ଖୋର୍ଦ୍ଧା:21/3- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଐତିହାସିକ ସତ୍ୟବାଦୀ ବଳିଆରସିଂହଙ୍କ ୭୭ତମ ଜନ୍ମୋତ୍ସବ ଖୋର୍ଦ୍ଧା ଜେଲ ରାସ୍ତା ସ୍ଥିତ ଶ୍ୟାମା ମାଧବ ବାସନ୍ତୀ ଦେବୀ ପାଠାଗାର ସଭାଗୃହରେ ପାଳିତ ହୋଇଯାଇଛି। ତ୍ରିନାଥ ଚରଣ କଳା ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଣାର୍କ ସାହିତ୍ୟ ସଂସଦ, କଳିଙ୍ଗ ପାଇକ ସଂଗଠନ, ଆମରି ସତ୍ୟ ଓ ସାହିତ୍ୟ ଘର ପକ୍ଷରୁ ସଦସ୍ୟମାନେ ସାମିଲ ହୋଇଥିଲେ।
କଳିଙ୍ଗ ପାଇକ ସଂଗଠନର ସଭାପତି ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରଣପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରବି ନାରାୟଣ ମହାପାତ୍ର ମୁଖ୍ୟ ଅତିଥି, ଓଡ଼ିଶା ଏକ୍ସପ୍ରେସର ସଂପାଦକ ଉମାପଦ ବୋଷ ମୁଖ୍ୟବକ୍ତା ଏବଂ ଶିକ୍ଷାବିତ୍ କାଳିଚରଣ ଜୟସିଂହ ଓ ଆଦିତ୍ୟ ଭାରତ ପ୍ରକାଶନୀର ସତ୍ୱାଧିକାରୀ ଦେବାଶିଷ ସାମନ୍ତରାୟ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଐତିହାସିକ ବଳିଆରସିଂହଙ୍କ ଦ୍ୱାରା ଲିଖିତ ‘ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର’ ଓ ‘ଇତିହାସର ଇତିକଥା’ ପୁସ୍ତକ ଉନ୍ମୋଚିତ କରିଥିଲେ।
ଏହି ପୁସ୍ତକ ସମୀକ୍ଷା କରିବାକୁ ଯାଇ ପ୍ରଫେସର ଡ. ଶରତଚନ୍ଦ୍ର ମହାପାତ୍ର କହିଲେ ରଣପୁରର ଭକ୍ତ ରାଜା ଉଦ୍ଧବ ନରେନ୍ଦ୍ର କଳ୍ପବଟ ମୂଳେ ଅଧ୍ୟା ପଡ଼ି ପ୍ରଭୁ ଜଗନ୍ନାଥ ଓ ମା ଲକ୍ଷ୍ମୀ ବା ଶ୍ରୀଙ୍କୁ ରଣପୁର ଆଣିଥିବାରୁ ରଣପୁରକୁ ପୁରୀ ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଇଛି। ଏହା ପୂର୍ବରୁ ବା ପରେ କେହି ଲକ୍ଷ୍ମୀ ବା ଶ୍ରୀକୁ ଅଧିଆ ପଡି ନିଜ ଅଂଚଳକୁ ନେବାର ଦୃଷ୍ଟାନ୍ତ ନାହିଁ।
ଓଡ଼ିଶା ଏକ୍ସପ୍ରେସର ଫିଚର ସମ୍ପାଦକ ସୁନୀଲ ବୋଷ ଇତିହାସର ଇତିକଥା ସମୀକ୍ଷା କରି ଏଥିରେ ବିଭିନ୍ନ କ୍ଷେତ୍ରର ଅନାଲୋଚିତ୍ତ ତଥ୍ୟ ଉପସ୍ଥାପିତ ହୋଇପାରିଛି ବୋଲି ମତ ଦେଇଥିଲେ। ଏହି ଅବସରରେ ଆଧ୍ୟାତ୍ମବାଦୀ ବ୍ୟକ୍ତିତ୍ୱ ତଥା ସାହିତ୍ୟିକ ଲଡୁକିଶୋର ଦାଶ, ସାହିତ୍ୟିକ ତଥା ପରିବେଶବିତ୍ ରାଜକିଶୋର ପାଣିଗ୍ରାହୀ, ଖ୍ୟାତନାମା ଚିକିତ୍ସକ ଡା. ଯୋଗେଶ ଚନ୍ଦ୍ର ଚୌଧୁରୀ, ଦଧିମାଛଗାଡ଼ିଆ ଶ୍ରୀ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ସମିତିର ମୁଖ୍ୟ ସଂଯୋଜକ ମାନସ ରଂଜନ ପଟ୍ଟନାୟକ, ସାହିତ୍ୟିକ ତଥା ପ୍ରକାଶକ ଦେବାଶିଷ ସାମନ୍ତରାୟ, ବିଶ୍ୱଜୀବନ ସେବାସଂଘର ସମ୍ପାଦକ ବୈଦ୍ୟନାଥ ବରାଳ ପ୍ରମୁଖଙ୍କୁ ସମ୍ବର୍ଧିତ କରାଯାଇଥିଲା।
