ସରକାରଙ୍କ ସହ ଆଲୋଚନା ନେଇ ମିଳିଲା ପ୍ରତିଶ୍ରୁତି
ଭୁବନେଶ୍ୱର୧୧/୮- ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସମ୍ବାଦପତ୍ରଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ‘ଅଲ ଓଡ଼ିଶା ମିଡିଆ ଆସୋସିଏସନ’ ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସଂଘ ପକ୍ଷରୁ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୨ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ସହ ସ୍ମାରକପତ୍ରରେ ଥିବା ଦାବି ଉପରେ ଆଲୋଚନା କରାଯିବ ବୋଲି ବିଭାଗୀୟ ନିର୍ଦେଶକ ପ୍ରତିଶ୍ରୁତି ଦେଇଛନ୍ତି।
ସଂଘ ସଭାପତି ସଞ୍ଜୀବ ପଟ୍ଟନାୟକଙ୍କ ସମେତ ଉପଦଷ୍ଟା ରବିପ୍ରିୟ ଦାଶ, ଆଇନ ପରାମର୍ଶଦାତା ସୌମ୍ୟକାନ୍ତ ସାମନ୍ତରାୟ, ଉପ ସଭାପତି ସରୋଜ ରଞ୍ଜନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଜଗନ୍ନାଥ ପାଢ଼ୀ ଓ କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ପାଳ ପ୍ରମୁଖ ୬ ଜଣିଆ ପ୍ରତିନିଧିମଣ୍ଡଳୀ ନିର୍ଦେଶକଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିବା ସହ ଦାବି ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସ ୨୨ ତାରିଖରେ ଦାବି ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ସଂଘ ପକ୍ଷରୁ ତାଙ୍କ କାର୍ଯ୍ୟାଳୟରେ ଓ ଇ-ମେଲ ଯୋଗେ ପତ୍ର ଦିଆଯାଇଥିଲା। ଆଜି ପୁନର୍ବାର ସ୍ମାରକପତ୍ର ସହ ଏହା ପ୍ରଦାନ କରାଯାଇଛି। ଏଥି ପୂର୍ବରୁ ଗତ ଜାନୁଆରୀ ମାସରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଆଗମନ ସମୟରେ ରାଜଭବନରେ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।

ସ୍ମାରକପତ୍ରରେ ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ, ପେନ୍ସନ୍ ପାଇଁ ଅର୍ଥ ବ୍ୟବସ୍ଥା ସମ୍ପର୍କରେ ପତ୍ରରେ କେତେକ ପ୍ରସ୍ତାବ ଦିଆଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ବିଜ୍ଞାପନରୁ କାଟି ରଖୁଥିବା ୧୫ ପ୍ରତିଶତ ଅର୍ଥରୁ ୧୦ ପ୍ରତିଶତ ଅର୍ଥକୁ ନେଇ ଏକ କର୍ପସ ପାଣ୍ଠି ଗଠନ କରି ପେନ୍ସନ୍ ବାବଦ ଅର୍ଥ ଭରଣା କରିପାରିବ। ଏହାଦ୍ୱାରା ସରକାରଙ୍କ ଉପରେ କୌଣସି ଆର୍ଥିକ ବୋଝ ସୃଷ୍ଟି ହେବନାହିଁ କି ତହବିଲରୁ ଟଙ୍କାଟିଏ ଖର୍ଚ୍ଚ ହେବ ନାହିଁ।
ଏହାବ୍ୟତୀତ ସାମ୍ବାଦିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, ସ୍ୱାସ୍ଥ୍ୟବୀମା ରାଶି ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, ଟୋଲ୍ଗେଟ୍ରେ ସାମ୍ବାଦିକମାନଙ୍କ ଚାରିଚକିଆ ଯାନକୁ ଟିକସମୁକ୍ତ କରିବା, ସାମ୍ବାଦିକଙ୍କ ଦୁଇ ଚକିଆ ଓ ଚାରି ଚକିଆ ଯାନ ନିମନ୍ତେ ପୁଲିସ ପକ୍ଷରୁ ଷ୍ଟିକର ଯୋଗାଇ ଦିଆଯିବା, ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ କଟକ ଓ ଭୁବନେଶ୍ୱର ସମେତ ଜିଲାର ମୁଖ୍ୟାଳୟରେ ବାସଗୃହ ଯୋଗାଣ, ବିଜ୍ଞାପନ ପାଇଁ ତାଲିକାଭୁକ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ଦରଖାସ୍ତ କେନ୍ଦ୍ର ସରକାରଙ୍କ(ଡିଏଭିପି)ନୀତି ନିୟମ ଅନୁସାରେ କାର୍ଯ୍ୟକାରୀ କରିବା, ବର୍ତ୍ତମାନ ବିଜ୍ଞାପନ ଦରରେ ସ୍କୋୟାର ସିଏମ ସର୍ବନିମ୍ନ ୨୦ଟଙ୍କାକୁ ବୃଦ୍ଧି କରିବା ସହ ସାମ୍ବାଦିକମାନଙ୍କ ପାଇଁ ଥିବା ଅଧିସ୍ୱୀକୃତି କମିଟି ପୁନର୍ଗଠନ କରି ଏଥିରେ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକ, ଖବରକାଗଜ ମାଲିକ ଓ ସ୍ୱୀକୃତିପ୍ରାପ୍ତ ସଂଘ ପ୍ରତିନିଧିଙ୍କୁ ସାମିଲ କରିବା ଏବଂ ସମସ୍ତ ସରକାରୀ ତାଲିକାଭୁକ୍ତ ଖବରକାଗଜଗୁଡ଼ିକୁ ସମାନ ଭାବେ ବିଜ୍ଞାପନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି।