-ପଚାଶ କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ସମୀକ୍ଷା
-୯ ଘଣ୍ଟା ଧରି ଚାଲିଲା ବୈଠକ

– ଉନ୍ମୋଚିତ ହେଲା “ସେତୁ ମରାମତି ନୀତି”
– ଖୁବ ଶୀଘ୍ର ଆସିବ “ରାସ୍ତା ମରାମତି ନୀତି”
– ଶକ୍ତିପୀଠର ପାରିପାର୍ଶ୍ଵିକ ଉନ୍ନତି କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦେଶ
– ଜିଲାର ନିର୍ମାଣଧୀନ ସ୍ୱଇମିଂ ପୁଲର ଗୁଣବତ୍ତା ଉପରେ ଗୁରୁତ୍ୱ
– ବିଭିନ୍ନ ରିଙ୍ଗରୋଡ଼ ନିର୍ମାଣ ଉପରେ ଆଲୋଚନା
ଭୁବନେଶ୍ୱର:୩୧/୭- ଓଡ଼ିଶାର ପ୍ରଗତିକୁ ଅଧିକ ପ୍ରଭାବଶାଳୀ କରିବା ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ I ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ନେଇ ସରକାର ଲକ୍ଷ୍ୟ ରଖିଥିବା ବେଳେ ଭିତ୍ତିଭୂମିକୁ ସୁଦୃଢ କରିବାକୁ ପଡିବ I ଏଥିପାଇଁ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ବିଭାଗ ଅଧୀନରେ ଥିବା ବିଭିନ୍ନ ରାସ୍ତା, ସେତୁ ଓ କୋଠାବାଡି ଗୁଡିକ ଗୁଣବତ୍ତା ସମ୍ପନ୍ନ ଓ ସମୟ ଅବଧି ମଧ୍ୟରେ କାର୍ଯ୍ୟ ପରିସମାପ୍ତିକୁ ଗୁରୁତ୍ୱ ଦେବାକୁ ପଡିବ I ଏଥିପାଇଁ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ସମୟ ସହିତ ତାଳ ଦେଇ ଅପଡେଟ ହେବ ସହ ଅଧୁନିକ ଜ୍ଞାନକୌଶଳ ତଥା କୃତ୍ରିମ ବୁଦ୍ଧିମତାକୁ ଆପଣାଇବାକୁ ପଡିବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି I ଆଜି ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ସଂକ୍ରାନ୍ତ ସମୀକ୍ଷା ବୈଠକ ଦିନ ୧୧ଟା ରୁ ରାତି 8ଟା ପର୍ଯ୍ୟନ୍ତ ଦୀର୍ଘ ୯ ଘଣ୍ଟା ଧରି ଚାଲିଥିଲା I

ସ୍ଥାନୀୟ ଲୋକସେବା ଭବନ କନଭେନସନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫୦ କୋଟିରୁ ଉର୍ଦ୍ଧ୍ବ ପ୍ରକଳ୍ପର ସମୀକ୍ଷା ବୈଠକରେ ଯୋଗଦେଇ ସେ କହିଥିଲେ, ବିଭିନ୍ନ ରାସ୍ତା ଘାଟ ତଥା କୋଠାବାଡ଼ିର ନିର୍ମାଣ ସହିତ ଏହାର ମରାମତିକୁ ଗୁରୁତ୍ୱ ଦେବାକୁ ପଡିବ I ଏଥିପାଇଁ ବିଭାଗର ଇଞ୍ଜିନିୟର ମାନଙ୍କୁ ସେମାନଙ୍କ କାର୍ଯ୍ୟ ଶୈଳୀରେ ଉନ୍ନତି ଆଣିବାକୁ ପଡିବ I ବର୍ତ୍ତମାନ ଆମେ ସର୍ବଭାରତୀୟସ୍ତରରେ ଭଲ ସ୍ଥାନରେ ଥିବା ବେଳେ ଆମକୁ ଆହୁରି ଅଧିକ ଉପରକୁ ଯାଇ ଏକ ନମ୍ବର ସ୍ଥାନ ହାସଲ କରିବାକୁ ପଡିବ I ଏଥିଲାଗି ନିୟମିତ ଅନ୍ତରରେ ଭିତ୍ତିଭୂମି ଯାଞ୍ଚ ସହିତ ଏହାର ମରାମତିକୁ ଗୁରୁତ୍ୱ ଦେବାକୁ ପଡିବ I ଏଥିସହିତ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ସମସ୍ୟା ଦୂରୀକରଣ ସହ ନିର୍ମାଣ କାର୍ଯ୍ୟକୁ ସମୟ ଅବଧି ମଧ୍ୟରେ ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀ ଓ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥାକୁ ପରାମର୍ଶ ଦେଇଥିଲେ I ଏହି ଅବସରରେ ମନ୍ତ୍ରୀ “ସେତୁ ମରାମତି ନୀତି”କୁ ଉନ୍ମୋଚିତ କରିଥିବା ବେଳେ ଖୁବ ଶୀଘ୍ର “ରାସ୍ତା ମରାମତି ନୀତି” ଆସିବାକୁ ଯାଉଛି ବୋଲି କହିଥିଲେ I

