ସେବା ପ୍ରଦାନରେ ଅସାଧୁ କାରବାର
ଭୁବନେଶ୍ୱର: 23/2- ଏୟାରଟେଲ ଉପଯୁକ୍ତ ସେବା ନଦେଇ ଗ୍ରାହକଙ୍କୁ ଅଯଥା ମାନସିକ ଯନ୍ତ୍ରଣା ଦେଇ ହଇରାଣ ହରକତ କରିବା ସଂକ୍ରାନ୍ତ ଅଭିଯୋଗର ଶୁଣାଣି କରି ନୟାଗଡ଼ ଜିଲା ଖାଉଟି ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ଅଦାଲତ ତାଙ୍କ ରାୟରେ ଅଭିଯୋଗକାରୀ ଅମାଭଞ୍ଜନ ମିଶ୍ରଙ୍କୁ ତିନି ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ତିନି ବର୍ଷ ପର୍ଯ୍ୟନ୍ତ 28 ଦିନର ରିଚାର୍ଜ ପାଇଁ ପଇସା ନେଇ 27ଦିନର ରିଚାର୍ଜ ଦେଇଥିବା ଅଭିଯୋଗ ଉପରେ ତାଙ୍କୁ ଅବଶିଷ୍ଟ 36 ଦିନର ଫ୍ରି ରିଚାର୍ଜ ଦେବାକୁ ନିର୍ଦେଶ ଦେଇଛନ୍ତି।

ଏୟାରଟେଲ ଗ୍ରାହକ ସେବା କେନ୍ଦ୍ର ତାଙ୍କ କଥା ଶୁଣି ନଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ ଏବଂ ତାଙ୍କ ନିକଟକୁ ରିଚାର୍ଜ ସରିବା ଦିନକ ପୂର୍ବରୁ ଆସିଥିବା ଏକାଧିକ ବାର୍ତ୍ତା ଅଦାଲତରେ ଦାଖଲ କରିଥିଲେ। କ୍ଷତିପୂରଣ ଅର୍ଥ ନିର୍ଦେଶ ପାଇବାର ମାସକ ମଧ୍ୟରେ ନଦେଲେ 12% ହାରରେ ସୁଧ ପ୍ରଦାନ କରିବାକୁ ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି। ଶ୍ରୀ ମିଶ୍ର, ଭାରତୀ ଏୟଟେଲର ସିଇଓ ଗୋପାଳ ଭିଜିଟାଲଙ୍କୁ ମାମଲାରେ ପକ୍ଷ ଭୁକ୍ତ କରିଥିଲେ।


