

ଭୁବନେଶ୍ୱର:୧୬/୩- ସାମ୍ବାଦିକ, ଲେଖକ ଓ ‘ପରଦା’ ପତ୍ରିକାର ସମ୍ପାଦକ ନୀଳମଣି ସାହୁଙ୍କ ପ୍ରତି ଗୋଦାବରୀଶ ମହାବିଦ୍ୟାଳୟର ୧୯୭୭-୮୧ ବ୍ୟାଚ ସହପାଠୀ-ସହପାଠିନୀଙ୍କ ସଂଗଠନ ‘ନିର୍ମାଲ୍ୟ’ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତାଙ୍କ ଏକାଦଶାହ ତିଥିରେ ସଂଗଠନର ତିନିଜଣ ପ୍ରତିନିଧି ଜଗତସିଂହପୁର ଜିଲା ନୂଆଗାଁସ୍ଥିତ ତାଙ୍କ ବାସଭବନକୁ ଯାଇ ପରିବାରର ଶୋକସନ୍ତପ୍ତ ସଦସ୍ୟମାନଙ୍କୁ ଭେଟି ସମବେଦନା ଜଣାଇଥିଲେ। ନୀଳମଣିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ଶାନ୍ତି ଓ ସଦ୍ଗତି ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।


ନୀଳମଣି ଥିଲେ ବନ୍ଧୁବତ୍ସଳ, ଅମାୟିକ ଏବଂ ଶାନ୍ତ ସ୍ୱଭାବର ମଣିଷ। ୧୯୬୦ ମସିହା ଜୁଲାଇ ୧ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ଚଳିତମାସ ୭ ତାରିଖରେ ତାଙ୍କର ପରଲୋକ ହୋଇଥିଲା। ସେ ଥିଲେ ଜଣେ ଭଲ ସାମ୍ବାଦିକ, ଲେଖକ ଓ ସମ୍ପାଦକ। ଭୁବନେଶ୍ୱର ସମେତ ଜଗତସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ତାଙ୍କ ବିୟୋଗରେ ଶୋକସଭାମାନ ଅନୁଷ୍ଠିତ ହୋଇଯାଇଛି।