-ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା, ପତ୍ନୀଙ୍କୁ ନିଯୁକ୍ତି ଏବଂ ପୁଅର ପାଠପଢା ଖର୍ଚ୍ଚ ସରକାର ବହନ କରିବେ
ଭୁବନେଶ୍ୱର:୨୪/୪-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱର ଜିଲ୍ଲାର ଇସାଣି ଗ୍ରାମରେ ପହଞ୍ଚି ସ୍ୱର୍ଗତ ପ୍ରଶାନ୍ତ ଶତପଥିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କାଶ୍ମୀରର ପେହଲଗାମ ଠାରେ ଉଗ୍ରପନ୍ଥୀଙ୍କ ଗୁଳିର ଶିକାର ହୋଇ ମୃତ୍ୟୁବରଣ କରିଥିବା ଓଡିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥିଙ୍କ ମରଶରୀର ତାଙ୍କ ଗାଁ ମାଟି ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକର ଇସାଣି ଗାଁରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚି ତାଙ୍କ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କ ସହିତ ୨୦ ମିନିଟ୍ ସମୟ ଅତିବାହିତ କରିଥିଲେ। ମୁଖ୍ୟମନ୍ତ୍ରୀ ଏହାପରେ ସ୍ୱର୍ଗତ ପ୍ରଶାନ୍ତଙ୍କ ଶବାଧାର ସହ ଶ୍ମଶାନକୁ ଯାଇ ଶେଷ ଦର୍ଶନ କରିଥିଲେ।

ପରଲୋକଗତ ଆତ୍ମାର ସଦ୍ଗତି କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କ ପରିବାରର ଦୁଃଖ ଦେଖି ‘ମୁଁ ଗଭୀର ମର୍ମାହତ’। ପ୍ରଶାନ୍ତଙ୍କ ପରିବାର ପାଇଁ ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱର୍ଗତ ପ୍ରଶାନ୍ତଙ୍କ ନିକଟତମ ଆତ୍ମୀୟଙ୍କୁ ୨୦ ଲକ୍ଷ ଟଙ୍କା ସହାୟତା, ପତ୍ନୀଙ୍କ ପାଇଁ ନିଯୁକ୍ତି ଦିଆଯିବା ସହିତ ତାଙ୍କ ପୁଅର ପାଠପଢା ପାଇଁ ଆବଶ୍ୟକ ବ୍ୟବସ୍ଥା ରାଜ୍ୟ ସରକାର କରିବେ। ଏହି ଆତଙ୍କବାଦୀ ଘଟଣାର ତୀବ୍ରନିନ୍ଦା କରି ସେ କହିଥିଲେ ଯେ, ଉଗ୍ରପନ୍ଥୀମାନଙ୍କ କାର୍ଯ୍ୟ ଅତ୍ୟନ୍ତ ଅମାନବୀୟ ଓ କାପୁରୁଷୋଚିତ। ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।