ଭୁବନେଶ୍ୱର:୭/୨-ରସ୍କିନ୍ ବଣ୍ଡ୍ଙ୍କ ଇଂରାଜୀରେ ଲିଖିତ ଆତ୍ମଜୀବନୀ ‘ଲୋନ୍ ଫକ୍ସ ଡ୍ୟାନ୍ସିଂ’ର ଓଡ଼ିଆ ଅନୁବାଦ କରିଥିବା ବିଶିଷ୍ଟ ଲେଖକ ତଥା ସାମ୍ବାଦିକ ସୁଭାଷ ଶତପଥୀ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୪ ପାଇଁ ଶ୍ରୀ ଶତପଥୀଙ୍କୁ‘ଲୋନ୍ ଫକ୍ସ ଡ୍ୟାନ୍ସିଂ’ର ଓଡ଼ିଆ ଅନୁବାଦ ‘ କୋକିଶିଆଳିର ଏକକ ନୃତ୍ୟ’ପାଇଁ ଏହି ପୁରସ୍କାର ମିଳିବ। ଶ୍ରୀ ଶତପଥୀ ପୂର୍ବରୁ ୨୦୧୪ରେ ନର୍ଗିସ୍ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି।

ଶ୍ରୀ ଶତପଥୀ ୨୦୧୪ରେ ନର୍ଗିସ୍ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ନୂଆଦିଲ୍ଲୀ ଠାରେ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ବିଭିନ୍ନ ଭାଷାର ୨୧ଟି ଅନୁବାଦ ପୁସ୍ତକ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ଘୋଷଣା କରାଯାଇଛି।

ଶ୍ରୀ ଶତପଥୀ ୧୯୮୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ କରିଛନ୍ତି। ତାଙ୍କ ପ୍ରକାଶିତ ଅନ୍ୟ ଅନୁବାଦ ପୁସ୍ତକ ମଧ୍ୟରେ ସଂସାର, ପୂର୍ଣ୍ଣିମା ରାତ୍ରିର ଅଭିସାର ଓ ଅନ୍ୟାନ୍ୟ ଗଳ୍ପ, ଖୁଶୱନ୍ତ ସିଂହଙ୍କ ଗଳ୍ପ, ଏମ.ଟି. ବାସୁଦେବ ନାୟାରଙ୍କ ଗଳ୍ପ, ବିଭାଜନ ଆଦି ରହିଛି।

ତାଙ୍କର ଇଂରାଜୀରେ ହରେକୃଷ୍ଣ ମହତାବଙ୍କ ଜୀବନୀ, ନିତ୍ୟାନନ୍ଦ କାନୁନଗୋଙ୍କ ଜୀବନୀ ସହ ଓଡ଼ିଆ ଜାତୀୟତାବାଦର ବିଷୟବସ୍ତୁକୁ ଅନୁସନ୍ଧାନ କରୁଥିବା ଏକ ପୁସ୍ତକ ମଧ୍ୟ ରହିଛି। ସେ ‘ସମ୍ବାଦ’ ର ସହ ସମ୍ପାଦକ ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିଲେ ଏବେ ‘ପ୍ରମେୟ’ ର ସମ୍ପାଦନା ବିଭାଗରେ କାର୍ଯ୍ୟ କରୁଛନ୍ତି ।