ଏହି ଅବସରରେ ମନ୍ତ୍ରୀ ଓ ବିଭାଗର ପ୍ରମୁଖ ସଚିବ ବ୍ରହ୍ମପୁର ବାଇପାସ, ଖୋର୍ଦ୍ଧା ବାଇପାସ, ଖରିଆର ଆରଓବି, ପୁରୀ-କୋଣାର୍କ ରାସ୍ତାରେ ଥିବା ମାଟିଆପଡା ଆରଓବି, ନୟାଗଡ ବାଇପାସ, ୪ ଲେନ ବିଶିଷ୍ଟ କେସିଙ୍ଗା-ଜୟପୁର ଟାଉନ ବାଇପାସ ଆରଓବି, ବଲାଙ୍ଗୀରି ବାଇପାସ, ଟିଟିଲାଗଡ ବାଇପାସ, ବୈତରଣୀ ନଦୀ ଉପରେ ହାଇ ଲେବୁଲ ସେତୁ, ତେଲ ନଦୀ ଉପରେ ନିର୍ମାଣଧୀନ ହାଇ ଲେବୁଲ ସେତୁ, କନ୍ଦରପୁର ବାଲିକୁଦା ରାସ୍ତା, ବ୍ରହ୍ମପୁର ରିଙ୍ଗରୋଡ଼, କଟକ ରିଙ୍ଗରୋଡ଼ ଏସସିବି ପ୍ରକଳ୍ପ, ପୁରୀ ସହରର ବିଭିନ୍ନ ପ୍ରକଳ୍ପ ତଥା ମା ସାରଳା, କଟକ ଚଣ୍ଡୀ ମନ୍ଦିର ଆଦି ପ୍ରମୁଖ ମନ୍ଦିର ଉନ୍ନତି ଏବଂ ବିଭିନ୍ନ କ୍ରୀଡ଼ା ଉନ୍ନୟନ ପ୍ରକଳ୍ପ ଯଥା ନୟାଗଡ଼, ବାଲେଶ୍ୱର, ଝାରସୁଗୁଡା ଓ ଯାଜପୁର ସୁଇମିଙ୍ଗ ପୁଲ ଆଦି ୫୦ କୋଟିରୁ ଅଧିକ ମୂଲ୍ୟର ନିର୍ମାଣଧୀନ କୋଠାବାଡ଼ି, ରାସ୍ତା, ସେତୁ ଓ ଜାତୀୟ ରାଜପଥ ପ୍ରକଳ୍ପ ଆଦିର ସମୀକ୍ଷା କରିଥିଲେ I

ବିଳମ୍ବିତ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେ ବିଭାଗୀୟ ଯନ୍ତ୍ରୀ ଏବଂ ଠିକା ସଂସ୍ଥା ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ I କାର୍ଯ୍ୟଭାର ନେଇଥିବା କିଛି ଠିକା ସଂସ୍ଥା ପ୍ରକଳ୍ପ କାର୍ଯ୍ୟକୁ ଅନ୍ୟକୁ ଦେଇଥିବା ସରକାରଙ୍କ ନଜରକୁ ଆସିଛି, ତେଣୁ ଏହାର ସତ୍ୟାସତ ଅନୁଧ୍ୟାନ କରି ଉକ୍ତ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି I ବୈଠକରେ ପୂର୍ତ୍ତବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଇଆଇସି ସିଭିଲ ସତ୍ୟବ୍ରତ ବେହେରା, ଏଇଆଇସି ଏଲ. କେ. ପାଢ଼ୀ, ଓବିସିସି ପରିଚାଳନା ନିର୍ଦ୍ଦେଶକ ସମୀର ହୋତାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ବିଭିନ୍ନ ଜୋନର ଅଧିକ୍ଷଣ ଯନ୍ତ୍ରୀ ଏବଂ ନିର୍ମାଣ ସଂସ୍ଥା ଅଧିକାରୀ ମାନେ ଉପସ୍ଥିତ ଥିଲେI