-ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି
ଏହି ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ମୋର ଲକ୍ଷ୍ୟ:ମୋହନ
ଭୁବନେଶ୍ୱର:2/8- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀ ଠାରେ ଉପସ୍ଥିତ ରହି, ପି.ଏମ୍ କିଷାନର କିସ୍ତି ବାବଦରେ ସାରା ଦେଶର ୯.୭ କୋଟି ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ହିସାବରେ ସମୁଦାୟ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ପି.ଏମ୍ କିଷାନ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଉପକଣ୍ଠସ୍ଥିତ ଆଇ.ସି.ଏ.ଆର୍-ସିଫା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରାୟ ୩୪ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱ କୃଷକଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ୨,୦୦୦ ଟଙ୍କା ଲେଖାଏଁ ମୋଟ ୬୯୭ କୋଟି ଟଙ୍କା ପ୍ରଦାନ କରା ଯାଇଛି।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ହେଉଛି ଲୋକଙ୍କ ସରକାର ଏବଂ ଚାଷୀ ଭାଇ ଭଉଣୀଙ୍କ ସରକାର। ସରକାର ମାତ୍ର ବର୍ଷକ ମଧ୍ୟରେ ଆପଣମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଆପଣମାନେ ଏହାର ସୁଫଳ ମଧ୍ୟ ପାଉଛନ୍ତି । ସି.ଏମ୍ କିଷାନରେ ଆମ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀ ବର୍ଷକୁ ୪୦୦୦ ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି। ପି.ଏମ୍ କିଷାନ ଓ ସି.ଏମ୍ କିଷାନକୁ ମିଶାଇ ଚାଷୀଭାଇମାନେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି। ପି.ଏମ କିଷାନ ଯୋଜନାର ୨୦ତମ କିସ୍ତି ଚଳିତ ବର୍ଷ ଅପ୍ରେଲରୁ ଜୁଲାଇ ଅବଧି ପାଇଁ ପ୍ରଦାନ କରାଯାଉଛି। ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଉଛି। ଏହି ପ୍ରକ୍ରିୟାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେଉଥିବାରୁ ସ୍ୱଚ୍ଛତା ବଜାୟ ରହୁଛି। ଏଥିରେ ସମସ୍ତ ଚାଷୀ- ସେ କ୍ଷୁଦ୍ରଚାଷୀ ହୁଅନ୍ତୁ ବା ମଧ୍ୟମ କିମ୍ୱା ବଡ଼ ଚାଷୀ ସମସ୍ତଙ୍କୁ ଏହାର ସୁଫଳ ମିଳୁଛି। ସହରାଞ୍ଚଳର ଚାଷୀମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଜିର ଏହି ଦିନକୁ ଆମେ “ପି.ଏମ – କିଷାନଦିବସ” ଭାବରେ ସାରା ଦେଶ ତଥା ରାଜ୍ୟରେ ପାଳନ କରୁଛୁ । ଏଥି ସହିତ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ମଧ୍ୟ “ପି.ଏମ- କିଷାନ ଦିବସ” ପାଳନ କରାଯାଉଛି । ଏହି ଅବସରରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ କୃଷକମାନଙ୍କ ମଧ୍ୟରେ ଆବଶ୍ୟକୀୟ ଯୋଗ୍ୟତା ସମ୍ପର୍କରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପି.ଏମ୍ କିଷାନ ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ମୋର ଲକ୍ଷ୍ୟ। ରାଜ୍ୟର ସମସ୍ତ ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । ଯାହାର ଲକ୍ଷ ହେଉଛି କୌଣସି ଯୋଗ୍ୟ ଚାଷୀ ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତୁ । ଆପଣମାନେ ଏବେ ଖରିଫ ଫସଲ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଆପଣମାନଙ୍କ ପାଇଁ କରିଥିବା ଅନେକ ଯୋଜନାରୁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା, ଯେଉଁଥିରେ ଆପଣମାନେ ସିଧାସଳଖ ଅର୍ଥରାଶି ପାଉଛନ୍ତି। ନିୟମିତ କୃଷି କାର୍ଯ୍ୟ ସହିତ ଆପଣମାନେ ଫସଲରେ ବିବିଧିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ। ମତ୍ସ୍ୟ ଚାଷ, ପଶୁପାଳନ ଭଳି ଲାଭ ଦାୟକ କୃଷି କରନ୍ତୁ। ଏହାଦ୍ୱାରା ଅଧିକ ଅମଳ କରିପାରିବେ ଓ ଆର୍ଥିକ ସ୍ତରରେ ଲାଭବାନ ମଧ୍ୟ ହୋଇପାରିବେ। ଚାଷ କ୍ଷେତ୍ରରେ ଆପଣମାନଙ୍କ ରୋଜଗାର ଦୁଇଗୁଣିତ ନୁହେଁ ବରଂ ବହୁ ଗୁଣିତ ବୃଦ୍ଧି ହେବ। ଏହି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଲକ୍ଷ୍ୟ ଅଛି, ତାହା ପୂରଣ ହେବ।
ସି.ଏମ୍ କିଷାନରେ ଆମ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀ ବର୍ଷକୁ ୪୦୦୦ ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି। ପି.ଏମ୍ କିଷାନ ଓ ସି.ଏମ୍ କିଷାନକୁ ମିଶାଇ ଚାଷୀଭାଇମାନେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି । ସମୃଦ୍ଧ କୃଷକ ଯୋଜନାରେ ଆପଣମାନଙ୍କୁ ଆମେ ଧାନ କ୍ୱିଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ଇନପୁଟ୍ ସହାୟତା ପ୍ରଦାନ କରୁଛୁ। ଗତ ବର୍ଷ ଖରିଫରେ ପ୍ରାୟ ୧୭ ଲକ୍ଷ ଚାଷୀଙ୍କୁ ଆମେ ପାଖାପାଖି ୬ ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛୁ। ସେହିପରି ରବି ଋତୁରେ ମଧ୍ୟ ୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୧ ହଜାର ୬୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।

ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଆପଣମାନେ ଭଲଭାବରେ ଜାଣିଛନ୍ତି । ତାଙ୍କ ନେତୃତ୍ୱରେ ଦେଶ ବର୍ତ୍ତମାନ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା କରୁଛି । କୃଷି କ୍ଷେତ୍ରରେ ମଧ୍ୟ ଭାରତ ବିକଶିତ ରାଷ୍ଟ୍ରମାନଙ୍କ ସହିତ ଧିରେ ଧିରେ ସମକକ୍ଷ ହେଉଛି । ଆସନ୍ତୁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ୍ ହେବା। ଏକ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ଆମର ଯୋଗଦାନ ରଖିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ, ବିଧାୟକ ବାବୁ ସିଂ, ପ୍ରଶାନ୍ତ ଜଗଦ୍ଦେବ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ, ଡେପୁଟି ଡାଇରେକ୍ଟର ଜେନେରାଲ, ଆଇ.ସି.ଏ.ଆର, ଜେ.କେ ଜେନା, ଡାଇରେକ୍ଟର, ସିଫା,ଡକ୍ଟର ପି.କେ ସାହୁ, ଡାଇରେକ୍ଟର, ଉଦ୍ୟାନ କୃଷି ସୁବ୍ରତ କୁମାର ପଣ୍ଡା, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ୠତୁରାଜ ଓ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ମଂଚାସୀନ ଥିଲେ।