ଭୁବନେଶ୍ୱର:୧୯ ଅଗଷ୍ଟ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୬ ଲେନ୍ ବିଶିଷ୍ଟ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନିର୍ମାଣକୁ ଅନୁମୋଦନ ମିଳିଛି । ଏଥିରେ ୮,୩୦୭ କୋଟି ଟଙ୍କା ବ୍ୟୟ ହେବ । ଏହା ହାଇବ୍ରିଡ୍ ଆନୁଇଟି ମୋଡ୍ ବା ଏଚଏଏମ ମାଧ୍ୟମରେ ନିର୍ମାଣ କରାଯିବ।
ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳକୁ ସଂଯୋଗ କରିବାକୁ ଥିବା ଏହି ରାଜପଥ ରାମେଶ୍ୱରରୁ ବିଲିପଡା, ବିଲିପଡ଼ାରୁ ଗୋବିନ୍ଦପୁର ଏବଂ ଗୋବିନ୍ଦପୁରରୁ ଟାଙ୍ଗୀ ପର୍ଯ୍ୟନ୍ତ ତିନିଟି ପ୍ୟାକେଜରେ ନିର୍ମାଣ କରାଯିବ। ଦ୍ୱୈତ ସହରରେ ପ୍ରାୟ ୧୧୧ କିଲୋମିଟର ବିଶିଷ୍ଟ ଏହି ଭୁବନେଶ୍ୱର ବାଇପାସ ପ୍ରକଳ୍ପ ଟ୍ରାଫିକ୍ ଭିଡକୁ ନିୟନ୍ତ୍ରଣ କରିବ। ନୂତନ ରାଜମାର୍ଗ ପ୍ରକଳ୍ପକୁ ଏପରି ଭାବେ ଡିଜାଇନ୍ କରାଯାଇଛି ଯେ ଏହା ପ୍ରମୁଖ ଜାତୀୟ ରାଜପଥ ଯଥା ଏନଏଚ୍ ୧୬(ଚେନ୍ନାଇ -କୋଲକାତା), ଏନଏଚ୍-୫୫ (କଟକ–ସମ୍ବଲପୁର), ଏନଏଚ-୫୭(ଖୋର୍ଦ୍ଧା-ବଲାଙ୍ଗୀର) ଏବଂ ଏନଏଚ-୬୫୫ (କ୍ରିଷ୍ଣାଶ୍ୟାମପୁର-ଅନୁଗୋଳ)କୁ ସଂଯୋଗ କରିବ।
ଏହା ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ସହାୟକ ହେବ। ଭୁବନେଶ୍ୱର ବାଇପାସ୍ ସମୃଦ୍ଧିର ରାଜପଥ ହେବ। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଏହି
ପ୍ରକଳ୍ପ ଓଡ଼ିଶାକୁ ଅଭିବୃଦ୍ଧିର ପ୍ରଥମ ସୋପାନରେ ପହଞ୍ଚାଇବ ବୋଲି କୁହାଯାଇଛି ।