ଭୁବନେଶ୍ଵର:30/8-ଦେଶର ପ୍ରକୃତ ସମୃଦ୍ଧି ସଂଖ୍ୟା କିମ୍ବା ଭିତ୍ତିଭୂମିରେ ମପାଯାଏ ନାହିଁ ବରଂ ଏହାର ସବୁଠାରୁ ଅବହେଳିତ ସମ୍ପ୍ରଦାୟକୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦା ଏବଂ ସୁଯୋଗ ଦ୍ଵାରା ମପାଯାଏ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଲୋକସେବା ଭବନର କନଭେନସନ ହଲରେ ଆୟୋଜିତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ମାନଙ୍କର ଜାତୀୟ ସମ୍ମିଳନୀର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ, ସଂସଦର ଅନୁସୂଚିତ ଜାତି ଓ ଜନଜାତି କମିଟିର ଅଧକ୍ଷ ଫଗନ୍ ସିଂହ କୁଲସ୍ତେ, ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ।

ସମାରୋହରେ ରାଜ୍ୟପାଳ ଡ କମ୍ଭମପାଟି ଉଦବୋଦନ ଦେଇ କହିଥିଲେ ଯେ, ଅନୁସୂଚିତ ଜାତି ଏବଂ ଜନଜାତି କେବଳ ଭାରତର ସାମାଜିକ ସଂରଚନାର ଅବିଚ୍ଛେଦ୍ୟ ଅଂଶ ନୁହନ୍ତି ବରଂ ଦେଶର ଇତିହାସ, ସଂସ୍କୃତି ଏବଂ ଐତିହ୍ୟର ରକ୍ଷକ ମଧ୍ୟ। ସେମାନଙ୍କର କଲ୍ୟାଣ କେବଳ ନୀତିର ପ୍ରଶ୍ନ ନୁହେଁ ଏହା ସମାନତା, ମର୍ଯ୍ୟାଦା ଏବଂ ଭାଇଚାରାର ସ୍ତମ୍ଭ ଉପରେ ପ୍ରତିଷ୍ଠିତ ଗଣତନ୍ତ୍ର ଭାବରେ ଆମର ପ୍ରଗତିର ମାପକାଠି। ସାମ୍ବିଧାନିକ ସୁରକ୍ଷାକୁ ଅର୍ଥପୂର୍ଣ୍ଣ କାର୍ଯ୍ୟରେ ପରିଣତ କରିବାରେ ସଂସଦୀୟ ଏବଂ ରାଜ୍ୟ ବିଧାନସଭା କମିଟି ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନୀତି ଗୁଡ଼ିକର ଯାଞ୍ଚ ଏବଂ ଉତ୍ତରଦାୟିତ୍ଵ ସୁନିଶ୍ଚିତ କରିବାରେ ସେମାନଙ୍କର ପ୍ରୟାସ ତୃଣମୂଳ ସ୍ତରରେ ବିକାଶ ପହଞ୍ଚାଇବା ଦିଗରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ରାଜ୍ୟର ଜନସଂଖ୍ୟାର ପ୍ରାୟ ୨/୫ ଅନୁସୂଚିତ ଜାତି ଏବଂ ଜନଜାତି ଅନ୍ତର୍ଭୁକ୍ତ ଯେଉଁଥିରେ ୬୪ ଜନଜାତି ସମ୍ପ୍ରଦାୟ ଏବଂ ୧୩ ପିଭିଟିଜି ଅନ୍ତର୍ଭୁକ୍ତ ଅଟନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରେରଣାଦାୟକ ଯାତ୍ରା ଏବଂ ନିକଟ ଅତୀତରେ ନୀଟ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମାଲକାନଗିରି ଜିଲ୍ଲାର ଦିଦାୟୀ ପିଭିଟିଜି ବର୍ଗର ପ୍ରଥମ ଛାତ୍ରୀ ଭାବେ ଚମ୍ପା ରାସପେଦାଙ୍କ ସଫଳତା ଶିକ୍ଷା ଏବଂ ସୁଯୋଗର ପରିବର୍ତ୍ତନକାରୀ ଶକ୍ତିର ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ନ୍ୟାୟକୁ ସମର୍ଥନ କରୁଥିବା, ବିବିଧତାକୁ ସମ୍ମାନ ଦେଉଥିବା ଏବଂ ସମସ୍ତଙ୍କ ପାଇଁ ମର୍ଯ୍ୟାଦା ଓ ସଶକ୍ତିକରଣକୁ ସୁନିଶ୍ଚିତ କରୁଥିବା ଭାରତ ଗଠନ ପାଇଁ ସମସ୍ତ ସହଭାଗୀ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ସୁଦୃଢ଼ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ।

ଏହି ସମାରୋହରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦବୋଧନ ଦେଇ ସମସ୍ତେ ନୂତନ ଉତ୍ସାହ ଓ ଶକ୍ତି ସହିତ ସମାଜ ମଙ୍ଗଳ ପାଇଁ ପ୍ରତିବଦ୍ଧ ହେବ। ସହିତ ଅବହେଳିତ ବର୍ଗଙ୍କ ପାଇଁ କାମ କରିବାକୁ ଆହ୍ୱାନ ଜଣାଇଥିଲେ। ସମ୍ବିଧାନ ପ୍ରଣେତା ବାବାସାହେବ ଡ. ଆମ୍ବେଦକରଙ୍କ ଦର୍ଶନକୁ ଆଧାରକରି ଦେଶ ପାଇଁ ରୋଡମ୍ୟାପ ପ୍ରସ୍ତୁତି କରିବାରେ ଉକ୍ତ ଜାତୀୟ ସମ୍ମିଳନୀ ପ୍ରେରଣା ଯୋଗାଇବ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଥିଲେ।
ରାଜ୍ୟସଭା ଉପାଧ୍ୟକ୍ଷ ହରି ବଂଶ ନାରାୟଣ ସିଂହ କହିଥିଲେ ଯେ କେବଳ କାଗଜରେ ନୀତି ନପରଖି ବାସ୍ତବ କ୍ଷେତ୍ରରେ ଯୋଜନା ତୃଣମୂଳ ସ୍ତରରେ ସଠିକ୍ ଭାବରେ କାର୍ଯ୍ୟକାରୀ ହେଲେ ସମାଜ ଓ ଦେଶର ମଙ୍ଗଳ ହେବ। ସଂସଦର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଡ଼. ଫଗନ ସିଂହ କୁଲସ୍ତେ ନିଜ ବକ୍ତବ୍ୟରେ ଏହି ସମ୍ମିଳନୀ ଭବିଷ୍ୟତ ପାଇଁ ମାର୍ଗଦର୍ଶିକା ଭାବେ ଉପଯୋଗୀ ହେବ ଏବଂ ଏ ଦିଗରେ ସମସ୍ତଙ୍କର ସହଯୋଗ ଓ ସହଭାଗିତା କାମନା କରିଥିଲେ। ଓଡ଼ିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ ଏପରି ଜାତୀୟ ସ୍ତରୀୟ ସମ୍ମିଳନୀର ଆୟୋଜନ କରିବା ପାଇଁ ଓଡ଼ିଶାକୁ ସୁଯୋଗ ଦେଇଥିବାରୁ ଲୋକସଭା ବାଚସ୍ପତିଙ୍କୁ କୃତଜ୍ଞତା ଜଣାଇଥିଲେ।