
ଭୁବନେଶ୍ୱର: ୯/୯-ଭାରତର ନୂଆ ଉପ ରାଷ୍ଟ୍ରପତି ଭାବେ ଚନ୍ଦ୍ରପୁରମ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି । ଉପ ରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ରୁ ଅଧିକ ଭୋଟରେ ହରାଇଛନ୍ତି। ଶ୍ରୀ ରାଧାକ୍ରିଷ୍ଣନ୍ ୪୫୨ ପ୍ରଥମ ପସନ୍ଦ ଭୋଟ ପାଇ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ବି.ସୁଦର୍ଶନ ରେଡ୍ଡୀ ୩୦୦ ପ୍ରଥମ ପସନ୍ଦ ଭୋଟ ପାଇଛନ୍ତି । ଏହି ନିର୍ବାଚନରେ ପ୍ରାୟ ୯୮.୨ % ମତଦାନ ହୋଇଛି। ପନ୍ଦର ଜଣ ସାଂସଦଙ୍କ ଭୋଟ ନାକଚ ହୋଇଥିବା ରିଟର୍ଣ୍ଣିଂ ଅଫିସର ତଥା ରାଜ୍ୟସଭା ମହାସଚିବ ପିସି ମୋଦି ଘୋଷଣା କରିଛନ୍ତି।
ସିପି. ରାଧାକ୍ରିଷ୍ଣନ କାନେ ଅଭିଜ୍ଞ ରାଜନେତା, ପ୍ରଶାସକ ଏବଂ ଆରଏସଏସର କର୍ମକର୍ତ୍ତା। ସେ ୧୯୫୭ ମସିହା ଅକ୍ଟୋବର ମାସ ୨୦ରେ ତାମିଲନାଡୁର ତିରୁପୁରରେ ଜନ୍ମ ଗ୍ରହଣ କରିଥିଲେ । ସେ ବିବିଏ ଡିଗ୍ରୀ ହାସଲ କରିଥିଲେ। କଲେଜରେ ପଢୁଥିବାବେଳେ ସେ ଟେବୁଲ ଟେନିସରେ ଚାମ୍ପିଅନ ହୋଇଥିଲେ। କ୍ରିକେଟ ଓ ଭଲିବଲରେ ତାଙ୍କର ଦକ୍ଷତା ଥିଲା। ମାତ୍ର ୧୬ ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଭାରତୀୟ ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ବିଜେପିର ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ହୋଇଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କର ସହଯୋଗୀ ଥିଲେ। ସେ “କୋୟମ୍ବାଟୁରର ବାଜପେୟୀ” ଭାବେ ପରିଚିତ ଥିଲେ । ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ସେ ତାମିଲନାଡୁ ରାଜ୍ୟ ବିଜେପିର ସଭାପତି ରହିଥିଲେ। ସେ କୋଏମ୍ବାଟୁର ଲୋକସଭା ଆସନରୁ ଦୁଇଥର ବିଜୟୀ ହୋଇଥିଲେ। ସେ ଝାଡ଼ଖଣ୍ଡ ତେଲେଙ୍ଗାନା ଓ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇ ଥିଲେ।
ସଂସଦର ଉଭୟ ଗୃହର ସାଂସଦଙ୍କ ସଂଖ୍ୟା ୭୮୮ ଥିବା ବେଳେ ଏବେ ୭ଟି ଆସନ ଖାଲି ପଡ଼ିଛି। ୭୮୧ ବୈଧ ଭୋଟ ମଧ୍ୟରୁ ୧୩ ଜଣ ସାଂସଦ ଭୋଟ ଦେଇ ନଥିଲେ। ବିଆରଏସର ୪ ଜଣ, ବିଜେଡିର ୭ ଜଣ, ଅକାଳୀ ଦଳ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ଉପ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇ ନାହାନ୍ତି। ମୋଟ ୭୬୭ ଜଣ ସାଂସଦ ଭୋଟ ଦେଇଥିଲେ। ଏହା ମଧ୍ୟରୁ ୭୫୨ ବୈଧ ଭୋଟ ଥିବାବେଳେ ୧୫ଟିକୁ ନାକଚ ହୋଇଥିଲା। ଏନଡିଏର ୪୨୭ ଜଣ ସାଂସଦ ଭୋଟ ଦେଇଛନ୍ତି। ବରୋଧୀ ମେଣ୍ଟର ସମସ୍ତ ୩୧୫ ଜଣ ସାଂସଦ ଭୋଟ ଦେଇଥିବା କଂଗ୍ରେସ ନେତା ଜୟ ରାମ ରମେଶ କହିଥିଵା ବେଳେ ବିରୋଧୀ ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କୁ ପ୍ରଥମ ପସନ୍ଦର ଉପ ରାଷ୍ଟ୍ରପତି ଭାବେ ୩୦୦ ଖଣ୍ଡ ଭୋଟ ମିଳିଛି। ଅର୍ଥାତ ୧୫ ଖଣ୍ଡ ଭୋଟ ମିଳିନାହିଁ। ଯେଉଁ ୧୫ ଖଣ୍ଡ ଭୋଟ ନାକଚ ହୋଇଛି ତାହା ବିରୋଧୀ ସାଂସଦଙ୍କର ବୋଲି କୁହାଯାଉଛି। ଏନଡିଏର ୪୨୭ଜଣ ସାଂସଦ ଥିବାବେଳେ ଏହା ଠାରୁ ଅଧିକ ସମର୍ଥନ ପାଇଛନ୍ତି ଶ୍ରୀ ରାଧାକ୍ରିଷ୍ଣନ। ଅର୍ଥାତ ଆନ୍ଧ୍ର ପ୍ରଦେଶର ୱାଇଏସ୍ଆର କଂଗ୍ରେସର କିଛି ସାଂସଦ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ରାଜ୍ୟସଭାରେ ଦଳର ୭ ଜଣ ଓ ଲୋକସଭାରେ ୪ ଜଣ ସଦସ୍ୟ ରହିଛନ୍ତି। ସେମାନେ ସମସ୍ତେ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିଛନ୍ତି।
ରାଜ୍ୟସଭାରେ ଥିବା ଆପ୍ର ବିଦ୍ରୋହୀ ସାଂସଦ ସ୍ୱାତୀ ମାଲିୱାଲ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା କୁହାଯାଉଛି। ଲୋକସଭାରେ ଥିବା ୭ ସ୍ୱାଧୀନ ସାଂସଦଙ୍କ ମଧ୍ୟରୁ ଜଣେ ଭୋଟିଂରୁ ଦୂରେଇ ରହିଥିଲେ। ବାକି ୬ ଜଣ ଏନଡିଏକୁ ସମର୍ଥନ ଦେଇଛନ୍ତି। ଜେଡପିଏମ(ମିଜୋରାମ)ର ମଧ୍ୟ ଜଣେ ସାଂସଦ ଶ୍ରୀ ରାଧାକ୍ରିଷ୍ଣନଙ୍କୁ ଭୋଟ ଦେଇଥିବା ଜଣାପଡ଼ିଛି। ଏଥିଯୋଗୁ ସିପି ରାଧାକ୍ରିଷ୍ଣ ମୋଟ ୪୫୨ ଖଣ୍ଡ ଭୋଟ ପାଇଛନ୍ତି। ତେବେ ୩ ବର୍ଷ ତଳେ ଧନଖଡ଼ ୫୨୮ଟି ଭୋଟ ପାଇଥିଲେ।