-ଓଡିଶାରୁ ସମୁଦାୟ ୩୯ଟି ରୁଟ୍ରେ ବିମାନ ଚଳାଚଳ କରୁଛି
-ଭୁବନେଶ୍ୱର ବିମାନ ବନ୍ଦରରେ Maintenance, Repairing and Operation(MRO) ବ୍ୟବସ୍ଥା ବିକଶିତ କରାଯିବ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: 16/8-ଆଜି ଭୁବନେଶ୍ୱର ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ଝାରସୁଗୁଡା ପର୍ଯ୍ୟନ୍ତ ବିମାନସେବାର ଶୁଭାରମ୍ଭ କରିଛନ୍ତି। ୭୬ ସିଟ୍ ବିଶିଷ୍ଟ Star Airର ଏହି ବିମାନଟି Odisha New Destination Policy ଅଧିନରେ ବିମାନ ଯୋଜନାରେ Viability Gap Funding (VGF) ସହଯୋଗରେ ଚଳାଚଳ ଆରମ୍ଭ କରିଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ବିମାନ ବନ୍ଦର ଠାରେ ପ୍ରଥମ ଯାତ୍ରୀଙ୍କୁ ବୋଡିଂ ପାସ୍ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ବର୍ତ୍ତମାନ ବିମାନଟି ସପ୍ତାହରେ ୫ ଦିନ – ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର ଚଳାଚଳ କରିବ। ମାତ୍ର ୪୫ ମିନିଟ ମଧ୍ୟରେ ଏହି ବିମାନଟି ଭୁବନେଶ୍ବରରୁ ଝାରସୁଗୁଡା ପହଞ୍ଚିବ। ଖୁବଶୀଘ୍ର ଏହାକୁ ଦୈନିକ ବିମାନ ସେବାରେ ମଧ୍ୟ ପରିଣତ କରାଯିବ।
ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଐତିହାସିକ ପଦକ୍ଷେପ କେବଳ ପଶ୍ଚିମ ଓଡିଶାକୁ ରାଜ୍ୟର ରାଜଧାନୀ ସହିତ ନିକଟତର କରିବନି, ବରଂ ଶିଳ୍ପୋନ୍ନତି, ପର୍ଯ୍ୟଟନ ଓ ସାଂସ୍କୃତିକ ଆଦାନ-ପ୍ରଦାନକୁ ମଧ୍ୟ ଦ୍ରୁତ ଗତି ଦେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ୱରରୁ ଏବେ ୪ଟି ଇଣ୍ଟରନେସ୍ନାଲ ଫ୍ଲାଇଟ୍ – ସିଙ୍ଗାପୁର, ବ୍ୟାଙ୍କକ, ଦୁବାଇ ଓ ଆବୁଧାବୀକୁ ଚଳାଚଳ କରୁଛି ଏବଂ ଭୁବନେଶ୍ୱର ଓ ଝାରସୁଗୁଡାରୁ ଉଭୟ ନ୍ୟାସନାଲ ଓ ଇଣ୍ଟରନ୍ୟାସନାଲକୁ ମିଶାଇ ୩୯ଟି ରୁଟ୍ରେ ବିମାନ ଚଳାଚଳ କରୁଛି । ଓଡିଶା ଭିତରେ ଭୁବନେଶ୍ୱରରୁ ଜୟପୁର, ରାଉରକେଲା ଓ ଉତ୍କେଲାକୁ ବିମାନ ଚଳାଚଳ କରୁଥିଲା । ଆଜି ଝାରସୁଗୁଡା ସହିତ ଭୁବନେଶ୍ୱର ଆକାଶପଥରେ ଯୋଡି ହେଲା । ଆଗାମୀ ଦିନରେ ଆହୁରି ଅଧିକ ଡୋମେଷ୍ଟିକ୍ ଓ ଇଣ୍ଟରନେସ୍ନାଲ ଫ୍ଲାଇଟ ଚଳାଚଳ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଭୁବନେଶ୍ୱର ବିମାନ ବନ୍ଦରରେ Maintenance, Repairing and Operation(MRO) ବ୍ୟବସ୍ଥା ବିକଶିତ କରାଯିବା ପାଇଁ ଯୋଜନା ରହିଛି । ରାଜ୍ୟରେ ବିଶ୍ୱସ୍ତରୀୟ ବିମାନ ଚଳାଚଳ ବ୍ୟବସ୍ଥା ପାଇଁ ଆମର ସମସ୍ତ ପଦକ୍ଷେପ ଜାରି ରହିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଓଡିଶା ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହେବ ।
ଏହି ବିମାନ ଶୁଭାରମ୍ଭ ଅବସରରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, କଟକ ସଦର ବିଧାୟକ ପ୍ରକାଶ ସେଠୀ, ବଡଚଣା ବିଧାୟକ ଅମର ନାୟକ, ନିଆଳି ବିଧାୟକ ଛବି ମଲ୍ଲିକ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ଏବଂ ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।