
ଭୁବନେଶ୍ୱର:27/7- ଜନୈକା ଯୁବତୀଙ୍କ ଏତାଲା ଆଧାରରେ ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କୁ ପୁଲିସ ଗିରଫ କରିଛି । ବାଲେଶ୍ୱର ଜିଲା ନୀଳଗିରିର ବରହମପୁର ଥାନା ଅଞ୍ଚଳରୁ କମିସନରେଟ ପୁଲିସ ତାଙ୍କୁ ଆଜି ଗିରଫ କରିଛି। ଭୁବନେଶ୍ୱର ପୋକସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ତାଙ୍କ ଜାମିନ ଆବେଦନ ନାମଞ୍ଜୁର କରିଥିବା ବେଳେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ତାଙ୍କୁ ଗିରଫ କରିବା ଖବର ମିଳିବା ପରେ ବିଜୁ ଜନତା ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କୁ ଦଳରୁ ନିଲମ୍ବିତ କରିଛି ।
ଗତ ଗୁରୁବାର ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିଲେ। ଅମରେଶ ଜେନା ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ଗର୍ଭନଷ୍ଟ ପାଇଁ ବାଧ୍ୟ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ। ୨୦୨୩ ମସିହାରେ ସେ ନାବାଳିକା ଥିଲେ ଏବଂ ସେ ସମୟରୁ ଅମରେଶ ତାଙ୍କ ସହ ସମ୍ପର୍କ ରଖିଥିଲେ ବୋଲି ଯୁବତୀ ଜଣକ ଏତଲାରେ ଦର୍ଶାଇଥିଲେ। ପୁଲିସ ଏତଲାକୁ ଗ୍ରହଣ କରି କେସ ନଂ-୩୯୪ରେ ବିଏନଏସ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକସୋ ଆଇନ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଥିଲା। ପୁଲିସ ୩ ଦିନ ହେଲା ଅମରେଶଙ୍କୁ ଖୋଜୁଥିଲା। ସେ ଫେରାର ହୋଇଯାଇଥିବା ଜଣାପଡିଥିଲା। ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ପାଞ୍ଚଜଣ ସହଯୋଗୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବାଲେଶ୍ୱର ଜିଲ୍ଲା ନୀଳଗିରିର ବରହମପୁର ଥାନା ଅଞ୍ଚଳର କଳାକାତ ଗାଁରୁ ପୁଲିସ ତାଙ୍କୁ ଗିରଫ କରିଥିଲା।

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ଅମରେଶ କୋର୍ଟ ଚାଲାଣ ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଅର୍ଚ୍ଚନା ନାଗ ନାଁ ନେଇ ସେ ତାଙ୍କୁ ଫସାଇ ଦେଇଥିବା ଅମରେଶ କହିଛନ୍ତି। ସ୍ୱାମୀ ଅମରେଶ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଥିବା ତାଙ୍କ ପତ୍ନୀ ବନଜା ଜେନା ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ପୁଲିସ ନିକଟରେ ରେ ସେ ଆତ୍ମସମର୍ପଣ କରିଥିବା କହି ଇତିଶ ପ୍ରଧାନ ଏବଂ ଅର୍ଚ୍ଚନା ନାଗଙ୍କ ବିରୋଧରେ ଅଭିଯୋଗ ଉପରେ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସ୍ୱାମୀଙ୍କ ପାଇଁ ନ୍ୟାୟ ଭିକ୍ଷା କରି ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି ।