-ସାମ୍ୱାଦିକଙ୍କୁ ନିମନ୍ତ୍ରଣ କରି ପୁଲିସ ଦ୍ୱାରା ମାଡ ଖୁଆଇଲେ ସରକାର
-କର୍ଡନ ପାସ୍ ଥାଇ ଛାଡିଲେନି, 7ରୁ ଅଧିକ ଆହତ
ଭୁବନେଶ୍ୱର:୨୭/୦୬-ପବିତ୍ର ରଥଯାତ୍ରାରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ପୁରୀ ନିମନ୍ତ୍ରଣ କରି ପୋଲିସ ଦ୍ୱାରା ଆକ୍ରମଣ କରାଯିବ ଘଟଣାକୁ ବିଜେଡି ଦୃଢ଼ ନିନ୍ଦା କରିଛି । ଏହାକୁ ନେଇ ସାମ୍ବାଦିକମାନଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଆଜି ଏକ ପ୍ରେସ ବିବୃତ୍ତିରେ ଦଳର ଗଣମାଧ୍ୟମ ସଂଯୋଜକ ଲେନିନ୍ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ କାର୍ଯ୍ୟରତ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକମାନଙ୍କୁ ଭୁବନେଶ୍ୱରର ଜୟଦେବ ଭବନ ନିକଟରୁ ଏକ ସ୍ୱତନ୍ତ୍ର ବସରେ ପୁରୀ ନେଇଥିଲେ। ସେଠାରେ ପହଞ୍ଚିଲା ପରେ କର୍ଡନ ପାସ୍ ଓ ପରିଚୟପତ୍ର ଦେଖାଇଲେ ମଧ୍ୟ ପୁଲିସ ସେମାନଙ୍କୁ ଖବର ସଂଗ୍ରହ କରିବାକୁ ଦେଇନଥିଲା । ଓଲଟି ପୁଲିସର ଦୃର୍ବ୍ୟବହାର ଓ ମାଡରେ ଅନେକ ସାମ୍ୱାଦିକ ଗୁରୁତର ଆହତ ହୋଇଥିଲେ। ସାମ୍ୱାଦିକ ରମେଶ ମହାନ୍ତି ଗୁରୁତର ଆହତ ହୋଇଥିଲା ବେଳେ, ପ୍ରଭୁ କଲ୍ୟାଣ ମହାପାତ୍ର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର, ସରୋଜ ରଞ୍ଜନ ପଟ୍ଟନାୟକ ଓ ହରପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଥିଲା। ମହିଳା ସାମ୍ୱାଦିକା ବିଜୟିତା ତ୍ରିପାଠୀଙ୍କ ହାତରେ ବଡ କ୍ଷତ ହେବା ଯୋଗୁଁ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସାମ୍ବାଦିକଙ୍କୁ ଠେଲାପେଲା ଓ ଆକ୍ରମଣରେ 7ଜଣରୁ ଅଧିକ ସାମ୍ୱାଦିକ ଆହତ ହୋଇ ନିଜ ଦାୟିତ୍ୱ ସମ୍ପାଦନ କରିପାରିନାହାଁନ୍ତି ।
ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପବିତ୍ର ରଥଯାତ୍ରାର ଖବର ପ୍ରସାରଣ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଏ। କିନ୍ତୁ ଚଳିତବର୍ଷ ରାଜ୍ୟ ସରକାରଙ୍କ ଅପାରଗତା ଲାଗି ଶ୍ରୀକ୍ଷେତ୍ରରେ ସାମ୍ୱାଦିକମାନେ ପୁଲିସ ଠାରୁ ମାଡ ଖାଇଲେ । ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଉପରେ ଏଭଳି ପୁଲିସର ଅମାନବୀୟ ଆଚରଣକୁ ବିଜେଡି ଦୃଢ଼ ନିନ୍ଦା କରିଛି। ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ପବିତ୍ର ରଥଯାତ୍ରାରେ ବିଭ୍ରାଟ ପାଇଁ ଦାୟୀ ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି । ରଥଯାତ୍ରାରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ପୁରୀ ନିମନ୍ତ୍ରଣ କରିଥିବା ବେଳେ ସେମାନଙ୍କୁ ପୁଲିସ ଆକ୍ରମଣ କରିଛି। ଏହି ଘଟଣାକୁ ବହୁ ସାମ୍ବାଦିକ ନିନ୍ଦା କରିଛନ୍ତି।