• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛି: ପ୍ରଧାନମନ୍ତ୍ରୀ

ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛି: ପ୍ରଧାନମନ୍ତ୍ରୀ
Share on FacebookShare on TwitterShare on Whatsapp

● ଆଜି ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତି ପାଇଁ ଆଧାର ପାଲଟିଛି, ସେହି ସମୟରେ ଓଡ଼ିଶାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ
● ବିଗତ ବର୍ଷଗୁଡ଼ିକରେ ଆମେ ଆଦିବାସୀ ସମାଜକୁ ହିଂସାରୁ ବାହାର କରି ବିକାଶର ଏକ ନୂତନ ମାର୍ଗରେ ନେବା ପାଇଁ କାମ କରିଛୁ

ଭୁବନେଶ୍ୱର 20/6-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଏବଂ ସେତୁ, ଜାତୀୟ ରାଜପଥର କେତେକ ଖଣ୍ଡ ଏବଂ ଏକ ନୂତନ ରେଳ ଲାଇନ ସମେତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ।
ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଜୁନ୍ ୨୦ ତାରିଖ ହେଉଛି ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ। ଆଜିର ଦିନରେ ଓଡ଼ିଶାର ପ୍ରଥମ ବିଜେପି ସରକାରଙ୍କର ଗୋଟିଏ ବର୍ଷ ପୂରଣ ହେଉଛି । ଏହି ବାର୍ଷିକୀ ପାଳନ କେବଳ ଏକ ସରକାରଙ୍କର ନୁହେଁ, ବରଂ ଜନସେବା ଏବଂ ଜନ ବିଶ୍ୱାସ ପ୍ରତି ଉତ୍ସର୍ଗୀକୃତ ସୁଶାସନ ପ୍ରତିଷ୍ଠାର ବାର୍ତ୍ତା ଦେଉଛି। ସରକାର ଓଡ଼ିଶାର କୋଟି କୋଟି ମତଦାତାଙ୍କ ଆଶା ପୂରଣ କରିବା ପାଇଁ ଆନ୍ତରିକ ପ୍ରୟାସ କରିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ ଓଡ଼ିଶାବାସୀଙ୍କର ସମର୍ଥନ ଏବଂ ବିଶ୍ୱାସକୁ ସ୍ୱୀକାର କରି ସେମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସହଯୋଗୀ ଦଳକୁ ସେମାନଙ୍କର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏମାନଙ୍କର ପ୍ରୟାସ ଓଡ଼ିଶାର ବିକାଶକୁ ନୂତନ ଗତି ଦେଇଛି।

ଶ୍ରୀ ମୋଦୀ କହିଥିଲେ, ଓଡ଼ିଶା କେବଳ ଏକ ରାଜ୍ୟ ନୁହେଁ, ବରଂ ଭାରତର ସମୃଦ୍ଧ ଐତିହ୍ୟର ଏକ ଉଜ୍ଜ୍ୱଳ ନକ୍ଷତ୍ର। ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଏବଂ ସଂସ୍କୃତିକୁ ସମୃଦ୍ଧ କରିଆସିଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ବର୍ତ୍ତମାନ ସମୟରେ, ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତି ପାଇଁ ମୂଳଦୁଆ ପାଲଟିଛି, ଓଡ଼ିଶାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶା ଏହାର ଐତିହ୍ୟକୁ ସଂରକ୍ଷଣ କରିବା ସହିତ ବିକାଶର ମନ୍ତ୍ରକୁ ଆନ୍ତରିକତାର ସହିତ ଗ୍ରହଣ କରିଛି। ରାଜ୍ୟ ଏହି ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ିଛି।


ଓଡ଼ିଶାରେ ତାଙ୍କ ସରକାରର ପ୍ରଥମ ବର୍ଷ ପୂରଣ ହେବା ସହିତ ଲୋକମାନେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତିରେ ନିୟୋଜିତ ହେବା ଏକ ପବିତ୍ର ସଂଯୋଗ ବୋଲି ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ମହାପ୍ରଭୁ ଜଗନ୍ନାଥ ଏକ ବିଶାଳ ପ୍ରେରଣାର ଉତ୍ସ। ମହାପ୍ରଭୁଙ୍କ ଆଶୀର୍ବାଦରେ ଶ୍ରୀମନ୍ଦିର ସହ ଜଡିତ ସମସ୍ୟାର ମଧ୍ୟ ସମାଧାନ ହୋଇଛି। କୋଟି କୋଟି ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେବା ପାଇଁ ମୋହନ ମାଝୀ ଏବଂ ତାଙ୍କ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ସରକାର ଗଠନ ହେବା ପରେ ତୁରନ୍ତ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଇଥିଲା। ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମଧ୍ୟ ଖୋଲାଯାଇଛି। ଏହା ରାଜନୈତିକ ବିଜୟର ବିଷୟ ନୁହେଁ ବରଂ କୋଟି କୋଟି ଭକ୍ତଙ୍କ ଆସ୍ଥାକୁ ସ୍ୱୀକାର କରିବାର ଏକ ସମ୍ମାନଜନକ କାର୍ଯ୍ୟ ବୋଲି ସେ ସ୍ପଷ୍ଟ କରିଥିଲେ। ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, କାନାଡାରେ ଜି-୭ ଶିଖର ସମ୍ମିଳନୀ ସମାପ୍ତ ହେବା ପରେ ଆମେରିକା ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ ନିମନ୍ତ୍ରଣକୁ ସେ ବିନମ୍ରତାର ସହିତ ଅସ୍ୱୀକାର କରିଥିଲେ, କାରଣ ସେ ଆଜି ଭଗବାନ ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟିକୁ ଆସିବା ଲାଗି ଯୋଜନା କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ଦେଶର ଲୋକମାନେ ପୂର୍ବ ଶାସନ ମଡେଲ ଦେଖିଥିଲେ, ଯେଉଁଥିରେ ସୁଶାସନର ଅଭାବ ଥିଲା ଏବଂ ଏହା ଲୋକଙ୍କ ଜୀବନକୁ ସହଜ କରି ପାରିନଥିଲା। ବିକାଶ ପ୍ରକଳ୍ପଗୁଡ଼ିକୁ ବିଳମ୍ବ କରିବା, ବାଧା ସୃଷ୍ଟି କରିବା ଓ ଦିଗହରା କରିବା ଏବଂ ବ୍ୟାପକ ଦୁର୍ନୀତି ପାଇଁ ପୂର୍ବ ଶାସନ ମଡେଲକୁ ଶ୍ରୀ ମୋଦୀ ସମାଲୋଚନା କରିଥିଲେ। ସେ କହିଥିଲେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆମ ବିକାଶ ମଡେଲକୁ ଦେଶ ବ୍ୟାପକ ଭାବରେ ଅନୁଭବ କରିଛି। ଗତ ଦଶନ୍ଧିରେ, ଅନେକ ରାଜ୍ୟ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନର ସାକ୍ଷୀ ହୋଇଛନ୍ତି। ଏହି ରାଜ୍ୟଗୁଡ଼ିକ କେବଳ ସରକାରରେ ପରିବର୍ତ୍ତନ ଦେଖି ନାହାଁନ୍ତି, ବରଂ ସାମାଜିକ ଏବଂ ଅର୍ଥନୈତିକ ପରିବର୍ତ୍ତନର ଏକ ନୂତନ ଯୁଗରେ ପ୍ରବେଶ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ପୂର୍ବ ଭାରତର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏକ ଦଶନ୍ଧି