଚନ କରେ, ସଂଯୋଗ କରେ ଓ ଗଣ୍ଠି ଖୋଲିଦିଏ। ବ୍ୟକ୍ତିକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହିତ ସଂପୃକ୍ତ କରାଏ। ଏହା ଅନ୍ଧାରରେ ଆଲୋକ ଦିଏ, ଜୀବନ ଜିଇଁବା ଶିଖାଏ ବୋଲି ଭୁବନେଶ୍ୱର ସାହିତ୍ୟ ପର୍ବରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଜୟଦେବ ଭବନରେ ଆୟୋଜିତ ଭୁବନେଶ୍ୱର ସାହିତ୍ୟ ପର୍ବର ଉଦ୍ଯାପନ ଅବସରରେ ଅନୁଷ୍ଠିତ ମୁକ୍ତ ଅଧିବେଶନରେ ବିଶିଷ୍ଟ ବିଦ୍ୱାନ ପ୍ରଫୁଲ୍ଲ କୁମାର ମିଶ୍ର ଓ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ ସାହିତ୍ୟ ପର୍ବର ଗୁରୁତ୍ୱ ଦର୍ଶାଇଥିଲେ। ସାହିତ୍ୟ ହେଉଛି ଭାବର ବିସ୍ତାର, ନିର୍ମାଣ ଓ ବ୍ୟାଖ୍ୟାନ ବୋଲି ଉଲ୍ଲେଖ କରି ଲୋକଶିକ୍ଷା ସାହିତ୍ୟର ଉଦ୍ଦେଶ୍ୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ କୁମାର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।

ମୁକ୍ତ ଅଧିବେଶନ ପରେ ‘ଓଡ଼ିଶାରେ ସାହିତ୍ୟ ଅନୁଷ୍ଠାନଗୁଡ଼ିକର ସାମର୍ଥ୍ୟ ଓ ସମ୍ଭାବନା’, ‘ଏବର ଓଡ଼ିଆ କଥାସାହିତ୍ୟ: ଦୃଷ୍ଟି ଓ ଦିଗନ୍ତ’ ଶୀର୍ଷକ ଆଲୋଚନାଚକ୍ରରେ ଡ. ପ୍ରଦୀପ ବିଶ୍ୱାଳ, ଡ. ବୈଷ୍ଣବ ପ୍ରସାଦ ମହାନ୍ତି, ସରୋଜ ବଳ, ଭୀମ ପୃଷ୍ଟି, ଆଦିତେଶ୍ୱର ମିଶ୍ର, ଚିରଶ୍ରୀ ଇନ୍ଦ୍ରସିଂହ ଓ ଆଭାସ ବରାଳ ଅଂଶଗ୍ରହଣ କରିଥିଲେ। ପ୍ରସିଦ୍ଧ ନାଟ୍ୟକାର ପ୍ରଫେସର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ସହିତ ଅନ୍ତରଙ୍ଗ ଆଳାପ କରିଥିଲେ ‘ନାଟ୍ୟଚେତନା’ର ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ।
ଅପରାହ୍ନରେ ଆୟୋଜିତ କବିତା ପାଠୋତ୍ସବରେ କବି ଖଗେଶ୍ୱର ମହତାବ ପୌରୋହିତ୍ୟ କରିଥିବାବେଳେ ମିନତି ଦାଶ (ମାନି), ଡ. ଗୀତାଶ୍ରୀ ପ୍ରିୟମ୍ବଦା ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ସଂଯୋଜନା କରିଥିଲେ। ପ୍ରାୟ ୭୦ରୁ ଊର୍ଧ୍ଵ କବି ସ୍ୱରଚିତ ଲେଖା ପାଠ କରିଥିଲେ। ଶେଷରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ‘ସଂସାର’ ପ୍ରଦର୍ଶିତ ହୋଇଥିଲା।
ବିଶିଷ୍ଟ ସାହିତ୍ୟିକ ତଥା ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ଅନ୍ୟତମ ଉପଦେଷ୍ଟା ପ୍ରଶାନ୍ତ ପଟ୍ଟନାୟକ (ପ୍ରୀତମ୍)ଙ୍କ ପରଲୋକରେ ନୀରବ ପ୍ରାର୍ଥନା କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଲେଖକ, ସାହିତ୍ୟିକ, ଶିଳ୍ପୀ, ସମାଜକର୍ମୀ ଏହି ପର୍ବରେ ସମବେତ ହୋଇଥିବା ବିଶିଷ୍ଟ କବି ତଥା ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ସଭାପତି ସୂର୍ଯ୍ୟ ମିଶ୍ର ଜଣାଇଛନ୍ତି।