ଐତିହାସିକ ସତ୍ୟବାଦୀ ବଳିଆରସିଂହ ନିଜ ବକ୍ତବ୍ୟରେ ନିଜ ମାତୃଭୂମିକୁ କେହିି ଭୁଲିବା ଉଚିତ ନୁହେଁ ବୋଲି ମତ ଦେଇଥିଲେ। ଖୋର୍ଦ୍ଧାରେ ରହୁଥିଲେ ମଧ୍ୟ ନିଜ ଜନ୍ମମାଟି ରଣପୁରକୁ ସେ ଭୁଲିନାହାନ୍ତି ବୋଲି କହିଥିଲେ। ନିଜର ଜୀବନକୁ ସେ ସାହିତ୍ୟ, ସଂସ୍କୃତି ତଥା ସମାଜ ପାଇଁ ଉତ୍ସର୍ଗ କରିଛନ୍ତି ଏବଂ ଏହା ତାଂକୁ ଆତ୍ମତୃପ୍ତି ଦେଉଛି ବୋଲି ସେ ମତ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ କେରେଣ୍ଡାଟାଙ୍ଗୀର ପୂର୍ବତନ ସରପଂଚ ପ୍ରତିଭାରାଣୀ ମହାନ୍ତି, ମନୋଜ ଦାସ, ଶାନ୍ତିଲତା ବଳିଆରସିଂହ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଅଧ୍ୟାପକ କାଶୀନାଥ ପ୍ରଧାନ ପ୍ରମୁଖ ଶ୍ରୀ ବଳିଆରସିଂହଙ୍କ ଗଠନମୂଳକ କାର୍ଯ୍ୟଧାରା ଓ ସମୟାନୁବର୍ତିତାର ପ୍ରଶଂସା କରିଥିଲେ। ମୁଖ୍ୟଅତିଥି ରବିନାରାୟଣ ମହାପାତ୍ର ଶୀ ବଳିଆରସିଂହଙ୍କ ମାଟିମନସ୍କ ଭାବକୁ ପ୍ରଶଂସା କରି ଦ୍ୱିତୀୟ ଶ୍ରୀକ୍ଷେତ୍ର ପୁସ୍ତକର ସଫଳତା କାମନା କରିଥିଲେ। ମୁଖ୍ୟବକ୍ତା ଓଡ଼ିଶା ଏକ୍ସପ୍ରେସର ସମ୍ପାଦକ ତଥା ବରିଷ୍ଠ ସାହିତ୍ୟିକ ଉମାପଦ ବୋଷ ସତ୍ୟବାଦୀବାବୁଙ୍କ ଦ୍ୱାରା ଆମଂତ୍ରିତ ହୋଇ ୪୦ ବର୍ଷ ତଳେ ତାଂକ ଗାଁ ଗଡ଼ବାଣୀକିଲୋ ଯାଇ ସାଂପ୍ରତିକ ସଂପ୍ରୀତିର ସୁନ୍ଦର ସମନ୍ୱୟ ଦେଖିବାକୁ ପାଇଥିବାର ଅନୁଭୂତି ପ୍ରକାଶ କରିଥିଲେ। ସଭାପତି ଭୀମସେନ ପ୍ରଧାନ ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।
କବି ଗୋବିନ୍ଦ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍ତମ୍ଭକାର ସମରେନ୍ଦ୍ର ବଳିଆସିଂହ, ଶିଳାଦିତ୍ୟ ବଳିଆରସିଂହ, ଜ୍ୟୋତିରଂଜନ ସାହୁ ଏଥିରେ ସହଯୋଗ କରିଥିଲେ। କବି ରାଜକିଶୋର ପାଣିଗ୍ରାହୀ ଅତିଥି ପରିଚୟ ଓ କଣ୍ଠଶିଳ୍ପୀ ଚିନ୍ମୟୀ ପଣ୍ଡା ସ୍ୱାଗତ ସଂଗୀତ ଗାନ କରିଥିଲେ। ତ୍ରିନାଥ ଚରଣ କଳା ସାହିତ୍ୟ ସଂସଦର ସମ୍ପାଦିକା ଇତିଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
