ଭୁବନେଶ୍ୱର:୧୮/୫-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମୀକ୍ଷାରୁ ଜଣାଯାଇଛି, ବୌଦ୍ଧ ଜିଲ୍ଲାବାସୀଙ୍କୁ ଉନ୍ନତ ଗମନାଗମନ ସୁବିଧା ଉପଲବ୍ଧ କରିବା ପାଇଁ ପ୍ରାୟ ୨୮ କୋଟି ଟଙ୍କା ମୂଲ୍ୟର ସଡ଼କ ପ୍ରକଳ୍ପ ପାଇଁ ନିକଟରେ ଶିଳାନ୍ୟାସ ଦିଆଯାଇଛି। ଖୁବ୍ ଶୀଘ୍ର ବୌଦ୍ଧରେ ଏକ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ନୂଆ ବସ୍ଷ୍ଟାଣ୍ଡ କରାଯିବ। ବୌଦ୍ଧ ରେଳଷ୍ଟେସନ କାର୍ଯ୍ୟ ପ୍ରାୟତଃ ସଂପୂର୍ଣ୍ଣ ହୋଇଛି। ନୟାଗଡରୁ ବୌଦ୍ଧକୁ ରେଳଗାଡି ଗଡିବ ବୋଲି ସେ ପ୍ରକାଶ କରିଥିଲେ। ଯଥା ଶୀଘ୍ର ଏହି ସବୁ ପ୍ରକଳ୍ପ ଗୁଡ଼ିକ ଉଦ୍ଘାଟନ କରାଯିବ।

ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିଭାଗୀୟ କାର୍ଯ୍ୟ ଗୁଡିକ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ତଥ୍ୟ ନେବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ପ୍ରଶ୍ନ କରିଥିଲେ ଏବଂ ଯେଉଁ କାର୍ଯ୍ୟ ଗୁଡିକ ମନ୍ଥର ଗତିରେ ଚାଲିଛି ତାହାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସେ ଗ୍ରାମ୍ୟ ଉନ୍ନୟନ, ସଡ଼କ, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତିକରଣ, କୃଷି ସମେତ ଶିଳ୍ପ ସମ୍ବନ୍ଧରେ ବିଶଦ ଭାବେ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇଥିଲେ। ବୌଦ୍ଧ ଜିଲ୍ଲାରେ ଏହି ସବୁ କାର୍ଯ୍ୟର ଉପଯୁକ୍ତ କାର୍ଯ୍ୟନ୍ୱୟନ ଏବଂ ଏହାର କାର୍ଯ୍ୟକାରୀତାର ହାର ଦେଖି ମୁଖ୍ୟମନ୍ତ୍ରୀ ଏହାର ଅଧିକ ପ୍ରଗତି ପାଇଁ ନିର୍ଦ୍ଦେଶ ଦେଇଥିଲେ।
କିଛି ପ୍ରକଳ୍ପରେ ବିଳମ୍ବ ହେଉଥିବା ଯୋଗୁଁ ସମସ୍ତ ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବା ଆବଶ୍ୟକ ବୋଲି ସେ କହିଥିଲେ। ସମୀକ୍ଷା ବୈଠକରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ କହ୍ନାଇ ଚରଣ ଡାଙ୍ଗ, ଆରକ୍ଷୀ ମହା ନିରୀକ୍ଷକ ନୀତି ଶେଖର, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ସିଡିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ପ୍ରଶାସନିକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।