ଭୁବନେଶ୍ୱର:୨୫/୫- ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍ ଚାମ୍ପିୟନ୍ସିପ୍-୨୦୨୫ ଆୟୋଜନ କରାଯାଉଛି। ଏହି ଉପଲକ୍ଷେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ ସିଏମ୍ ଟ୍ରଫି ଫୁଟବଲ ଚାମ୍ପିୟନ୍ସିପ୍-୨୦୨୫ର ଲୋଗୋ, ଟ୍ରଫି, ଜର୍ସି ଏବଂ ଆନ୍ଥେମ୍ ଉନ୍ମୋଚନହୋଇଛି ।

ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍ ଚାମ୍ପିୟନ୍ସିପ୍ର ପ୍ରଥମ ପର୍ଯ୍ୟାୟ ଗତ ଜାନୁଆରୀ ମାସ ୧୬ ତାରିଖରୁ ଏପ୍ରିଲ ମାସ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାମାନଙ୍କରେ ରହିଥିବା ୨୭୧ଟି ଫୁଟବଲ୍ କ୍ଲବ ଏବଂ ୫ ହଜାରରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ଦ୍ଵିତୀୟ ପର୍ଯ୍ୟାୟ ଅର୍ଥାତ୍ ଜୋନାଲ୍ ସ୍ତରୀୟ ସିଏମ୍ ଟ୍ରଫି ଚାମ୍ପିୟନ୍ସିପ୍ ଆସନ୍ତା ୨୮ ତାରିଖରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଜିଲ୍ଲାସ୍ତରରୁ ଚୟନ ହୋଇ ଆସିଥିବା ଦଳକୁ ୪ ଗୋଟି ଜୋନ୍ (ଜୋନ୍- ସମ୍ବଲପୁର, ଭୁବନେଶ୍ୱର, କେନ୍ଦୁଝର ଏବଂ ବ୍ରହ୍ମପୁର)ରେ ବିଭକ୍ତ କରାଯାଇ ପ୍ରତିଯୋଗିତାର ଆୟୋଜନ କରାଯିବ। ଜୋନାଲ ସ୍ତରୀୟ ପ୍ରତିଯୋଗିତା ସମାପ୍ତ ହେବା ପରେ ସିଏମ୍-ଟ୍ରଫି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।

ଜିଲ୍ଲାରୁ ଜୋନାଲ୍ ଏବଂ ଜୋନାଲ୍ରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଏହିପରି ଭାବରେ ତିନୋଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତାକୁ ଆୟୋଜନ କରାଯାଉଥିବାରୁ ତୃଣମୂଳସ୍ତରରୁ ଆସୁଥିବା କ୍ରୀଡ଼ାବିତମାନେ ନିଜ ପ୍ରତିଭା ପ୍ରଦର୍ଶନ ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ପାଇପାରିବ ବୋଲି କ୍ରୀଡା ମନ୍ତ୍ରୀ କହିଛନ୍ତି।