ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ
ଭବନେଶ୍ୱର:2/7-ଉତ୍ତର ଓଡିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ଭଳି ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପରେ ବନ୍ୟା ପରିସ୍ଥିତି ଦେଖା ଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ (ODRAF) ବନ୍ୟା ପ୍ରଭାବିତ ଉଭୟ ଜିଲ୍ଲାରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ହୋଇଛି।

ଓଡ୍ରାଫ ଟିମ ଲୋକଙ୍କ ଧନ ଜୀବନ ସୁରକ୍ଷିତ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରୁଥିବା ବେଳେ ଜଳମଗ୍ନ ଅଞ୍ଚଳରୁ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଲୋକଙ୍କୁ ଥଇଥାନ କରିବାରେ ଦାୟିତ୍ଵ ତୁଲାଉଛି। ଉଭୟ ଜିଲ୍ଲାର ୧୮ଟି ବ୍ଲକରୁ ଅଦ୍ୟାବଧି ୮୧୯୧ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଇଛି।

ODRAF ଦଳଗୁଡ଼ିକ ଅଗ୍ନିଶମ ସେବା ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା କରି ୨୪X୭ ଉପସ୍ଥିତ ରହି ପ୍ରଭାବିତ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଛନ୍ତି। ଡିଆଇଜି (ପୂର୍ବାଞ୍ଚଳ ରେଞ୍ଜ) ଡ଼ଃ ସତ୍ୟଜିତ ନାଏକଙ୍କ ତତ୍ୱାବଧାନରେ ଏହି ଓଡ୍ରାଫ ଟିମ ଗୁରୁତ୍ୱପୂର୍ଣ ଦାୟିତ୍ୱ ତୁଲାଉଛନ୍ତି।

ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ବସ୍ତା, କମର୍ଦ୍ଦା, ସିଙ୍ଗଲା ଆଦି ଅଞ୍ଚଳର ୨ହଜାରରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ଜଳ ଘେରରୁ ଉଦ୍ଧାର କରାଯାଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ସାରସକଣା, ରସଗୋବିନ୍ଦପୁର, ବଡସାହି, ବେତନଟୀ ଏବଂ ବାରିପଦା ଅଞ୍ଚଳର ୬ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଅବସ୍ଥାପିତ କରାଯାଇଥିଲା। ଓଡ୍ରାଫ ଟିମର କର୍ମଚାରୀମାନେ ରାତି ଦିନ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିଲେ। ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ କରିବା ଏବଂ ସେମାନଙ୍କୁ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାରେ ଓଡ୍ରାଫ ଟିମ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ମୟୂରଭଞ୍ଜରେ ୦୬ଟି ODRAF ଦଳ ଏବଂ ବାଲେଶ୍ୱରରେ ୫ଟି ODRAF ଦଳ ମୁତୟନ କରାଯାଇଛି।