
ଭୁବନେଶ୍ୱର :୪/୭- ବଢି ଚାଲିଥିବା ନାରୀ ନିର୍ଯାତନା ଠାରୁ ହଇଜା ମହାମାରୀ ଯାଏ; ରଥଯାତ୍ରା ମହାବିଭ୍ରାଟ ଠାରୁ ଆରମ୍ଭ କରି ବିଏମ୍ସିରେ ଦଳୀୟ ଗୁଣ୍ଡାରାଜ ଯାଏ, ଗତ ବର୍ଷେ ହେଲା ବିଜେପି ସରକାର ଗୋଟିଏ ପରେ ଗୋଟିଏ ଅକ୍ଷମଣୀୟ ଅପରାଧ କରିଚାଲିଛନ୍ତି। ନିଜକୁ ମହାପ୍ରଭୁଙ୍କ ଠାରୁ ଉପରେ ରଖି ସରକାର ବୁଦ୍ଧି ଶିଖିଲେ। ଶୁକ୍ରବାର କଂଗ୍ରେସ ଭବନରେସାମ୍ବାଦିକମାନଙ୍କୁ ଏହି ମର୍ମରେ ବାର୍ତ୍ତା ଦେଇ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଯିଏ ବିଏମ୍ସିର ସେଇ ଅଭାବନୀୟ କାଣ୍ଡ କରେଇଛି ତାକୁ ପ୍ରଥମରୁ ଗିରଫ ନ କରି ମତଲବରେ ରହି ଅନୀତିରେ ଥିଲେ ସରକାର। ୪ ଦିନ ଧରି କାର୍ଯ୍ୟବନ୍ଦ ଯୋଗୁଁ ଲୋକେ ନାହିଁ ନ ଥିବା ହଇରାଣ ହେବା ପରେ ବିରୋଧୀଙ୍କ ଚାପରେ ବାଧ୍ୟ ହୋଇ ସରକାର ମୁଣ୍ଡ ନୁଆଁଇଲେ। ଯଦି ଶେଷରେ ନତମସ୍ତକ ହେବାର ଥିଲା ତେବେ ୪ ଦିନ କାଳ ନାଟକବାଜି କାହିଁକି କରୁଥିଲା ସରକାର ? ଗଣତନ୍ତ୍ରରେ ଏକତାର ବଳ ପ୍ରମାଣିତ ହେଲା। ତୁରନ୍ତ ପଦକ୍ଷେପ ନେଲେ ସରକାର ପ୍ରଶଂସା ପାଆନ୍ତେ। ନେଡ଼ିଗୁଡ଼ ବହିଗଲା ପରେ ବାଧ୍ୟହୋଇ ନଇଁଲେ। ସରକାର ନଇଁଲେ ସତ, କିନ୍ତୁ ପ୍ରଥମ ୪ ଦିନ ଯେଉଁ ଲୋକଟିଏ ତହସିଲ ଅଫିସରୁ ନିରାଶ ହୋଇ ଫେରୁଥିଲା, ତା’ର କ’ଣ ହେବ? ସେଇ ତ ଆଇନକୁ ସମ୍ମାନ ଦେବାକୁ ବାଧ୍ୟ ହେଲେ, ମୂଳରୁ କାହିଁକି ଆଇନକୁ ନିଜ ହାତକୁ ନେବାକୁ ଚେଷ୍ଟା କରୁଥିଲେ? ସରକାର ତ ତାଙ୍କର, ଯଦି ସଂପୃକ୍ତ ଅଧିକାରୀ ଦୋଷ କରିଥିଲେ ତେବେ ତାଙ୍କ ବିରୋଧରେ
କାର୍ଯ୍ୟାନୁଷ୍ଠାନ ନ କରି ଆଇନକୁ ନିଜ ହାତକୁ ନେବା କ’ଣ ଦରକାର ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଯାହାହେଉ, ମୁଖ୍ୟମନ୍ତ୍ରୀ ରଥଯାତ୍ରା ମହାବିଭ୍ରାଟ ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିବା ସହ ବିଳମ୍ବରେ ହେଲେ ମଧ୍ୟ ବିଏମ୍ସି ଘଟଣାରେ ଓଏଏସ ସଂଘର ଦାବିକୁ ମାନିନେଇ ରାଜ୍ୟରେ ସ୍ଵାଭାବିକ ପରିସ୍ଥିତି ଫେରାଇ ଆଣିଥିବାରୁ ତାଙ୍କୁ ସାଧୁବାଦ ଜଣାଉଛି।
ଶ୍ରୀ ଦାସ ଆହୁରି କହିଛନ୍ତି, ଦଳ ଏବେ ମଧ୍ୟ ଉକ୍ତ ଘଟଣାର ମୁଖ୍ୟ ଖଳନାୟକଙ୍କୁ ନିଲମ୍ବନ କରିନାହିଁ। ଅନୁରୂପ ପରିସ୍ଥିତିରେ କେବଳ ବିଜେପି ନୁହେଁ, ଆମ କଂଗ୍ରେସ ସମେତ ସବୁ ଦଳ ପ୍ରଥମେ ଦୋଷୀକୁ ନିଜ ଦଳରୁ ସସପେଣ୍ଡ କରିବା ସର୍ବନିମ୍ନ ନୈତିକ କର୍ତ୍ତବ୍ୟ। ଓଲଟା କିଛି ଓଏଏସଙ୍କୁ ଆକ୍ରୋଶମୂଳକ ଭାବେ ସରକାର ବଦଳି କରିବାକୁ ମସୁଧା କରୁଥିବା ଖବର ମିଳିଛି। ଯଦି ସରକାର ସତରେ ରାଗ ଶୁଝାଇବାକୁ ଏପରି କରନ୍ତି, ଆଉ ଏକ ମସ୍ତବଡ଼ ଭୁଲ କରିବେ ବୋଲି ଭକ୍ତ ଚେତାଇ ଦେଇଥିଲେ। ସେ କହିଥିଲେ,
ବାହୁଡ଼ାଯାତ୍ରାକୁ ଶୃଙ୍ଖଳିତ କରିବାକୁ ହେଲେ ଏହାକୁ ଭିଭିଆଇପି, କର୍ମୀକୈନ୍ଦ୍ରିକ ନ କରି ଭକ୍ତ ଓ ଭଗବାନ କୈନ୍ଦ୍ରିକ କରାଯିବା ଦରକାର। ନିହାତି ଆବଶ୍ୟକ ସ୍ଥଳେ ପ୍ରତି କର୍ଡନ ପାସ୍ର ଅବଧି ସର୍ବାଧିକ ଅଧଘଣ୍ଟା ରହିଲେ ସଭିଏଁ ସୁରୁଖୁରୁରେ ଦର୍ଶନ କରିପାରିବେ।
ଶ୍ରୀ ଦାସ ପ୍ରଶ୍ନ କରିଥିଲେ, ଅତୀତରେ କଂଗ୍ରେସ ଶାସନ ବେଳେ ଦଳ କେବେ ଏପରି ରଥଯାତ୍ରାର ଭିଡ଼ ନିୟନ୍ତ୍ରଣ ଦାୟିତ୍ବ ନିଜ ହାତକୁ ନେଇଥିଲା କି? ଏତେ ଭିଆଇପି ପୂର୍ବରୁ କେବେ ଆସିଥିଲେ କି? ଛତିଶଗଡ଼ରୁ ଆସି ବଡ଼ଦାଣ୍ଡରେ ବୁଲୁଥିବା କାର୍ଗୁଡ଼ିକ କେଉଁ ଭିଆଇପିମାନଙ୍କର? ଆଦାନୀଙ୍କ ପାଇଁ ନନ୍ଦିଘୋଷ ରଥ ନ ଗଡ଼ି ଅପେକ୍ଷା କରେଇଦେଲେ। ସେ କ’ଣ ମହାପ୍ରଭୁଙ୍କଠାରୁ ଉପରେ? ବିଜେପି ନେତା ଓ ଭିଭିଆଇପି ନିଜକୁ ମହାପ୍ରଭୁଙ୍କଠାରୁ ଉପରେ ଭାବିବା ନୂଆକଥା ନୁହେଁ। ବଡ଼ଦାଣ୍ଡ ହେଉଛି ବଡ଼ଠାକୁରଙ୍କର। ମୋଦୀ ମଧ୍ୟ ସେ ଥର ଯଦି ପୁରୀ ବଡ଼ଦାଣ୍ଡରେ ପାଦରେ ଚାଲି ମହାପ୍ରଭୁଙ୍କ ନିକଟକୁ ରୋଡ଼-ସୋ’ରେ ଯାଇଥାନ୍ତେ , ତାଙ୍କ ସମ୍ମାନ ବଢ଼ିଥା’ନ୍ତା। ସେ କିନ୍ତୁ ବଡ଼ଦାଣ୍ଡରେ ଗାଡ଼ିରେ ରୋଡ଼୍-ସୋ’ କଲେ। ଏଭଳି ବିଭ୍ରାଟର ପୁନରାବୃତ୍ତି ଯେଭଳି ନଘଟେ ସେଥିପ୍ରତି ସଚେତନ ରହିବ ଆବଶ୍ୟକ ବୋଲି ସେ କହିଛନ୍ତି।