ଦୋଷୀକୁ ଧରାଯାଇ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୯/୩-ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପତ୍ନୀ ମୀନତି ଦାସ, ଝିଅ ତଥା ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ ଏବଂ ପୁଅ ବିଶାଳ ଦାସ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଲୋକସେବା ଭବନରେ ଭେଟିଥିଲେ। ସାକ୍ଷାତ ଅବସରରେ ସେମାନେ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କରେ ଆଲୋଚନା କରିଥିଲେ। ସିବିଆଇ ତଦନ୍ତ ପାଇଁ ସେମାନେ ଲିଖିତ ଭାବେ ଜଣାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରିବାବେଳେ ତାଙ୍କ ଝିଅ ତଥା ବିଜେଡିର ପୂର୍ବତନ ବିଧାୟିକା ଦୀପାଳି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ବିବୃତିରେ ସିବିଆଇ ତଦନ୍ତ ପାଇଁ ସେମାନେ ଦାବି କରିଥିବା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

କ୍ରାଇମବ୍ରାଞ୍ଚର ସାନି ତଦନ୍ତ ଆରମ୍ଭ ହେବା ଏବଂ ନବଙ୍କ ପରିବାର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୀର୍ଘ ଦୁଇଘଣ୍ଟା ଆଲୋଚନା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ଦୀର୍ଘ ଦୁଇବର୍ଷ ପରେ ଏବେ ନବ ଦାସଙ୍କ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ନବ ଦାସଙ୍କୁ ହତ୍ୟା କରାଯିବା ପରେ ତାଙ୍କ ଝିଅ ଦୀପାଳି ସେହି ଆସନରୁ ବିଜେଡି ପ୍ରାର୍ôଥନୀ ଭାବେ ଉପ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। କ୍ଷମତାରେ ଥିବା ପର୍ଯ୍ୟନ୍ତ ବାପାଙ୍କ ହତ୍ୟା ଘଟଣାର ତଦନ୍ତ ତ୍ୱରାନ୍ୱିତ କରିବାରେ ସେ ସଫଳ ହୋଇପାରି ନଥିଲେ। ଏବେ ନବ ଦାସଙ୍କ ହତ୍ୟା ଘଟଣାର ଅନେକ ପ୍ରମାଣ ମଧ୍ୟ ନଷ୍ଟ କରି ଦିଆଯାଇଥିବା ଜଣାପଡୁଛି।
ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ କରିବାର ସଦସ୍ୟଙ୍କୁ କହିଛନ୍ତି, ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ। ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ। ଆଇନର ମର୍ଯ୍ୟାଦା ମଧ୍ୟରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଥିଲେ।

ଶ୍ରୀମତୀ ଦାସଙ୍କୁ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଯେ କୌଣସି ସମୟରେ ତାଙ୍କୁ ବ୍ୟକ୍ତିଗତ ଭାବେ ଏ ସମ୍ପର୍କରେ ଅବଗତ କରାଇପାରିବେ। ସେ ନିଜେ ଓ ତାଙ୍କ ସରକାର ନ୍ୟାୟ ସପକ୍ଷରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବ୍ୟକ୍ତିଗତ ଭାବେ ଭେଟି ଏହି ଆଲୋଚନା କରିଥିବାରୁ ଏବଂ ନ୍ୟାୟ ମିଳିବାର ଭରସା ଦେଇଥିବାରୁ ଶ୍ରୀମତୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।