-‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ
-ଟେକ୍ନୋଲୋଜିର ଉପଯୋଗରେ ଏକ ଉନ୍ନତ ମତାମତ ସଂଗ୍ରହ ବ୍ୟବସ୍ଥା ହେଉଛି ‘ଆମ ଶାସନ’
-ୱେବସାଇଟ୍ ଚାଟ୍ ବଟ୍, ହ୍ୱାଟ୍ସଆପ୍ ଓ ଟୋଲ୍ ଫ୍ରି ନମ୍ବର ୧୪୪୭୧ ରେ ମତାମତ ଦେଇପାରିବେ ଜନସାଧାରଣ
-ଲୋକଙ୍କ ମତାମତ ଓ ପରାମର୍ଶ ହେଉଛି ସୁଶାସନର ମୁଖ୍ୟ ଉପାଦାନ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:୨୬ ଅଗଷ୍ଟ ୨୦୨୫- ସୁଶାସନର କେନ୍ଦ୍ରବିନ୍ଦୁ ହେଉଛନ୍ତି ନାଗରିକ। ତେଣୁ, ସମସ୍ତ ସରକାରୀ କାର୍ଯ୍ୟକ୍ରମ, ଯୋଜନା, ସର୍ବୋପରି ସରକାରୀ ସେବା ବ୍ୟବସ୍ଥାକୁ ନାଗରିକ କୈନ୍ଦ୍ରିକ କରାଯାଇଛି। ଜନସାଧାରଣଙ୍କ ମତାମତ ବିନା କୌଣସି ଯୋଜନା ସଫଳ ହୋଇ ପାରିବ ନାହିଁ । ତେଣୁ ଲୋକଙ୍କ ମତାମତ, ପରାମର୍ଶ ସୁଶାସନର ମୁଖ୍ୟ ଉପାଦାନ। ଏହାଦ୍ୱାରା ଶାସନ ବ୍ୟବସ୍ଥା ଦକ୍ଷ ହୋଇପାରିଥାଏ । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ ଆଧୁନିକ ଫିଡ୍ବ୍ୟାକ୍ ସିଷ୍ଟମ ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କରି ଏହା କହିଛନ୍ତି। ‘ଆମ ଶାସନ’ ହେଉଛି ଆଧୁନିକ ଟେକ୍ନୋଲୋଜିର ଉପଯୋଗରେ ପ୍ରସ୍ତୁତ ହୋଇଥିବା ଏକ ଅତ୍ୟାଧୁନିକ ଫିଡ୍ବ୍ୟାକ୍ ସିଷ୍ଟମ। ଏହା ଜରିଆରେ ଉଭୟ ଅନ୍ଲାଇନ ଓ ଅଫଲାଇନ୍ ପ୍ଲାଟଫର୍ମରେ ଜନ ସାଧାରଣ ସେମାନଙ୍କ ମତାମତ ବା ପରାମର୍ଶ ଦେଇ ପାରିବେ। ଓଡିଶା ସରକାରଙ୍କ ୱେବସାଇଟ୍ ଚାଟ୍ବଟ୍ amashasana.odisha.gov.in, ହ୍ୱାଟସ୍ଆପ୍ ଚାଟ୍ବଟ୍ +91-7400221903, ଟୋଲ୍ ଫ୍ରି ନମ୍ବର 14471 ଜରିଆରେ ନିଜ ଅଭିଯୋଗ ଓ ପରାମର୍ଶ ପ୍ରଦାନ କରାଯାଇ ପାରିବ। ଏହା ସହିତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ଉଚ୍ଚ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଟେଲିଫୋନ୍ ଜରିଆରେ ମତାମତ ଗ୍ରହଣ କରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଶାସନ ପ୍ରଶାସନରେ ସ୍ୱଚ୍ଛତା, ପାରଦର୍ଶିତା, ଦାୟିତ୍ୱବୋଧତା ଓ ଉତ୍ତରଦାୟିତ୍ୱତା ଆଣିବ। ଆମ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ କମ୍ କରିବାରେ ଏହା ସହାୟକ ହେବ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ ସେ କହିଥିଲେ, ମହାତ୍ମା ଗାନ୍ଧୀଙ୍କ ଭାଷାରେ, “ନିଜକୁ ପାଇବାକୁ ହେଲେ ଅନ୍ୟ ମାନଙ୍କ ସେବାରେ ନିଜକୁ ହଜାଇ ଦେବାକୁ ହେବ”। ଏହି ଆଦର୍ଶରେ ଆମ ସରକାର ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାନଙ୍କ ସେବାରେ ନିଜକୁ ହଜାଇ ଦେବା ପାଇଁ ଉଦ୍ୟମ କରୁଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେକ୍ନୋଲୋଜିର ବ୍ୟବହାର କରି ଦେଶରେ ଦୁର୍ନୀତିର ପ୍ରଭାବ କମ୍ କରିପାରିଛନ୍ତି। ଜନଧନ, ଆଧାର ଓ ମୋବାଇଲ (JAM)ର ଉପଯୋଗ ହେବାପରେ ସରକାରଙ୍କ ପକ୍ଷରୁ ଲୋକଙ୍କ ପାଖକୁ ଟଙ୍କାଟିଏ ଗଲେ, ଲୋକ ପୁରା ଟଙ୍କାଟିଏ ହିଁ ପାଉଛନ୍ତି। ବାଟମାରଣା ନାହିଁ। ମୋଦୀଜୀଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ସୁଶାସନ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ। ମୋଦୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ନିଜକୁ ‘ବସ୍’ ବୋଲି ନଭାବି ଲୋକଙ୍କ ସେବକ ଭାବରେ କାମ କରୁଛୁ। ଶାସନ ପ୍ରକ୍ରିୟାରେ ଜନସାଧାରଣଙ୍କ ସକ୍ରିୟ ଭାଗିଦାରୀ ହିଁ ଆମ ପାଇଁ ସମ୍ପତ୍ତି। ଆମ ଶାସନ ବ୍ୟବସ୍ଥା ବର୍ତ୍ତମାନ ସମୟ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଲୋକଙ୍କ ମତାମତକୁ ସମ୍ମାନ ଜଣାଇ ବିଧିବ୍ୟବସ୍ଥାରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଅନଲାଇନ ଜରିଆରେ ସରକାର ୩୨ଟି ବିଭାଗର ୪୨୮ଟି ସେବା ଯୋଗାଇ ଦେଉଛନ୍ତି। ଆମ ଶାସନ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୮ଟି ବିଭାଗର ୧୩ଟି ସେବା ପାଇଁ ଫିଡ୍ବ୍ୟାକ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏଗୁଡିକ ହେଲା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅନ୍ତ୍ୟୋଦୟ ଗୃହ ଯୋଜନା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମଧୁବାବୁ ପେନ୍ସନ ଯୋଜନା, ମହିଳା ଓ ଶିଶୁ ବିକାଶ ବିଭାଗର ସୁଭଦ୍ରା ଯୋଜନା, ଅନୁସୂଚିତ ଜନଜାତି ଓ ଜାତି ବିଭାଗର ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶୀଅନ୍ନ ଓ ସିଏମ୍ କିଷାନ ଯୋଜନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଧାନ ସଂଗ୍ରହ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଇନ୍ ପେସେଣ୍ଟ ଓ ଆଉଟ୍ ପେସେଣ୍ଟ ସେବା ଓ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ଏବଂ ଗୃହ ବିଭାଗର FIR, ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନ ଓ ପିଟିସନ। ଏହି କାର୍ଯ୍ୟକ୍ରମରେ ଅନ୍ଲାଇନ୍ ଜରିଆରେ ବିଭିନ୍ନ ଜିଲ୍ଲାର ଅଧିକାରୀ ଓ ହିତାଧିକାରୀ ମାନେ ଯୋଡିହୋଇଥିଲେ। ମୁଖ୍ୟମନ୍ତ୍ରୀ କେତେଜଣ ହିତାଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ସେମାନେ ହେଲେ କଳାହାଣ୍ଡିର ଅନ୍ତ୍ୟୋଦୟ ଗୃହ ଯୋଜନା ହିତାଧିକାରୀ ମୁଙ୍ଗେ ଧାରୁଆ, ଜଗତସିଂହପୁରର ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଫକୀର ଦାସ, କନ୍ଧମାଳ ଜିଲ୍ଲାର ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ହିତାଧିକାରୀ ଦଶମ ଶ୍ରେଣୀ ଛାତ୍ରୀ ଜ୍ୟୋସ୍ନାରାଣୀ ଦେହୁରୀ ଏବଂ ବଲାଙ୍ଗୀର ଜିଲ୍ଲାର ଆୟୁଷ୍ମାନ ବୟୋବନ୍ଦନା ହିତାଧିକାରୀ ଗୀରିଶ କୁମାର ସିଂହଦେଓ। ସେମାନେ ସମସ୍ତେ କହିଥିଲେ ଯେ, ସରକାରଙ୍କ ଯୋଜନାର ସୁଫଳ ସେମାନେ ସୁବିଧାରେ ପାଉଛନ୍ତି। ଏସବୁ ପାଇବା ପାଇଁ ସେମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନାହିଁ। ସରକାରୀ ଅଧିକାରୀ ମାନେ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି।

କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି ସିଂହଦେଓ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ, ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ସଚିବ , ସ୍ୱାସ୍ଥ୍ୟ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଓକାକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ରାଉତ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।