ପୂର୍ବରୁ, ଆସାମ ଅସ୍ଥିରତା, ବିଚ୍ଛିନ୍ନତାବାଦ ଏବଂ ହିଂସାରେ ଜର୍ଜରିତ ଥିଲା। ଆଜି, ଆସାମ ଏକ ନୂତନ ବିକାଶ ପଥରେ ଅଗ୍ରଗତି କରୁଛି। ଶ୍ରୀ ମୋଦୀ ଆହୁରି କହିଥିଲେ, ଅନେକ ଦଶନ୍ଧି ଧରି ଚାଲିଥିବା ବିଦ୍ରୋହୀ କାର୍ଯ୍ୟକଳାପ ଏବେ ବନ୍ଦ ହୋଇଯାଇଛି। ଆସାମ ଏବେ ଅନେକ ମାପଦଣ୍ଡରେ ଦେଶର ଅନେକ ରାଜ୍ୟକୁ ପଛରେ ପକାଇ ଦେଇଛି। ତ୍ରିପୁରା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଦଶନ୍ଧି ଦଶନ୍ଧି ଧରି ବାମପନ୍ଥୀ ଶାସନ ପରେ, ଲୋକମାନେ ତାଙ୍କ ଦଳକୁ ସୁଯୋଗ ଦେଇଥିଲେ। ପୂର୍ବରୁ ତ୍ରିପୁରା ପ୍ରତ୍ୟେକ ବିକାଶ ସୂଚକାଙ୍କରେ ପଛରେ ପଡ଼ିଥିଲା । ଭିତ୍ତିଭୂମି ଭୁଶୁଡ଼ି ପଡ଼ିଥିଲା ଏବଂ ସରକାରୀ ବ୍ୟବସ୍ଥା ଜନସାଧାରଣଙ୍କ ସମସ୍ୟା ସମାଧାନ ପ୍ରତି ପ୍ରତିକ୍ରିୟାଶୀଳ ନଥିଲା। ହିଂସା ଏବଂ ଦୁର୍ନୀତି ଦ୍ୱାରା ଲୋକମାନେ ଅସୁବିଧାରେ ପଡ଼ିଥିଲେ । ହେଲେ ଆଜି ତ୍ରିପୁରା ଶାନ୍ତି ଏବଂ ପ୍ରଗତିରେ ଏକ ପ୍ରତୀକ ଭାବରେ ଉଭା ହେଉଛି ବୋଲି ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଅନେକ ଦଶନ୍ଧି ଧରି ଓଡ଼ିଶା ମଧ୍ୟ ଅନେକ ଆହ୍ୱାନକୁ ନେଇ ସଂଘର୍ଷ କରିଆସୁଥିଲା। ଗରିବ କିମ୍ବା ଚାଷୀମାନେ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପାଇନଥିଲେ। ଦୁର୍ନୀତି ଏବଂ ଲାଲଫିତା ରାଜ୍ ପ୍ରାଧାନ୍ୟ ବିସ୍ତାର କରିଥିଲା। ରାଜ୍ୟସାରା ଭିତ୍ତିଭୂମି ଏକ ଭୟଙ୍କର ସ୍ଥିତିରେ ଥିଲା। ବିକାଶ ପ୍ରକ୍ରିୟାରେ ଓଡ଼ିଶାର ଅନେକ ଅଞ୍ଚଳ କ୍ରମଶଃ ପଛରେ ପଡ଼ିଯାଉଥିଲା। ଏପରି ଆହ୍ୱାନପୂର୍ଣ୍ଣ ସ୍ଥିତି ଓଡ଼ିଶାର ଦୁର୍ଭାଗ୍ୟଜନକ ବାସ୍ତବତା ପାଲଟିଥିଲା। ଗତ ଏକ ବର୍ଷ ଧରି ସେମାନଙ୍କ ସରକାର ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ପୂର୍ଣ୍ଣ ସଂକଳ୍ପ ସହିତ କାର୍ଯ୍ୟ କରିଛି ବୋଲି ସେ ଦୃଢ଼ତାର ସହିତ କହିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶ ମଡେଲର ମିଶ୍ରଣ, ଦୃଶ୍ୟମାନ ଫଳାଫଳ ଦେଖାଇବା ଆରମ୍ଭ କରିଛି। ଆଜି ଉଦଘାଟିତ ଏବଂ ଆରମ୍ଭ ହୋଇଥିବା ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆଭିମୁଖ୍ୟର ମିଶ୍ର ପ୍ରଭାବକୁ ପ୍ରତିଫଳିତ କରେ। ସେ କହିଥିଲେ ଯେ ଏହି ମଡେଲ ଓଡ଼ିଶାବାସୀଙ୍କ ପାଇଁ ଦୁଇଗୁଣ ଲାଭ ଆଣିଛି। ଏକ ଉଦାହରଣ ଦେଇ ଶ୍ରୀ ମୋଦୀ ମନେ ପକାଇ ଦେଇଥିଲେ ଯେ ଦୀର୍ଘ ସମୟ ଧରି ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ପରିବାର ଆୟୁଷ୍ମାନ ଭାରତ ଯୋଜନାର ପରିସର ବାହାରେ ରହିଥିଲେ। ଆଜି, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଉଭୟ ଏକତ୍ର ରାଜ୍ୟରେ ଲାଗୁ ହୋଇଛି । ଏହା ଦ୍ୱାରା ଓଡ଼ିଶାର ପ୍ରାୟ ୩ କୋଟି