ଭୁବନେଶ୍ୱର:୨୩/୦୪-: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିପରିଷଦର ସପ୍ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ,ରାଜ୍ୟ ଗଠନର ଶତବାର୍ଷିକୀ ପାଳନ ଅବସରରେ ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଉଚ୍ଚାଭିଳାଷୀ ସଂକଳ୍ପ ନେଇଛନ୍ତି। ୨୦୪୭ ସୁଦ୍ଧା ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ନୀତି ଆୟୋଗଙ୍କ ସହଯୋଗରେ ସରକାର ଅଗଷ୍ଟ ୨୦୨୪ ଠାରୁ ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅନ୍ତର୍ଭୁକ୍ତି, ସମୃଦ୍ଧି ଓ ସମ୍ପନ୍ନତା ଏହି ଭିଜନ ଦସ୍ତାବିଜର ଆଧାର। ୨୦୪୭ ସୁଦ୍ଧା୧.୫ ଟ୍ରିଲିୟନ ଆମେରିକୀୟ ଡଲାର ମୂଲ୍ୟର ଜିଏସଡିପି ବା ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ ଲକ୍ଷ ହାସଲ କରିବା ଏବଂ ଭାରତର ଜିଡିପିର ୫% ଅଂଶଦାର ହେବାପାଇଁ ଓଡିଶା ଏପର୍ଯ୍ୟନ୍ତ ହାସଲ କରିଥିବା ଅର୍ଥନୈତିକ ଅଭିବୃଦ୍ଧି ହାରକୁ ଅତିକ୍ରମ କରିବା ସହ ଏହାକୁ ଦ୍ରୁତତର କରିବା ଆବଶ୍ୟକ।
ସେ କହିଥିଲେ ଯେ ଏହା ଆମ ପାଇଁ ଏକ ଆହ୍ୱାନ ଓ ସୁଯୋଗ। ସହଯୋଗୀ ପରିବେଶ, ସରକାରୀ-ବେସରକାରୀ ନିବେଶ, କାର୍ଯ୍ୟାନ୍ୱୟନ ଜନିତ ସହାୟତା ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସମନ୍ୱୟ ବ୍ୟବସ୍ଥା ସହ ଏହା ହାସଲ ହୋଇପାରିବ। ୨୦୩୬ ସୁଦ୍ଧା ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ୩୬ଟି ସର୍ବୋଚ୍ଚ ପ୍ରାଥମିକ କାର୍ଯ୍ୟକ୍ରମ ଚିହ୍ନଟ କରି ଏକ ରଣନୈତିକ ପଦକ୍ଷେପ ‘୩୬ ପାଇଁ ୩୬’ ଆରମ୍ଭ କରି ଓଡ଼ିଶାର ଅଭିବୃଦ୍ଧିର ପରିବର୍ତ୍ତନ ଯାତ୍ରାକୁ ତ୍ୱରାନ୍ୱିତ କରାଯିବ। ମନ୍ତ୍ରିପରିଷଦର ସୁଚିନ୍ତିତ ପରାମର୍ଶ ଓ ମାର୍ଗଦର୍ଶନ ଦ୍ଵାରା ଚିଠାକୁ ଚୂଡ଼ାନ୍ତ ରୂପ ଦେବା ସମ୍ଭବ ହେବ ଏବଂ ତଦନୁଯାୟୀ ସେଥିରେ ସ୍ଥାନିତ ଲକ୍ଷ୍ୟ ଗୁଡିକର ସଫଳ ରୂପାୟନ ପାଇଁ ଏକ କାର୍ଯ୍ୟାନ୍ଵୟନ ଖସଡା ପ୍ରସ୍ତୁତ କରାଯାଇ ପାରିବ।

ଏହି ବୈଠକରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାର ହାସଲ କରିବାକୁ ରପ୍ତାନୀ ଭିତ୍ତିକ ଉତ୍ପାଦନର ଆବଶ୍ୟକତା ଓବିଭିନ୍ନ ନିୟମାବଳୀର ଅନୁପାଳନ ଓ ସରକାରୀ ନିୟନ୍ତ୍ରଣର ପ୍ରତିବନ୍ଧକ ହ୍ରାସ ସମ୍ବନ୍ଧରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସୂଚନା ପ୍ରଦାନ କରିଥିଲେ।ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ୬ ଟି ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର ସଦସ୍ୟମାନେ ଭିଜନ ଦସ୍ତାବିଜର ବିଭିନ୍ନ ଦିଗ ଓ ଲକ୍ଷ୍ୟ ସହ ‘୩୬ ପାଇଁ ୩୬’ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ଗୁଡିକୁ ମିଳିତ ଭାବେ ଉପସ୍ଥାପନା କରିଥିଲେ।
ମୁଖ୍ୟମନ୍ତ୍ରୀ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦେବାର ଆବଶ୍ୟକତା ସମ୍ବନ୍ଧରେ ଗୁରୁତ୍ୱ ଆରୋପ କରିବା ସହ ରାସ୍ତା, ରେଳପଥ, ବନ୍ଦର ଓ ବିମାନ ଯୋଗାଯୋଗ ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରଣୟନ ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ଆଲୋଚନାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ,ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିବା ସହ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
ବୈଠକରେ ସ୍ଥିର ହୋଇଥିଲା ଯେ, ଆଗାମୀ ୧୫ ଦିନ ମଧ୍ୟରେ ‘ଓଡ଼ିଶା ଭିଜନ୨୦୩୬ ଓ ୨୦୪୭’ ଉପରେ ରାଜ୍ୟର ୪ ଟି ସ୍ଥାନରେ ଆଞ୍ଚଳିକ କର୍ମଶାଳାର ଆୟୋଜନ କରାଯିବ। ବିଭିନ୍ନ ସ୍ତରରେ ଜନ ପ୍ରତିନିଧି, ଜନସାଧାରଣ, ନାଗରିକ ସମାଜ, ବୁଦ୍ଧିଜୀବୀଙ୍କ ସହିତ ବିଚାରବିମର୍ଶ କରାଯାଇ ଏହି ଭିଜନ ଦସ୍ତାବିଜକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ।