
ଭୁବନେଶ୍ୱର :୨/୩: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଫ୍ୟାନ ସଙ୍ଗ୍ ମୁକ୍ତିଲାଭ କରିଛି l ‘ପିପୁଲସ୍ ସିଏମ ମୋହନ’ ଶୀର୍ଷକ ଏହି ଗୀତକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଉନ୍ମୋଚନ କରିଛନ୍ତି।
ରାଇକଳାଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଧାୟକ ହିଂମାଂଶୁ ଶେଖର ସାହୁ, ଡାକ୍ତର ଫକୀର ମୋହନ ନାଏକ, ଅଖିଳ ଚନ୍ଦ୍ର ନାଏକ, ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ଡାକ୍ତର ପ୍ରିୟଙ୍କା ମାର୍ଣ୍ଡି, ମୁଖ୍ୟମନ୍ତ୍ରୀଙ୍କ ମା ନାସମଣୀ ମାଝି, ଶିକ୍ଷାବିତ ଦୀନବନ୍ଧୁ ବାରିକ , ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚ୍ଚିତା , ବରିଷ୍ଠ ବିଜେପି ନେତା ଗୌତମ ରାୟ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଗୀତକୁ ଗୀତିକାର ସୁବ୍ରତ ସ୍ୱାଇଁ ଲେଖିଥିବା ବେଳେ ପ୍ରଖ୍ୟାତ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ ସଂଗୀତ ନିର୍ଦ୍ଦେଶନା ଏବଂ ହ୍ୟୁମାନ ସାଗର କଣ୍ଠଦାନ କରିଛନ୍ତି l ଯୁଗଜ୍ୟୋତି କ୍ଲବ ଦ୍ୱାରା ପ୍ରସ୍ତୁତ ଏହି ଗୀତକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରି କହିଥିଲେ, ବିଭିନ୍ନ ସମୟରେ ଅନେକ ରାଜନୈତିକ ବ୍ୟକ୍ତିଙ୍କ ସଂପର୍କରେ ପ୍ରଶଂସାମୂଳକ ସଂଗୀତ ସୃଷ୍ଟି ହୋଇଥାଏ। ମାତ୍ର ଏହି ସଂଗୀତ ରାଜ୍ୟ ସରକାରଙ୍କ ଅନେକ ସଫଳ ଯୋଜନାକୁ ଅଗ୍ରାଧିକାର ଦେଇ ପ୍ରସ୍ତୁତ ହୋଇଛି। ଯାହା ଶ୍ରୋତାମାନଙ୍କୁ ଭଲ ଲାଗିବା ସହିତ ଓଡ଼ିଶାବାସୀଙ୍କୁ ସରକାରଙ୍କ ସଫଳ ଯୋଜନାଗୁଡିକ ପହଂଚାଇବାରେ ସହାୟକ ହେବ। ଏହି ଗୀତ ଉନ୍ମୋଚନ ବେଳେ ଗୀତିକାର ସୁବ୍ରତ ସ୍ୱାଇଁ, ଆଇଜି ବ୍ରିଜେଶ ରାୟ, ଜିଲ୍ଲାପାଳ ବିଶାଳ ସିଂ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ପ୍ରମୁଖ ଉପସ୍ଥିତ ଥିଲେ।