ଖୁସି ବ୍ୟକ୍ତ କଲେ, କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୭/୧୨- ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ନିଖୋଜ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମ ପରେ ସେ ଭାରତ ଫେରିଛନ୍ତି। ବୁଧବାର ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଛି। ଓଡ଼ିଶା ସରକାର ତାଙ୍କ ପରିବାରର ଯୋଗାଯୋଗରେ ରହି ଆଦର୍ଶଙ୍କୁ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି।

ସୂଚନାଯୋଗ୍ୟ ଯେ ଆଦର୍ଶ ସୁଦାନର ଉତ୍ତର ଡରଫର୍ ରାଜ୍ୟର ଏଲ୍ ଫାସର୍ ସହର ରେ ନିଖୋଜ ଥିଲେ। ଭାରତ ସରକାର ତାଙ୍କୁ କିଛି ଆନ୍ତର୍ଜାତିକ ମଧ୍ୟସ୍ଥିଙ୍କ ସହଯୋଗରେ ଉଦ୍ଧାର କରିଛନ୍ତି। ଆଦର୍ଶଙ୍କ ଫେରିବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଧନ୍ୟବାଦ ଅର୍ପଣ କରିଛନ୍ତି।ଆଦର୍ଶ ନିଖୋଜ ଖବର ପାଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ତାଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ।
ଏଥି ସହିତ ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିଶନର ମଧ୍ୟ ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖି ସୁଦାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ରହି ଆଦର୍ଶଙ୍କ ଖୋଜ୍ ଖବର ନେବା ଏବଂ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ।
ସୂଚନା ଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗ୍ରାମର ଆଦର୍ଶ କୁମାର ବେହେରା ୨୦୨୨ ମସିହାରୁ ସୁଦାନରେ କାମ କରୁଥିଲେ। ପରେ ତାଙ୍କ ପରିବାର ବର୍ଗ ପାଖକୁ ଖବର ଆସିଥିଲା ଯେ, ଆଦର୍ଶ ବର୍ତ୍ତମାନ ନିଖୋଜ ଅଛନ୍ତି ଏବଂ ତାଙ୍କର କୌଣସି ଖୋଜ୍ ଖବର ମିଳୁନାହିଁ।