ଲୋକଙ୍କ ପାଇଁ ମାଗଣା ଚିକିତ୍ସା ସୁନିଶ୍ଚିତ ହୋଇଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ସୁବିଧା କେବଳ ଓଡ଼ିଶାର ଡାକ୍ତରଖାନାରେ ନୁହେଁ ବରଂ ଦେଶର ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ। ଏହି ଯୋଜନାରେ ଏପର୍ଯ୍ୟନ୍ତ ଓଡ଼ିଶାର ୨ ଲକ୍ଷ ଲୋକ ମାଗଣା ଚିକିତ୍ସା ପାଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଲୋକ ୧୨ରୁ ଅଧିକ ରାଜ୍ୟରେ ମାଗଣା ଚିକିତ୍ସା ପାଇଛନ୍ତି। ଏପରି ଚିକିତ୍ସା ସୁବିଧା ମାତ୍ର ଗୋଟିଏ ବର୍ଷ ପୂର୍ବରୁ ଅକଳ୍ପନୀୟ ଥିଲା। ଶ୍ରୀ ମୋଦୀ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଡେଲର ଏହି ମିଶ୍ରଣ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ଆହୁରି ମୂଲ୍ୟ ଆଣିଛି। ଓଡ଼ିଶାରେ ୭୦ ବର୍ଷରୁ ଅଧିକ ବୟସର ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ବର୍ତ୍ତମାନ ଏହି ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ଯୋଗ୍ୟ ହୋଇଛନ୍ତି । ଏହା ସାଧାରଣ ପରିବାର ଉପରେ ସ୍ୱାସ୍ଥ୍ୟସେବା ବୋଝକୁ ବହୁ ପରିମାଣରେ ହ୍ରାସ କରିଛି। ସେହିପରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଓଡ଼ିଶାର ଚାଷୀମାନେ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇ ନଥିଲେ। ବର୍ତ୍ତମାନ, ଚାଷୀମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉଭୟ ଯୋଜନାରୁ ଦ୍ୱିଗୁଣିତ ଲାଭ ପାଉଛନ୍ତି। ସରକାର ଧାନ ପାଇଁ ଅଧିକ କ୍ରୟ ମୂଲ୍ୟ ପ୍ରତିଶ୍ରୁତି ଦେଇଥିଲେ, ଯାହା ଓଡ଼ିଶାର ଲକ୍ଷ ଲକ୍ଷ ଧାନ ଚାଷୀଙ୍କୁ ଲାଭ ଦେଇଛି ବୋଲି ସେ କହିଥିଲେ।


ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ, ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଥିଲା ଯାହାର ଓଡ଼ିଶା ସମ୍ପୂର୍ଣ୍ଣ ଲାଭ ପାଇପାରିନଥିଲା। ଆଜି ଲୋକମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉଭୟ ଯୋଜନାର ଲାଭ ପାଉଛନ୍ତି। ସେ ଆହୁରି କହିଛନ୍ତି ଯେ ମହିଳା, ଚାଷୀ ଏବଂ ଯୁବକମାନଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ଗ୍ୟାରେଣ୍ଟି ଦ୍ରୁତ ଗତିରେ କାର୍ଯ୍ୟକାରୀ ହୋଇଛି।
ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ସରକାରଙ୍କ ଏକ ପ୍ରମୁଖ ସଫଳତା ହେଉଛି ଅବହେଳିତ ବର୍ଗର ସଶକ୍ତିକରଣ। ଓଡ଼ିଶାରେ ବହୁସଂଖ୍ୟାରେ ଆଦିବାସୀ ଲୋକ ବସବାସ କରନ୍ତି। ଅତୀତରେ, ଆଦିବାସୀ ସମ୍ପ୍ରଦାୟ ପଛୁଆ, ଦରିଦ୍ର ଏବଂ ବଞ୍ଚିତ ହୋଇ ନିୟମିତ ଅବହେଳାର ସମ୍ମୁଖୀନ ହୋଇଥିଲେ। ଦୀର୍ଘ ସମୟ ଧରି ଦେଶକୁ ଶାସନ କରୁଥିବା ଦଳ ରାଜନୈତିକ ଲାଭ ପାଇଁ ଆଦିବାସୀ ଜନସଂଖ୍ୟାକୁ ଶୋଷଣ କରିଥିଲା। କାରଣ ଏହି ଦଳ ବିକାଶ ପ୍ରଦାନ କରିନଥିଲା କିମ୍ବା ଆଦିବାସୀ ସମ୍ପ୍ରଦାୟର ଅଂଶଗ୍ରହଣକୁ ସୁନିଶ୍ଚିତ କରିନଥିଲା। ସେମାନେ ଦେଶର ବିସ୍ତୃତ ଅଞ୍ଚଳକୁ ନକ୍ସଲବାଦ, ହିଂସା ଏବଂ ଅତ୍ୟାଚାରର ନିଆଁରେ ଠେଲି ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏହି ପରିପ୍ରେକ୍ଷୀରେ ଶ୍ରୀ ମୋଦୀ କହିଥିଲେ ଯେ ୨୦୧୪ ପୂର୍ବରୁ, ଦେଶର ୧୨୫ ରୁ ଅଧିକ ଆଦିବାସୀ ବହୁଳ ଜିଲ୍ଲା ନକ୍ସଲ ହିଂସା ଦ୍ୱାରା ପ୍ରଭାବିତ ହୋଇଥିଲା। ଏହି ଆଦିବାସୀ ଅଞ୍ଚଳଗୁଡ଼ିକୁ ଅନୁଚିତ ଭାବରେ ‘ଲାଲ କରିଡର’ ନାମରେ କଳଙ୍କିତ କରାଯାଇଥିଲା। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ପଛୁଆ ଘୋଷଣା କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ପୂର୍ବ ଶାସନ ଦ୍ୱାରା ପରିତ୍ୟକ୍ତ କରାଯାଇଥିଲା। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ତାଙ୍କ ସରକାର ଆଦିବାସୀ ସମାଜକୁ ହିଂସାର ପରିବେଶରୁ ବାହାର କରି ବିକାଶର ଏକ ନୂତନ ମାର୍ଗକୁ ଆଣିବା ପାଇଁ କାର୍ଯ୍ୟ କରିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ତାଙ୍କ ସରକାର ହିଂସା ପ୍ରସାରଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଦିବାସୀ ଅଞ୍ଚଳରେ ବିକାଶର ଏକ ନୂତନ ଧାରା ଆରମ୍ଭ ହୋଇଛି, ଫଳସ୍ୱରୂପ, ନକ୍ସଲ ହିଂସାର ପ୍ରଭାବ ଏବେ ଦେଶର ୨୦ ରୁ କମ୍ ଜିଲ୍ଲାକୁ ହ୍ରାସ ପାଇଛି। ବର୍ତ୍ତମାନ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନର ଗତି ସହିତ, ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ଶୀଘ୍ର ହିଂସାର ଛାୟାରୁ ମୁକ୍ତ ହେବେ, ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ କରାଯିବ ବୋଲି ଶ୍ରୀ ମୋଦୀ କହିଥିଲେ।
ଆଦିବାସୀ ସମ୍ପ୍ରଦାୟର ସ୍ୱପ୍ନ ପୂରଣ କରିବା, ସେମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କ ଜୀବନର ଅସୁବିଧା ହ୍ରାସ କରିବା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ପ୍ରଥମ ଥର ପାଇଁ ଆଦିବାସୀ ବିକାଶ ପାଇଁ ବିଶେଷ ଭାବରେ ଦୁଇଟି ପ୍ରମୁଖ ଜାତୀୟ ଯୋଜନା ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ଦୁଇଟି ପଦକ୍ଷେପ ପାଇଁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଉଛି। ପ୍ରଥମ ଯୋଜନାକୁ ଧରତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ବୋଲି ସେ ସୂଚନା ଦେଇଥିଲେ। ଏହି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାରା ଦେଶରେ ୬୦ ହଜାରରୁ ଅଧିକ ଆଦିବାସୀ ଗ୍ରାମରେ ବିକାଶ କାର୍ଯ୍ୟ କରାଯାଉଛି। ସେ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶାରେ ମଧ୍ୟ ଆଦିବାସୀ ପରିବାର ପାଇଁ ଘର ନିର୍ମାଣ କରାଯାଉଛି, ରାସ୍ତା ନିର୍ମାଣ କରାଯାଉଛି, ଏବଂ ବିଦ୍ୟୁତ୍ ଏବଂ ପାଣି ସୁବିଧା ପ୍ରତିଷ୍ଠା କରାଯାଉଛି। ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଓଡ଼ିଶାର ୧୧ଟି ଜିଲ୍ଲାରେ ୪୦ଟି ଆବାସିକ ବିଦ୍ୟାଳୟ ମଧ୍ୟ ନିର୍ମାଣ କରାଯାଉଛି। ସେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ସରକାର ଏହି ପଦକ୍ଷେପଗୁଡ଼ିକରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ଅନ୍ୟତମ ପ୍ରମୁଖ ଯୋଜନା, ପ୍ରଧାନମନ୍ତ୍ରୀ ଜନମନ ଯୋଜନା ବିଷୟରେ ଆଲୋଚନା କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ଯୋଜନାର ପ୍ରେରଣା ଓଡ଼ିଶା ଭୂମିରୁ ଆସିଛି। ଏହି ପଦକ୍ଷେପକୁ ରୂପ ଦେବାରେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଏବଂ ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନକୁ ସେ ସ୍ୱୀକାର କରିଥିଲେ। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଏହି ଯୋଜନା ବ୍ୟାପକ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀଙ୍କୁ ସମର୍ଥନ କରିବା ଉପରେ ଧ୍ୟାନ ଦେଉଛି। ଏହି ଯୋଜନା ଅଧୀନରେ ଅନେକ ଛୋଟ ଆଦିବାସୀ ପଡ଼ାରେ ଶହ ଶହ କୋଟି ଟଙ୍କାର ବିକାଶ କାର୍ଯ୍ୟ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।
ଓଡ଼ିଶାରେ ବହୁ ସଂଖ୍ୟକ ମତ୍ସ୍ୟଜୀବୀ ବାସ କରନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରଥମ ଥର ପାଇଁ, ଏମାନଙ୍କ କଲ୍ୟାଣ ପାଇଁ ଏକ ପ୍ରମୁଖ ଦେଶବ୍ୟାପୀ ଯୋଜନା – ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ପ୍ରଣୟନ କରାଯାଇଛି। ମତ୍ସ୍ୟଜୀବୀମାନେ ଏବେ କିଷାନ କ୍ରେଡିଟ୍ କାର୍ଡ ସୁବିଧାର ଲାଭ ମଧ୍ୟ ପାଉଛନ୍ତି। ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ କେନ୍ଦ୍ର ସରକାର ୨୫ ହଜାର କୋଟିର ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିଛନ୍ତି। ଏହା ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବହୁତ ଲାଭ ଦେବ ଏବଂ ଯୁବପିଢ଼ିଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ।
