ଭୁବନେଶ୍ୱର: ୨୯/୦୭-ଆସନ୍ତା ଅଗଷ୍ଟ ମାସ ୨୯ ଓ ୩୦ ତାରିଖରେ ଭୁବନେଶ୍ୱରଠାରେ ପାର୍ଲାମେଣ୍ଟ/ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ ବାଚସ୍ପତି ଭାବନୀଶଙ୍କର ଭୋଇ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମ୍ମିଳନୀର ପ୍ରସ୍ତୁତି ସମ୍ପର୍କରେ ସୁଚିନ୍ତିତ ମତ ରଖିଥିଲେ।

ବୈଠକରେ ଆଲୋଚନା ଅନୁଯାୟୀ ଏହି ଜାତୀୟ ସମ୍ମିଳନୀରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ, ସାଂସଦ ଓ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କମିଟି ଅଧ୍ୟକ୍ଷ ଓ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବାଚସ୍ପତି ଓଡ଼ିଶାକୁ ଏଭଳି ଏକ ମର୍ଯ୍ୟାଦାଜନକ ଜାତୀୟ ସମ୍ମିଳନୀର ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ ଲୋକସଭାର ବାଚସ୍ପତିଙ୍କୁ ଆନ୍ତରିକ ଧନ୍ୟବାଦ ପ୍ରଦାନ କରିଥିଲେ । ସେ କହିଥିଲେ ଯେ କାର୍ଯ୍ୟକ୍ରମରେ ପ୍ରାୟ ୨୫୦ରୁ ଅଧିକ ପ୍ରତିନିଧି ଯୋଗଦେବେ। ଓଡ଼ିଶା ‘ଅତିଥି ଦେବୋ ଭବଃ’ ନୀତିକୁ ସବୁବେଳେ ପ୍ରାଥମିକତା ଦେଇଥାଏ। ଏଣୁ ଏଥିରେ ଯୋଗଦେବାକୁ ଥିବା ଅତିଥିମାନଙ୍କ ଚର୍ଚ୍ଚାରେ ଯେପରି କୌଣସି ତ୍ରୁଟି ନ ରହେ ତାହା ଉପରେ ବାଚସ୍ପତି ଗୁରୁତ୍ୱାରୋପ କରିଥିଲେ।
ଏହି ଦୁଇଦିନିଆ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେବାକୁ ଥିବାବେଳେ ଉଦ୍ଯାପନୀ ଉତ୍ସବରେ ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମ୍ମିଳନୀ ପରେ ଅତିଥିମାନେ ପୁରୀ ଓ କୋଣାର୍କ ପରିଦର୍ଶନ କରିବେ । ଏହିସବୁ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ତଦାରଖ କରିବା ପାଇଁ ଲୋକସଭାର ନିର୍ଦ୍ଦେଶକ ୟମ୍ନାମ୍ ଅରୁଣ କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ଅଧିକାରୀ କମିଟି ଓଡ଼ିଶା ଗସ୍ତରେ ଅଛନ୍ତି । ପ୍ରସ୍ତୁତି ବୈଠକରେ କମିଶନରେଟ୍ ପୋଲିସ, ସଂସଦୀୟ ବ୍ୟାପାର ବିଭାଗ, ଗୃହ ବିଭାଗ, ଅର୍ଥ ବିଭାଗ, ପର୍ଯ୍ୟଟନ ବିଭାଗ, ପୂର୍ତ୍ତ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିବାବେଳେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।