ଏକବିଂଶ ଶତାବ୍ଦୀରେ ଦେଶର ଅଭିବୃଦ୍ଧି ପୂର୍ବ ଭାରତ ଦ୍ୱାରା ପରିଚାଳିତ ହେବ। ଏହା ପୂର୍ବୋଦୟର ଯୁଗ ବୋଲି ଶ୍ରୀ ମୋଦୀ ଘୋଷଣା କରିଥିଲେ। ଏହି ମନୋଭାବ ସହିତ, ସରକାର ସମଗ୍ର ପୂର୍ବ କ୍ଷେତ୍ର ସହିତ ଓଡ଼ିଶାର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ, ଏକ ବର୍ଷ ପୂର୍ବେ ସେମାନଙ୍କ ସରକାର ଗଠନ ହେବା ପରେ, ଏହି ଅଭିଯାନ ଆହୁରି ଗତି ପାଇଛି। ପାରାଦୀପରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଶିଳ୍ପ କ୍ଷେତ୍ରର ସମ୍ପ୍ରସାରଣକୁ ଉଲ୍ଲେଖ କରି ସେ କହିଥିଲେ, ଏହା ଓଡ଼ିଶାର ଖଣିଜ ଏବଂ ବନ୍ଦର-ନେତୃତ୍ୱାଧୀନ ଅର୍ଥନୀତିକୁ ସୁଦୃଢ଼ କରୁଛି। କେନ୍ଦ୍ର ସରକାର ଓଡ଼ିଶାରେ ସଡ଼କ, ରେଳ ଏବଂ ବିମାନ ସଂଯୋଗ ବୃଦ୍ଧି ପାଇଁ ହଜାର ହଜାର କୋଟି ଟଙ୍କା ନିବେଶ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ପାରାଦୀପରେ ଏକ ମେଗା ଡୁଆଲ୍-ଫିଡ୍ କ୍ରାକର୍ ଏବଂ ଡାଉନଷ୍ଟ୍ରିମ୍ ୟୁନିଟ୍ ପ୍ରତିଷ୍ଠା, ଚଣ୍ଡିଖୋଲରେ ଏକ ଅଶୋଧିତ ତୈଳ ଭଣ୍ଡାରଣ କେନ୍ଦ୍ର ଏବଂ ଗୋପାଳପୁରରେ ଏକ ଏଲଏନଜି ଟର୍ମିନାଲ ଭଳି ପ୍ରକଳ୍ପଗୁଡ଼ିକ ଓଡ଼ିଶାକୁ ଏକ ପ୍ରମୁଖ ଶିଳ୍ପ ରାଜ୍ୟ ଭାବରେ ପ୍ରତିଷ୍ଠା କରିବ। ଏହି ବିକାଶ ପେଟ୍ରୋଲିୟମ୍, ପେଟ୍ରୋକେମିକାଲ୍ସ, ବୟନଶିଳ୍ପ ଏବଂ ପ୍ଲାଷ୍ଟିକ୍ ସହିତ ଜଡିତ ଶିଳ୍ପକୁ ପ୍ରୋତ୍ସାହିତ କରିବ ବୋଲି ଶ୍ରୀ ମୋଦୀ କହିଥିଲେ। ସେ କହିଥିଲେ ଯେ ଏହା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ଏକ ବିଶାଳ ନେଟୱର୍କ ସୃଷ୍ଟି କରିବ। ଏହା ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସାମ୍ପ୍ରତିକ ବର୍ଷଗୁଡ଼ିକରେ ଓଡ଼ିଶାର ପେଟ୍ରୋଲିୟମ୍ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ନିବେଶ ହୋଇସାରିଛି । ଓଡ଼ିଶା ଭାରତର ପେଟ୍ରୋକେମିକାଲ୍ସ ହବ୍ ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବୋଲି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଡ଼ ଲକ୍ଷ୍ୟ ହାସଲ କରିବା ପାଇଁ ଦୂରଦୃଷ୍ଟି ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣ ଆବଶ୍ୟକ। ଆମର ସରକାର କେବଳ ଗୋଟିଏ ବର୍ଷର ସଫଳତା କିମ୍ବା ପାଞ୍ଚ ବର୍ଷର ଲକ୍ଷ୍ୟ ପର୍ଯ୍ୟନ୍ତ ସୀମିତ ନୁହେଁ। ଆମେ ଆଗାମୀ ଦଶନ୍ଧି ପାଇଁ ଏକ ରୋଡମ୍ୟାପ୍ ନିର୍ମାଣ କରୁଛୁ ବୋଲି ଶ୍ରୀ ମୋଦୀ କହିଥିଲେ। ଓଡ଼ିଶା ସରକାର ରାଜ୍ୟର ଶତବାର୍ଷିକୀ ବର୍ଷ-୨୦୩୬ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶା ବିଜେପି ସରକାର ଭାରତର ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି- ୨୦୪୭ ପାଇଁ ଏକ ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଭିଜନ ୨୦୩୬ ସମୀକ୍ଷା କରି, ସେ ଏହାକୁ ଅତ୍ୟନ୍ତ ମହତ୍ୱାକାଂକ୍ଷୀ ବୋଲି ବର୍ଣ୍ଣନା କରିଥିଲେ ଏବଂ ପ୍ରତ୍ୟେକ ଉଦ୍ଦେଶ୍ୟ ହାସଲ ପାଇଁ ଓଡ଼ିଶାର ଯୁବପିଢ଼ିଙ୍କ ପ୍ରତିଭା ଏବଂ ସମର୍ପଣ ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଥିଲେ। ଏକତ୍ରିତ ଭାବରେ, ଆମେ ଓଡ଼ିଶାକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହିତ ଶେଷରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।


କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାକୁ ରେଳ ସଂଯୋଗୀକରଣକୁ ବିସ୍ତାର କରୁଥିବା ନୂତନ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଦେଶର ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ପ୍ରଥମ ଥର ପାଇଁ ଯୋଡ଼ି ହୋଇଛି ।
ସ୍ୱଚ୍ଛ ଶକ୍ତି ଏବଂ ସ୍ଥାୟୀ ପରିବହନକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନ (କ୍ରୁଟ୍) ସିଷ୍ଟମ ଅଧୀନରେ ୧୦୦ଟି ବୈଦ୍ୟୁତିକ ବସ୍ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହାସହିତ ଏକ ଆଧୁନିକ, ପରିବେଶ ଅନୁକୂଳ ସହରାଞ୍ଚଳ ଗତିଶୀଳତା ନେଟୱାର୍କକୁ ସମର୍ଥନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ପ୍ରକାଶ କରିଛନ୍ତି। ୨୦୩୬ (ଯେତେବେଳେ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ୧୦୦ ବର୍ଷ ପୂରଣ କରିବ) ଏବଂ ୨୦୪୭ (ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ)ର ଐତିହାସିକ ବର୍ଷଗୁଡ଼ିକ ଉପରେ ଆଧାରିତ ଏହି ସଂକଳ୍ପ ଦସ୍ତାବିତ ସମାବେଶୀ ବିକାଶ ପାଇଁ ଏକ ମହତ୍ୱାକାଂକ୍ଷୀ ଏବଂ ଭବିଷ୍ୟତ ରୂପରେଖ ପ୍ରଦାନ କରୁଛି ।
ବିଶିଷ୍ଟ ଓଡ଼ିଆଙ୍କ ଅବଦାନକୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ, ପ୍ରଧାନମନ୍ତ୍ରୀ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ସଂଗ୍ରହାଳୟ, ବ୍ୟାଖ୍ୟାନ କେନ୍ଦ୍ର, ପ୍ରତିମୂର୍ତ୍ତି, ପାଠାଗାର ଏବଂ ସାର୍ବଜନୀନ ସ୍ଥାନ ମାଧ୍ୟମରେ ଓଡ଼ିଶାର ଐତିହ୍ୟକୁ ସମ୍ମାନିତ କରି ସାଂସ୍କୃତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ବରପୁତ୍ରମାନନଙ୍କ ଜନ୍ମସ୍ଥାନକୁ ଜୀବନ୍ତ ସ୍ମାରକୀରେ ପରିଣତ କରିବା ଲାଗି ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି ।
ରାଜ୍ୟରେ ସମୃଦ୍ଧି ଏବଂ ସ୍ୱାବଲମ୍ବନର ପ୍ରତୀକ ଭାବରେ ୧୬.୫୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦିଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନରୁ କୃତିତ୍ୱ ହାସଲ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

 

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com